କଟକ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରଚନାତ୍ମକ କର୍ମୀ, ସୁଲେଖିକା ଓ ସର୍ବୋଦୟ ସାଧିକା ଅନ୍ନପୂର୍ଣ୍ଣା ମହାରାଣାଙ୍କ ରଚିତ ‘ଅମୃତ ଅନୁଭବ’ ଗ୍ରନ୍ଥର ନୂତନ ସଂସ୍କରଣ ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚିତ ହୋଇଛି । ପ୍ରସିଦ୍ଧ ଚୌଧୁରୀ ନିବାସରେ ଗୋକୁଳାନନ୍ଦ ଚୌଧୁରୀ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ନିଆରା ଢ଼ଙ୍ଗରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
୧୯୩୦ ଜାନୁଆରୀ ୨୬ରୁ ପ୍ରତିବର୍ଷ ଚୌଧୁରୀ ନିବାସରେ ସ୍ୱାଧୀନତା ଦିବସ ପାଳିତ ହୋଇଆସୁଛି । ଦେଶ ସ୍ୱାଧୀନ ହେବା ପରେ ୧୯୪୭ ଅଗଷ୍ଟ ୧୫ରୁ ବି ସେବା, ସଂଗ୍ରାମ ଓ ସାଧନାର ଏହି ଜାତୀୟ ପୀଠରେ ଜାତୀୟ ପତାକା ସବୁବର୍ଷ ଉତ୍ତୋଳିତ ହୋଇଥାଏ । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୌଧୁରୀ ନିବାସରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ପରେ ‘ଅମୃତ ଅନୁଭବ’ ପୁସ୍ତକର ନୂଆ ସଂସ୍କରଣ ଉନ୍ମୋଚନ ଲାଗି ଗାନ୍ଧୀ ଦର୍ଶନର ଅନ୍ୟତମ ଚିନ୍ତକ ପ୍ରହଲାଦ କୁମାର ସିଂହଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଚୌଧୁରୀ ପରିବାର ଉପରେ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ରଚିତ ଅନ୍ୟ ଏକ ପୁସ୍ତକ ‘ଚୌଧୁରୀ’ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ଚୌଧୁରୀ ନିବାସ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଶିଷ୍ଟ ଆଇନଜୀବୀ ଗୋକୁଳାନନ୍ଦ ଚୌଧୁରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହି କୋଠିରେ ତାଙ୍କ ସମୟରେ ଉତ୍କଳ ସମ୍ମିଳନୀର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।
ଏହି ପରିବାରର ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମା ଦେବୀ ଓ ମାଳତୀ ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନରେ ସପରିବାର ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ସୁପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଓ ଜାମାତା ଶରତ ଚନ୍ଦ୍ର ଏବଂ ନବକୃଷ୍ଣ ଚୌଧୁରୀଙ୍କ ଝିଅ ଉତ୍ତରା ଓ ପୁଅ ବିନାୟକ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେତେବେଳେ ଚୌଧୁରୀ ନିବାସ ଥିଲା ସ୍ୱାଧୀନତା ସଂଗ୍ରାମୀ ବିଶେଷକରି ବାନର ସେନା ଓ ମହିଳା ସଂଗ୍ରାମୀଙ୍କ ଆଡ୍ଡାସ୍ଥଳ ।
ଏଇଠୁ ଲବଣ ସତ୍ୟାଗ୍ରହ ପାଇଁ ଇଞ୍ଚୁଡି ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଥିଲା । ୧୯୪୨ର ‘କର ବା ମର’ ଆନ୍ଦୋଳନ ବେଳେ ଏହି କୋଠି ବି ଥିଲା ପ୍ରେରଣାର ଉତ୍ସ । ପରବର୍ତ୍ତୀ ସମୟରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓ ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ପ୍ରାଣକେନ୍ଦ୍ର ଥିଲା ଏହି ଚୌଧୁରୀ କୋଠି । ସେବା, ସଂଗ୍ରାମ, ସାଧନା, ସ୍ୱଦେଶୀ, ସ୍ୱାବଲମ୍ବନ ଆଦିର ଏହା ଥିଲା ଗବେଷଣାଗାର ।
ସାତଶହ ପୃଷ୍ଠାରୁ ଊର୍ଦ୍ଧ୍ୱ ‘ଅମୃତ ଅନୁଭବ’ ପୁସ୍ତକର ନୂତନ ସଂସ୍କରଣ ଓ ‘ଚୌଧୁରୀ’ ପୁସ୍ତକର ଲୋକାର୍ପଣ କରିଥିଲେ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ସମରେନ୍ଦ୍ର ମହାନ୍ତି । ଏହି ଅବସରରେ ବିଶିଷ୍ଟ କବି ଶୈଳଜ ରବି, ପ୍ରଫେସର ବୀରେନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, ପ୍ରଫେସର କର୍ମଦେବ ମହାରଣା, ଗବେଷକ ପ୍ରଫୁଲ୍ଲ ବେହେରା, ସଂଗ୍ରାମୀ ଫୋରମର ପ୍ରଶାନ୍ତ ଦାସ, ସର୍ବୋଦୟ ସାଧିକା ଅନ୍ନପୂର୍ଣ୍ଣ ପତି ପ୍ରମୁଖ ବକ୍ତବ୍ୟ ରଖି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ସ୍ୱାଧୀନତା ଆନ୍ଦୋଳନ, ରଚନାତ୍ମକ କାର୍ଯ୍ୟକ୍ରମ, ସାମାଜିକ ସଂସ୍କାର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ରାଣ କାର୍ଯ୍ୟ, ଭୂଦାନ ଆନ୍ଦୋଳନ, ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ସାଂପ୍ରଦାୟିକ ଦୌହାର୍ଦ୍ଦ୍ୟ ରକ୍ଷା, ନାରୀ ଜାଗରଣ, ଅସ୍ଫୃଶ୍ୟତା ନିବାରଣ, ଗାନ୍ଧୀ ସାହିତ୍ୟ ସୃଷ୍ଟି ଆଦି କ୍ଷେତ୍ରରେ ଚୌଧୁରୀ ପରିବାରର ସଦସ୍ୟମାନଙ୍କ ଅନବଦ୍ୟ ଅବଦାନର ବକ୍ତାମାନେ ସ୍ମୃତିଚାରଣ କରିଥିଲେ ।
ବହୁ ସର୍ବୋଦୟ କର୍ମୀ, ଶିକ୍ଷାବିତ୍ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ଅଗ୍ରାହ୍ୟ କରିଥିବା ଅନ୍ନପୂର୍ଣ୍ଣାଙ୍କ ‘ଅମୃତ ଅନୁଭବ’ ଗ୍ରନ୍ଥରେ ଇତିହାସ, ସମାଜ ଓ ସଂସ୍କୃତିର ବହୁ ଅନାଲୋଚିତ ବିରଳ ତଥ୍ୟ ରହିଛି । (ତଥ୍ୟ)