ଭୁବନେଶ୍ୱର : ଚଳିତ ମାସ ୧୬ତାରିଖରୁ ମୋ ଘର ଯୋଜନାରେ ହିତାଧିକାରୀଙ୍କ ପାଇଁ ଆବେନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ଏ କ୍ଷେତ୍ରରେ ଅନ୍ତରାୟ ଉପୁଜାଇଲାଣି । ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଲୋକେ ସେମାନଙ୍କର ଆୟ, ଜାତିଗତ ଓ ଭିନ୍ନକ୍ଷମ ଆଦି ପ୍ରମାଣପତ୍ର ସହଜରେ ପାଇପାରୁ ନାହାନ୍ତି ।
ମୋ ଘର ଯୋଜନାରେ ଆବେଦନ ପାଇଁ ହିତାଧିକାରୀଙ୍କ ଫଟୋ, ଆଧାରନମ୍ବର, କେୱାଇସିରେ ଭୋଟର/ପାନ୍/ଜବ କାର୍ଡ ଆବଶ୍ୟକ ହେଉଥିବାବେଳେ ଜମିପଟ୍ଟା ଓ ବ୍ୟାଙ୍କ ପାଶ୍ବୁକ୍ ସହିତ ଆୟ, ଜାତିଗତ ଓ ଆବଶ୍ୟକ ସ୍ଥଳେ ଭିନ୍ନକ୍ଷମ ପ୍ରମାଣପତ୍ର ଜରୁରୀ ଅଟେ । ଯଦିଓ ଲୋକଙ୍କ ନିକଟରେ ଫଟୋ ସହିତ କେୱାଇସି, ଜମିପଟ୍ଟା ଓ ବ୍ୟାଙ୍କ୍ ପାଶ୍ବୁକ୍ ଆଦି ରହିଛି ସେମାନଙ୍କୁ କିନ୍ତୁ ଆୟ, ଜାତିଗତ ଓ ଭିନ୍ନକ୍ଷମ ପ୍ରମାଣପତ୍ର ଏବେ ବାହାର କରିବାକୁ ପଡିବ ।
ତେବେ ଏହି ତିନିଟି ପ୍ରମାଣପତ୍ର ଲୋକଙ୍କ ଘର ନିକଟରେ ଥିବା ମୋ ସେବା କେନ୍ଦ୍ରରେ ଆବେଦନ କରିପାରିବେ । ହେଲେ ତହସିଲ ଅଫିସ୍ରୁ ଏହାକୁ ଅନୁମୋଦନ ମିଳିଲାପରେ ଯାଇ ସେବାକେନ୍ଦ୍ର ତାହାକୁ ସହଜରେ ଯୋଗାଇଦେବେ । ବର୍ତ୍ତମାନ ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ଅମଲାମାନେ ଆନ୍ଦୋଳନ ଚଳାଇଛନ୍ତି । ଏଥିରେ ତହସିଲର ଅମଲା ବି ସାମିଲ ଅଛନ୍ତି ।
ଏଭଳି ସ୍ଥିତିରେ ମୋ ଘର ଲାଗି ଆବେଦନ କରିବାକୁ ଯେଉଁମାନେ ଆଗ୍ରହୀ ସେମାନେ ମୋ ସେବା କେନ୍ଦ୍ରକୁ ଆସି ଏହି ତିନି ପ୍ରମାଣପତ୍ର ନେବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ତାହା ସହଜରେ ମିଳିପାରୁ ନାହିଁ । ଫଳରେ ମୋ ଘର ଯୋଜନାରେ ଏବେ ଆବେଦନ ସହଜ ହୋଇପାରିବ ନାହିଁ ବୋଲି ଖୋଦ୍ ହିତାଧିକାରୀ ଏବଂ ମୋ ସେବା କେନ୍ଦ୍ର ପକ୍ଷରୁ କୁହାଯାଉଛି ।
ସେହିଭଳି ମୋ ଘର ପାଇଁ ଇଚ୍ଛୁକ ହିତାଧିକାରୀମାନେ ନିଜ ଘର ପାଖରେ ଥିବା ମୋ ସେବା କେନ୍ଦ୍ରରେ ଆବେଦନ କରିପାରିବେ ବୋଲି ବାରମ୍ବାର କୁହାଯାଉଛି । ଏଥିପାଇଁ ମୋ ସେବା କେନ୍ଦ୍ରର ପରିଚାଳକଙ୍କୁ ମୋ ଘର ଆଲୋଚନା ବୈଠକକୁ ଡକାଯାଉଛି । ହେଲେ ଗୋଟିଏ ଆବେଦନ ପାଇଁ ମୋ ସେବା କେନ୍ଦ୍ର କର୍ତ୍ତୃପକ୍ଷ କେତେକ ପାଉଣା ପାଇବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ । ଏହାକୁ ନେଇ ମୋ କେନ୍ଦ୍ର କର୍ତ୍ତୃପକ୍ଷ ଦୋଦୂଲ୍ୟମାନ ସ୍ଥିତିରେ ଅଛନ୍ତି ।
ମୋ ଘର ଯୋଜାନରେ ଆବେଦନ ହେଲାପରେ ତାହା ବ୍ଲକ ସ୍ତରରେ ତର୍ଜମା କରାଯିବ ଏବଂ ପରେ ଏହାକୁ ବ୍ୟାଙ୍କ୍ ଋଣ ପାଇଁ ପଠାଯିବ । ବ୍ୟାଙ୍କ୍ କାହାକୁ ଋଣ ଦେବ କି ନଦେବ ତାହା ବ୍ୟାଙ୍କ୍ ଉପରେ ନିର୍ଭର କରିବ । ହେଲେ ବର୍ତ୍ତମାନ ଆରମ୍ଭରୁ ଚାଳ ବାଜିଲା ପରି ଅମଲାଙ୍କ ଆନ୍ଦୋଳନ ଏ କ୍ଷେତ୍ରରେ ଯେଭଳି ବାଧକ ହେଲାଣି ସେ କ୍ଷେତ୍ରରେ ହିତାଧିକାରୀମାନେ ଋଣ ପାଇବାରେ ଢେର ବିଳମ୍ବ ହେବବୋଲି କୁହାଯାଉଛି । (ତଥ୍ୟ)