ଭୁବନେଶ୍ୱର : ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ମାତ୍ର ୭୬ଥର ପାଇଁ ଆସିଛନ୍ତି । ୨୦୦୮ ପରଠାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିନାହାନ୍ତି । ତେବେ ୨୦୨୪ ଜୁନ୍ରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ୯ଥର ପାଇଁ ଆସିଛନ୍ତି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୦୦ ମସିହାରୁ ୨୦୨୪ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାତ୍ର ୭୬ଥର ପାଇଁ ତାଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଛନ୍ତି ।
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ୧୨ଥର ପାଇଁ ଆସିଥିବାବେଳେ ୨୦୦୧ ମସିହାରେ ସର୍ବାଧିକ ୨୦ଥର ପାଇଁ ଆସିଥିଲେ । ସେହିଭଳି ୨୦୦୨ରେ ୧୩ଥର, ୨୦୦୩ରେ ୯ଥର, ୨୦୦୪ରେ ୨ଥର, ୨୦୦୫ରେ ୪ଥର, ୨୦୦୬ରେ ମାତ୍ର ଥରୁଟିଏ ଆସିଥିବାବେଳେ ୨୦୦୭ରେ ୩ଥର ଏବଂ ୨୦୦୮ରେ ୧୨ଥର ପାଇଁ ଆସିଥିଲେ । ୨୦୦୮ ରୁ ୨୦୨୪ ମଇ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନାହାନ୍ତି ।
ତେବେ ୨୦୨୪ ଜୁନ୍ରେ ନୂଆ ସରକାର ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୯ଥର ପାଇଁ ଆସିବା ସହିତ ନିଜେ ଅଭିଯୋଗ ଶୁଣିଛନ୍ତି । ଏଥି ମଧ୍ୟରେ ୨୦୨୪ ମସିହା ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାବେଳେ ୨୦୨୪ ଜୁଲାଇ ୧୫, ଅଗଷ୍ଟ ୫, ସେପ୍ଟେମ୍ବର ୨୩, ଅକ୍ଟୋବର ୨୧, ଡିସେମ୍ବର ୧୬ ଓ ଡିସେମ୍ବର ୨୩ ତାରିଖରେ ଆସିଥିଲେ । ସେହିଭଳି ୨୦୨୫ ଫେବୃଆରୀ ୩ ତାରିଖ ଓ ମାର୍ଚ୍ଚ ୩ତାରିଖରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାଯାଇଛି ଯେ ୨୦୨୪ ଜୁନ୍ ମାସରୁ ବର୍ତ୍ତମାସୁଦ୍ଧା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକେ ୮୧,୧୭୯ଟି ଆପତ୍ତି ଅଭିଯୋଗ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୭୯,୫୨୭ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ୧୬୫୨ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ବାକି ରହିଛି । (ତଥ୍ୟ)