ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ୧୨ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନରେ ହିଁ ଫାଇନାଲ୍ ପେନ୍ସନ୍ ପ୍ରଦାନ କରାଯାଇଛି ।
କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଏବଂ ଫୁଲବାଣୀ ଜିଲ୍ଲାର ଏଗ୍ରିକଲଚର ଓଭରସିଅର, ସିନିଅର୍ ଷ୍ଟେନୋ, ଷ୍ଟାଟିଟିକାଲ୍ ଆସିଷ୍ଟାଣ୍ଟ ଆଦି କ୍ଷେତ୍ର କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କୃଷି ନିର୍ଦ୍ଦେଶାଳୟ ତରଫରୁ କର୍ମଚାରୀମାନଙ୍କୁ ଅବସର ଦିନ ଫାଇନାଲ୍ ପେନ୍ସନ୍ ପ୍ରଦାନ କାର୍ଯ୍ୟକ୍ରମ ଗତ ୨୦୨୨ ମାର୍ଚ୍ଚରୁ ଆରମ୍ଭ କରାଯାଇଛି । ମାତ୍ର ପ୍ରଥମ ଥର ପାଇଁ ଏତେ ସଂଖ୍ୟକ କ୍ଷେତ୍ର କର୍ମଚାରୀମାନଙ୍କୁ ଏଥିରେ ସାମିଲ କରାଯାଇପାରିଛି ।
କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ନିର୍ଦ୍ଦେଶକ(ପ୍ରଶାସନ) ଜ୍ୟୋର୍ତିମୟୀ ପ୍ରଧାନ, ଏବଂ ପେନ୍ସନ୍ ବିଭାଗର ସମସ୍ତ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ଉଦ୍ୟମ ଯୋଗୁଁ ଏଭଳି କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି । ଏକ ବିଦାୟକାଳୀନ ସଭାରେ ଅଧ୍ୟକ୍ଷତା କରି ନିର୍ଦ୍ଦେଶକ ଶ୍ରୀ ଚୌଧାରୀ ଆଗାମୀ ଦିନମାନଙ୍କରେ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅବସରକାଳୀନ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।