ଭୁବନେଶ୍ୱର : ପଚିଶ ବର୍ଷ ଭିତରେ ଓଡିଶାରେ ଅବକାରୀ ରାଜସ୍ୱ ପରିମାଣ ପ୍ରାୟ ୬୫ଗୁଣ ବଢିଛି । କେବଳ ଅବକାରୀ ରାଜସ୍ୱ ନୁହେଁ, ଏଥିସହ ତାଳଦେଇ ଓଡିଶାରେ ମଦୁଆଙ୍କ ସଂଖ୍ୟା ବି ଉଦବେଗଜନକ ଭାବେ ବଢି ବଢି ଚାଲିଛି ।
୧୯୮୯-୯୦ ବେଳକୁ ଓଡିଶାରେ ଅବକାରୀ ରାଜସ୍ୱ ପରିମାଣ ୪୦କୋଟି ଟଙ୍କାରୁ କମ୍ ଥିବାବେଳେ ୨୦୦୦-୦୧ ବେଳକୁ ତାହା ୧୩୫ କୋଟି ଟଙ୍କାକୁ ଟପିଥିଲା । କ୍ରମାଗତ ଭାବେ ଏହା ବୃଦ୍ଧି ପାଇ ଚଳିତବର୍ଷ ରାଜ୍ୟର ଅବକାରୀ ରାଜସ୍ୱ ପରିମାଣ ୮୬୮୦କୋଟି ଟଙ୍କା ହୋଇପାରେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଚଳିତବର୍ଷର ବଜେଟ୍ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ରହିଛି ।
ସରକାରୀ ହିସାବ ମୁତାବକ ୨୦୧୨ ମସିହା ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୩୭୯କୋଟି ୯୧ଲକ୍ଷ ଟଙ୍କା ଥିବାବେଳେ ୨୦୨୨-୨୩ ବେଳକୁ ଏହା ବୃଦ୍ଧି ପାଇ ୬୪୫୫କୋଟି ଟଙ୍କା ହୋଇଥିଲା । ୨୦୨୩-୨୪ ବର୍ଷରେ ଓଡିଶା ସରକାରଙ୍କ ଅବକାରୀ ରାଜସ୍ୱ ପରିମାଣ ଥିଲା ପ୍ରାୟ ୭୨୧୭ କୋଟି ଟଙ୍କାର ।
୨୦୦୦-୦୧ ବର୍ଷରେ ରାଜ୍ୟରେ ବିକ୍ରି ଓ ଉଠାଣ ପାଇଁ ୫୮ଲକ୍ଷ ୬୮ହଜାର ଲିଟର ବିଦେଶୀ ମଦ ସରକାରୀ ସଂସ୍ଥାମାନଙ୍କ ଜରିଆରେ କାରବାର ହୋଇଥିବାବେଳେ ଏହି ବର୍ଷରେ ପ୍ରାୟ ୧କୋଟି ୪୨ଲକ୍ଷ ଲିଟର ବିୟର ବେପାର ହୋଇଥିଲା । ତେବେ ୨୦୧୪-୧୫ ବର୍ଷରେ ଓଡିଶାରେ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ୩କୋଟି ୨୭ଲକ୍ଷ ଲିଟର ଭାରତ ତିଆରି ବିଦେଶୀମଦ, ୫କୋଟି ୬୪ଲକ୍ଷ ଲିଟର ବିୟର, ପ୍ରାୟ ୭୩ଲକ୍ଷ ଲିଟର ଦେଶୀ ମଦ ଓ ୩ କୋଟି ୬୮ଲକ୍ଷ ଲିଟର ମହୁଲି ମଦ କାରବାର ହୋଇଥିଲା । ଏହାବାଦ୍ ହାଣ୍ଡିଆ, ଚାଉଳି ଭଳି ଅନ୍ୟ ବିଭିନ୍ନ କିସମର ମଦ ବି ରାଜ୍ୟରେ କାରବାର ହୋଇଛି ।
ଜାତୀୟ ସ୍ୱାସ୍ଥ୍ୟ ସର୍ଭେ ଓ ଅନ୍ୟାନ୍ୟ ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ନିଶାଡିଙ୍କ ହାର ଜାତୀୟ ସ୍ତରଠାରୁ ଢେର ଅଧିକ ରହୁଛି । ରାଜ୍ୟ ସରକାର ନିଶା ନିୟନ୍ତ୍ରଣ ପାଇଁ କହୁଥିବାବେଳେ କିନ୍ତୁ ମଦଦୋକାନଗୁଡିକର ସର୍ବନିମ୍ନ ଉଠାଣ ଗ୍ୟାରେଣ୍ଟି କୋଟା ବଢିବାରେ ଲାଗିଛି । ଏହାଛଡା ନକଲି ମଦ ଓ ଚୋରା ମଦର ବି ବଡ ବଜାର ଓଡିଶାରେ ଚାଲିଛି ।
ଗୋଟିଏ ପଟେ ନିଶା ନିବାରଣ ପାଇଁ ଦାବି ଜୋର ହେଉଥିବାବେଳେ ଅନ୍ୟପଟେ ସରକାରଙ୍କ ପକ୍ଷରୁ ପ୍ରାୟ ୩୦ବର୍ଷ ଧରି ଲଗାତାର ଭାବେ କୁହାଯାଉଛି ଯେ ମଦୁଆମାନଙ୍କ ଚାହିଦା ପୂରଣ ପାଇଁ ସରକାର ସେମାନଙ୍କୁ ବିଶୁଦ୍ଧ ମଦ ଯୋଗାଉଛନ୍ତି । ସମ୍ପୂର୍ଣ୍ଣ ନିଶା ନିବାରଣ କରାଗଲେ ଚୋରା ନିଶା ବଢିବ ଓ ମଦୁଆମାନେ ଚୋରା ମଦ ପିଇ ମଦମୃତ୍ୟୁ ଦୁର୍ଘଟଣା ବଢାଇବାର ଆଶଙ୍କା ରହିଛି ବୋଲି କେହି କେହି ମଧ୍ୟ ଯୁକ୍ତି କରୁଛନ୍ତି ।
ଅନ୍ୟ ପକ୍ଷରେ ମଦମୁକ୍ତି ଆନ୍ଦୋଳନ ସହ ଜଡିତ ସମାଜସେବୀମାନେ କହୁଛନ୍ତି ଯେ ଏଭଳି ଯୁକ୍ତି ବାସ୍ତବରେ ଅପରାଧି ଓ ଚୋରା ମଦବେପାରୀମାନଙ୍କ ନିକଟରେ ପ୍ରଶାସନକଳର ଆତ୍ମସମର୍ପଣ ସଦୃଶ । କୌଣସି ଅଞ୍ଚଳରେ ଅପରାଧ ବଢିଲେ ସରକାର ଅପରାଧକୁ ଦମନ କରନ୍ତି, କିନ୍ତୁ ଅପରାଧ ଘଟାଇବାପାଇଁ ଅପରାଧିଙ୍କୁ ଲାଇସେନ୍ସ ଦିଅନ୍ତି ନାହିଁ । ଗତ ୨୫ବର୍ଷ ଭିତରେ ଓଡିଶାରେ ମଦ, ଗଞ୍ଜେଇ, ବ୍ରାଉନସୁଗାର, କଫସିରପ ସମେତ ବିଭିନ୍ନ କିସମର ନିଶା କାରବାର ଅନ୍ୟୁନ ୪୦ଗୁଣ ବଢିବା ରାଜ୍ୟ ପାଇଁ ଚିନ୍ତାଜନକବୋଲି ସାମାଜିକ କର୍ମୀମାନେ କହୁଛନ୍ତି । (ତଥ୍ୟ)