ଭୁବନେଶ୍ୱର : ପଚିଶ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ପ୍ରାୟ ୬୪ଗୁଣ ବଢିଛି । ଏବେ ମାସକୁ ମାସ ଯେପରି ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ବୃଦ୍ଧି ପାଉଛି ସେଥିରୁ ଆଗାମୀ ଦିନରେ ଏହି ଅଭିବୃଦ୍ଧି ହାର ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି ।
ସରକାରୀ ତଥ୍ୟ ମୁତାବକ ୨୦୦୦-୦୧ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ୩୫ଲକ୍ଷ ଟଙ୍କା ଥିଲା । ୨୦୨୩-୨୪ ବର୍ଷରେ ଏହା ବଢି ବଢି ୭୨୧୬ କୋଟି ୯୯ଲକ୍ଷ ଟଙ୍କାରେ ପହଞ୍ଚି ଥିବାବେଳେ ସଦ୍ୟ ସମାପ୍ତ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୮୬୮୦ କୋଟି ଟଙ୍କା ହେବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ ।
୨୦୨୪-୨୫ ଆର୍ଥିକ ବର୍ଷର ଜୁନ୍ ମାସଠାରୁ ଫେବୃୟାରୀ ସୁଦ୍ଧା ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଓ ଅଣଟିକସ ସଂଗ୍ରହ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ୨୦୨୪ ଜୁନ୍ ମାସରେ ଓଡିଶା ସରକାରଙ୍କ ଟିକସ ଓ ଅଣଟିକସ ବାବଦ ନିଜସ୍ୱ ରାଜସ୍ୱ ପରିମାଣ ୯୧୧୦.୧୪ କୋଟି ଟଙ୍କା ଥିବାବେଳେ ତାହା ଜୁଲାଇ ମାସରେ ତାହା ୯୦୩୭.୪୩ କୋଟି, ଅଗଷ୍ଟ ମାସରେ ୭୬୫୬.୭୧କୋଟି, ସେପ୍ଟେମ୍ବରରେ ୭୫୨୪.୧୯ କୋଟି ଟଙ୍କା ଥିଲା ।
ଅକ୍ଟୋବର ୨୦୨୪ରେ ରାଜ୍ୟ ସରକାରଙ୍କ ସଂଗୃହୀତ ରାଜସ୍ୱ ପରିମାଣ ୧୦,୭୧୫.୦୨ କୋଟି ଟଙ୍କା ହୋଇଥିବାବେଳେ ନଭେମ୍ବର ମାସରେ ତାହା ୭୭୪୫.୨୭ କୋଟି ଓ ଡିସେମ୍ବରରେ ୭୮୬୫.୪୧ କୋଟି ଟଙ୍କା ରହିଥିଲା । ୨୦୨୫ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କ ନିଜସ୍ୱ ରାଜସ୍ୱ ଆୟ ପରିମାଣ ୮୪୪୩.୪୨କୋଟି ଟଙ୍କା ଥିବାବେଳେ ଫେବୃୟାରୀ ମାସରେ ତାହା ୮୪୩୬.୭୭ କୋଟି ଟଙ୍କାକୁ ହ୍ରାସ ପାଇଥିଲା ।
ଏହି ତଥ୍ୟ ମୁତାବକ ଓଡିଶା ସରକାରଙ୍କ ରାଜ୍ୟ ଅବକାରୀ ରାଜସ୍ୱ ପରିମାଣ ୨୦୨୪ ଜୁନ୍ ମାସରେ ୫୭୩ କୋଟି ୯୬ଲକ୍ଷ ଟଙ୍କା ଥିବାବେଳେ ଜୁଲାଇ ମାସରେ ତାହା ୫୭୦କୋଟି ୮ଲକ୍ଷ, ଅଗଷ୍ଟ ମାସରେ ୬୧୦କୋଟି ୧୧ଲକ୍ଷ, ସେପ୍ଟେମ୍ବରରେ ୮୩୯କୋଟି ୫୮ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ତେବେ ଅକ୍ଟୋବର ମାସରେ ରାଜ୍ୟ ଅବକାରୀ ରାଜସ୍ୱ ପରିମାଣ ୫୮୩ କୋଟି ୫୧ଲକ୍ଷ ଟଙ୍କାକୁ ହ୍ରାସ ପାଇଥିବାବେଳେ ତାହା ନଭେମ୍ବରରେ ୬୪୦କୋଟି ୨ଲକ୍ଷ ଓ ଡିସେମ୍ବରରେ ୬୧୨କୋଟି ୭୩ଲକ୍ଷ ଟଙ୍କା ରହିଥିଲା । ଜାନୁୟାରୀ ୨୦୨୫ ରେ କିନ୍ତୁ ଓଡିଶା ସରକାରଙ୍କ ଅବକାରୀ ରାଜସ୍ୱ ପରିମାଣ ୬୨୭.୦୩ କୋଟି ଟଙ୍କା ଥିବାବେଳେ ଫେବୃୟାରୀରେ ତାହା ୮୨୯.୯୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।
ବିଭାଗୀୟ ଅଧିକାରୀମାନେ ଆଶା କରୁଛନ୍ତି ଯେ ୨୦୨୪-୨୫ ବର୍ଷ ପାଇଁ ଯେତେ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ଲାଗି ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ତାହା ହାସଲ ହୋଇପାରେ । ୨୦୨୫-୨୬ ବର୍ଷରେ ମଧ୍ୟ ଅବକାରୀ ରାଜସ୍ୱ ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଓଡିଶାରେ ଅବକାରୀ ରାଜସ୍ୱ ବୃଦ୍ଧି ସହ ତାଳଦେଇ ନିଶା କାରବାର ବଢି ଚାଲୁଛି । ସରକାରୀ ଲାଇସେନ୍ସପ୍ରାପ୍ତ ନିଶା ଦୋକାନଗୁଡିକରୁ ରାଜ୍ୟ ସରକାର ଅବକାରୀ ରାଜସ୍ୱ ପାଉଥିବାବେଳେ ଏହା ବୃଦ୍ଧି କରିବାରେ ମିନିମମ ଗ୍ୟାରେଣ୍ଟି କ୍ୱାଣ୍ଟିଟି (ଏମଜିକ୍ୟୁ) ବିଶେଷ ସହାୟକ ହେଉଛି । ବହୁ କ୍ଷେତ୍ରରେ ଯେଉଁ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ଏମଜିକ୍ୟୁରେ ପାଇଥିବା ମଦ ବିକି ପାରୁନାହାନ୍ତି ସେମାନେ ତାହାକୁ କୋଚିଆ ନେଟୱାର୍କ ମାଧ୍ୟମରେ ଖଲାସ କରୁଥିବା ଅଭିଯୋଗ ହେଉଛି । ଏହାଛଡା ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ଚୋରା ନିଶା କାରବାର ବି ହୁ ହୁ ହୋଇ ବଢିବାରେ ଲାଗିଛି । (ତଥ୍ୟ)