Home Excise ଅବକାରୀ ବିଭାଗର ରେକର୍ଡ ମାମଲା ରୁଜୁ

ଅବକାରୀ ବିଭାଗର ରେକର୍ଡ ମାମଲା ରୁଜୁ

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଚଳିତ ଡିସେମ୍ବର ୬ ତାରିଖଠାରୁ ୧୨ତାରିଖ ପର୍ଯ୍ୟନ୍ତ ନକଲିମଦ, ଗଞ୍ଜେଇ, ହେରୋଇନ ଚୋରା କାରବାର ବିରୋଧରେ ଚଳାଯାଇଥିବା ଏକ ସ୍ୱତନ୍ତ୍ର ଚଢାଉ ଅଭିଯାନରେ ରେକର୍ଡ ସଂଖ୍ୟକ ମାମଲା ରୁଜୁ କରାଯାଇଅଛି । ଏହି ଚଢଉରେ ସମୁଦାୟ ୨୨୨ଗୋଟି ମାମଲା ରୁଜୁ କରାଯାଇଥିବାବେଳେ ୨୩୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି ।

ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଚଳାଯାଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ୮୦ଲିଟର ନକଲି ଦେଶୀ ମଦ, ୩୧୧ଲିଟର ଅପମିଶ୍ରିତ ମଦ, ୧୮୪୧ଲିଟର ନକଲି ବିଦେଶୀମଦ, ୨୪୧ଲିଟର ଟିକସ ଫାଙ୍କି ବିଦେଶୀମଦ, ୩୧ଲିଟର ସ୍ପିରିଟ୍‌, ୭୦ଲିଟର କଫ ସିରପ, ୭୮୬.୬୪କେଜି ଗଞ୍ଜେଇ, ୨୧୯୭ଗ୍ରାମ ହେରୋଇନ୍ ଓ ୩୨ଗୋଟି ଯାନବାହାନ ଜବତ ହୋଇଅଛି । ଏହାର ଆନୁମାନିକ ମୂଲ୍ୟ ୩.୫୭କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।

ପ୍ରକାଶଥାଉ କି ଚଳିତ ବର୍ଷ ନଭେମ୍ବର ମାସ ସୁଧା ଏନ୍‌ଡିପିଏସ୍‌. ଆଇନ୍‍ ବଳରେ ୧୧୪୧ଗୋଟି ମୋକଦ୍ଦମା ରୁଜୁ ହୋଇଥିଲାବେଳେ ୧୩୦୪ଜଣଙ୍କୁ ଗିରଫ କରାଯାଇଅଛି । ଗତବର୍ଷ ଏହି ସମୟରେ ୪୬୬ଗୋଟି ମୋକଦ୍ଦମା ରୁଜୁ ହୋଇଥିଲାବେଳେ ୫୪୮ଜଣଙ୍କୁ ଗିରଫ କରାଯାଇଥିଲା ।

ଚଳିତବର୍ଷ ୨୭,୪୭୧କେଜି ଗଞ୍ଜେଇ, ୨୨,୧୪୯ଗ୍ରାମ ହେରୋଇନ୍‌, ୬୩୩ଲିଟର କଫସିରପ ଜବତ ହୋଇଥିବାବେଳେ ଜବତ ସାମଗ୍ରିର ଆନୂମାନିକ ମୂଲ୍ୟ ୪୯.୭୦ କୋଟି ଟଙ୍କା ଆକଳନ ହୋଇଛି । ସେହିଭଳି ଗତବର୍ଷ ଏହି ସମୟରେ ୧୮,୨୬୪କେଜି ଗଞ୍ଜେଇ, ୯୪୮୪ଗ୍ରାମ ହେରୋଇନ୍‌, ୫୧୮ଲିଟର କଫସିରପ ଜବତ କରାଯାଇଥିଲା ଓ ଜବତ ସାମଗ୍ରିର ଆନୂମାନିକ ମୂଲ୍ୟ ୨୭.୮୪ କୋଟି ଟଙ୍କା ଥିଲା । ବିଗତବର୍ଷ ତୁଳନାରେ ଚଳିତ ବର୍ଷ ୧୪୫% ଅଧିକ ମୋକୋଦ୍ଦମା ରୁଜୁ କରାଯାଇଅଛି ।