ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ପୁଳା ପୁଳା ଗଞ୍ଜେଇ ଠାରୁ ଆରମ୍ଭ କରି ବ୍ରାଉନସୁଗାର, ଅଫିମ ଓ ଚୋରା ମଦ ଆଦି ଧରାପଡୁଥିବାରୁ ଏଥିରୁ ରାଜ୍ୟରେ ନିଶା କାରବାର ବଢୁଥିବା ସ୍ପଷ୍ଟ ହେଉଛି । ତେବେ ନିଶା କାରବାରକୁ ନିୟନ୍ତ୍ରଣ ପାଇଁ ଥିବା ଅବକାରୀ ବିଭାଗରେ ଶହ ଶହ ପଦବୀ ଖାଲି ପଡିଥିବାରୁ ନିଶା ବେପାରୀଙ୍କ ବିରୁଦ୍ଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହେବାକଥା ତାହା ହୋଇପାରୁ ନାହିଁ ।
ଅବକାରୀ ବିଭାଗର ରାଜ୍ୟ କ୍ୟାଡରରେ ଏକାଧିକ ପଦବୀ ଖାଲିପଡିଛି । ଯୁଗ୍ମ କମିଶନର ପଦବୀ ଠାରୁ ଆରମ୍ଭ କରି କିରାଣୀ ପର୍ଯ୍ୟନ୍ତ ବହୁ ପଦବୀ ପୂରଣ ହୋଇପାରୁ ନାହିଁ । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ କ୍ୟାଡରରେ ଥିବା ମୋଟ୍ ୪ଟି ଯୁଗ୍ମ କମିଶନର ଖାଲି ପଡିଥିବାବେଳେ ୩ଟି ଅବକାରୀ ଉପକମିଶନର ପଦବୀରୁ ଗୋଟିଏ ଖାଲି ପଡିଥିଲା । ସେହିଭଳି ୩୧ଟି ଅବକାରୀ ସୁପରିଟେଣ୍ଡଣ୍ଟ ପଦବୀରୁ ୧୨ଟି ଖାଲିଥିବାବେଳେ ୨୪୦ ସବଇନ୍ସପେକ୍ଟର ପଦବୀରୁ ୮୩ଟି ପୂରଣ ହୋଇପାରି ନଥିଲା ।
ରାଜ୍ୟ କ୍ୟାଡରରେ ଥିବା ୧୨୦ ଅବକାରୀ କନେଷ୍ଟବଳ ପଦବୀ ମଧ୍ୟରୁ ୪୬ଟି ଖାଲି ପଡିଥିବାବେଳେ ୩୧ଟି ହେଡ କ୍ଲର୍କ ପଦବୀ ମଧ୍ୟରୁ ୧୧ଟି, ୧୯ଟି ବରିଷ୍ଠ କିରାଣୀ ମଧ୍ୟରୁ ୭ଟି ଓ ୪୫ଟି କନିଷ୍ଠ କିରାଣୀ ମଧ୍ୟରୁ ୨୧ଟି ଖାଲି ପଡିଛି ।
ସେହିଭଳି ଜିଲ୍ଲା କ୍ୟାଡରରେ ଥିବା ୨୬୨ଟି ଅବକାରୀ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ପଦବୀ ମଧ୍ୟରୁ ୨୯ଟି ଖାଲି ପଡିଥିବାବେଳେ ୧୦୭୮ ଅବକାରୀ କନେଷ୍ଟବଳ ପଦବୀ ମଧ୍ୟରୁ ୩ଶହରୁ ଅଧିକ ଖାଲି ପଡିଛି । କେବଳ ପଦବୀ ଖାଲି ନୁହେଁ, ଅଧିକାରୀ ଜିଲ୍ଲାରେ ଅବକାରୀ ପୁଲିସ୍ର ଦପ୍ତର ଚଳାଇବା ପାଇଁ ନିଜସ୍ୱ ଘରଟିଏ ନାହିଁ । ତେଣୁ ଏଭଳି ସ୍ଥିତିରେ ନିଶା ସାମଗ୍ରୀ, ନିଶା ବେପାରୀ ଆଦିଙ୍କୁ ଧରିବା ସେତେଟା ସହଜ ହେଉନାହିଁ ।
ସେହିଭଳି ରାଜ୍ୟରୁ ଗଞ୍ଜେଇ ଚାଲାଣ ଦିନକୁ ଦିନ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅବକାରୀ ପୁଲିସ୍ ପାଇଁ ଏକ ଆହ୍ୱାନ ହୋଇଥିବାବେଳେ କର୍ମଚାରୀ ଅଭାବରୁ ଯେଭଳି ଭାବେ ପଦକ୍ଷେପ ନେବାକଥା ତାହା ହୋଇପାରୁ ନଥିବା ଲକ୍ଷ୍ୟ କରାଯାଉଛି । ସେହିଭଳି ନିଶା କାରବାର ଏବେ ଗାଁ ଗହଳକୁ ବ୍ୟାପୁଥିବାରୁ ଜିଲ୍ଲା କ୍ୟାଡରରେ ଅବକାରୀ ପୁଲିଙ୍କ ଅଭାବ ନିଶା ବେପାରୀଙ୍କୁ ବେଶ୍ ସୁହାଇଛି ।
ନିଶା କାରବାର ବିରୁଦ୍ଧରେ ଏବେ ଅବକାରୀ ପୁଲିସ୍ଙ୍କ ଅପେକ୍ଷା ସାଧାରଣ ପୁଲିସ୍ ଅଧିକ ସକ୍ରିୟ ହେଉଥିବାରୁ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳର କୋଟି କୋଟି ଟଙ୍କାର ବ୍ରାଉନସୁଗାର, ଅଫିମ ଆଦି ଜବତ ହେଉଛି । ତେବେ ପୁଲିସ୍ ଉପରେ ଆଇନ୍ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟଚାପ ରହୁଥିବାବେଳେ ଅବକାରୀ ପୁଲିସଙ୍କର ଅଭାବ ଏବେ ଗାଁ ଗହଳରେ ନିଜର ଜାଲ ବିଛାଉଥିବା ନିଶା ବେପାରୀଙ୍କୁ ବେଶ୍ ସୁହାଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)