ଭୁବନେଶ୍ୱର : ରାଜ୍ୟରେ ନିଶା କାରବାର ବୃଦ୍ଧି ସହିତ ନିଶାଡିଙ୍କ ଉତ୍ପାତ ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ସହ ଅପରାଧ, ଦୁର୍ଘଟଣା, ରୋଗବ୍ୟାଧି ଆଦି ବଢୁଥିବାବେଳେ ନିଶା ନିୟନ୍ତ୍ରଣ ପାଇଁ ଅବକାରୀ ବିଭାଗର କ୍ଷେତ୍ର ଦପ୍ତର ଗୁଡିକରେ ବ୍ୟାପକ ସଂଖ୍ୟକ ପଦପଦବୀ ଖାଲି ପଡିଛି ।
ସରକାରୀ ତଥ୍ୟ ମୁତାବକ ଅବକାରୀ ବିଭାଗ ଅଧିନରେ ବିଭାଗୀୟ ମୁଖ୍ୟ ଦପ୍ତର ଭାବେ ଜଣେ ଅବକାରୀ ଆୟୁକ୍ତ ଥିବାବେଳେ ତାଙ୍କ ଅଧିନରେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ତିନୋଟି ଡିଭିଜନ୍ରେ ୩ଜଣ ଡେପୁଟି କମିଶନର କାର୍ଯ୍ୟ କରିଥାନ୍ତି । କ୍ଷେତ୍ର ଦପ୍ତରଗୁଡିକ ପାଇଁ ୪୭ଟି ମଞ୍ଜୁରୀ ପ୍ରାପ୍ତ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଥିବାବେଳେ ସେଥିରୁ ୩୦ଟି ଖାଲି । ଅଧିକାଂଶ ଜିଲ୍ଲାରେ କାମ ଚଳାଯାଉଛି ଭାରପ୍ରାପ୍ତ ବ୍ୟବସ୍ଥା ମାଧ୍ୟମରେ । ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପାହ୍ୟାରେ ମଧ୍ୟ ୨୯ଟି ପଦବୀ ଖାଲି ପଡିଛି ।
ଧରପଗଡ କ୍ଷେତ୍ରରେ ଅବକାରୀ ଇନ୍ସପେକ୍ଟରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଏହି ପଦବୀରୁ ୭୮ଟି ମଧ୍ୟ ଖାଲି ପଡିଥିବା ବିଧାନସଭାରେ ସଦ୍ୟ ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ପର୍ଯ୍ୟବେଶିତ ତଥ୍ୟରୁ ଜଣାପଡୁଛି । ଏହାଛଡା ୨୮ଟି ଏସ୍ଆଇ ଓ ୧୧୧ଟି ଏଏସ୍ଆଇ ପଦବୀ ମଧ୍ୟ ଅବକାରୀ କ୍ଷେତ୍ର ଦପ୍ତରଗୁଡିକରେ ଖାଲି ରହିଛି । ଏହାଛଡା ୪୦୪ଟି ଅବକାରୀ କନେଷ୍ଟବଳ ପଦବୀ ମଧ୍ୟ ପୂରଣ ହୋଇପାରିନାହିଁ ।
ଦପ୍ତର ଚଳାଇବା ପାଇଁ ୩୬ଜଣ ସେକ୍ସନ ଅଫିସରଙ୍କର ଆବଶ୍ୟକତା ଥିବାବେଳେ ସେଥିରୁ ୨୦ଟି ଖାଲି ପଡିଛି । ଏହାଛଡା କ୍ଷେତ୍ର ଦପ୍ତର ଗୁଡିକ ଲାଗିଥିବା ୩୬ଟି ବରିଷ୍ଠ ସହାୟକ ଓ ୪୫ଟି କନିଷ୍ଠ ସହାୟତ ପଦବୀ ମଧ୍ୟରୁ ୪୪ଟି ବି ଖାଲି ପଡିଛି । କ୍ଷେତ୍ର ଦପ୍ତର ଗୁଡିକରେ ଧରପଗଡ ଲାଗି ଗାଡି ଚଳାଇବା ପାଇଁ ପର୍ଯ୍ୟାପ୍ତସଂଖ୍ୟକ ଡ୍ରାଇଭର ନଥିବାରୁ ଭଡ଼ାଗାଡି ଉପରେ ଭରସା । କ୍ଷେତ୍ର ଦପ୍ତରଗୁଡିକ ଲାଗି ୩୦ଟି ମଞ୍ଜୁରୀପ୍ରାପ୍ତ ଡ୍ରାଇଭର ଥିବାବେଳେ ସେଥିରୁ ୨୦ଟି ଖାଲି ରହିଛି । ଏହାଛଡା ୯ଟି ପିଅନ ପଦବୀ ମଧ୍ୟରୁ ୬ଟି ମଧ୍ୟ ପୂରଣ ହୋଇପାରୁନାହିଁ । ୧୭ଟି ଚୌକିଦାର ପଦବୀରୁ ୭ଟି ବି ଖାଲି ଅଛି ।
ଏହି ଦପ୍ତରଗୁଡିକ ଲାଗି ଯେତେସଂଖ୍ୟକ ରାତ୍ରୀ ଜଗୁଆଳି ଓ ଝାଡୁଦାର ରହିବା କଥା ସେଥିରୁ ସମସ୍ତ ପଦବୀ ଖାଲି ପଡିଛି । ତେବେ ଷ୍ଟାଣ୍ଡିଂ କମିଟି ରିପୋର୍ଟର ପ୍ରଦତ୍ତ ତଥ୍ୟ ଅନୁଯାୟୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପାହ୍ୟାର ୨୮ଟି ପଦବୀ ପୂରଣ ପାଇଁ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ୨୦ଟି କନିଷ୍ଠ କିରାଣି ପଦବୀରେ ନିଯୁକ୍ତି ଲାଗି ମଧ୍ୟ ସବ୍ଅର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଦବୀ ଗୁଡିକ ପୁରଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ ଲାଗି ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖନୀୟ ଯେ, ଚରସ, ହେରୋଇନ୍, ବ୍ରାଉନ୍ସୁଗର, ଗଞ୍ଜେଇ, ମଦ, ନିଶାଯୁକ୍ତ କଫ୍ସିରପ୍, ନିଶା ଔଷଧ ଆଦିର ଖୋଲା ଓ ଚୋରା କାରବାର ଯୋଗୁ ଜନଜୀବନ ଏକପ୍ରକାର ଦୁର୍ବିସହ ହୋଇପଡୁଥିବାବେଳେ ପ୍ରାୟ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଚୋରା ନିଶା ସାମଗ୍ରୀ ପୋଲିସ, ଅବକାରୀ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥାମାନେ ଜବତ କରୁଛନ୍ତି । ଅବକାରୀ ମାମଲା ସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ବି ବର୍ଷକୁ ବର୍ଷ ବଢୁଛି ।
ଅଥଚ ଅବକାରୀ ମାମଲାରେ ଫଇସଲା ଓ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ରହୁଥିବାରୁ ଚୋରା ନିଶାବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବଢାଇ ଚାଲୁଛନ୍ତି । ବର୍ଷକ ଭିତରେ ଏନ୍ଡିପିଏସ୍ ଆଇନ ଆଧାରରେ ଓଡିଶାରେ ୨୭କିଲୋରୁ ଅଧିକ ବ୍ରାଉନ୍ସୁଗର ଓ ପ୍ରାୟ ୩୦୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।
ବର୍ଷକ ଭିତରେ ପାଖାପାଖି ୧୫ହଜାର ଏକର ଜମିରୁ ପ୍ରାୟ ୧କୋଟି ୭୦ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନିଶାବେପାର ରାସ୍ତାଘାଟରେ ଖୋଲାଖୋଲି ଭାବେ ଜମୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଅବକାରୀ କର୍ମଚାରୀ ନଥିବାରୁ ଅବସ୍ଥା ବିଗୁଡୁଥିବା ଘେନି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି । (ତଥ୍ୟ)