Home General ଅବକାରୀ ବିଭାଗକୁ ସ୍ୱର୍ଣ୍ଣ ପୁରସ୍କାର

ଅବକାରୀ ବିଭାଗକୁ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ୱର : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ ରାଜ୍ୟ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରଷ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହାନି, ଅବକାରୀ କମିଶନର ଶ୍ରୀ ଅଶିଷ କୁମାର ସିଂହ ଗ୍ରହଣ କରିଛନ୍ତି ।

ପୁରସ୍କାର ପ୍ରଦାନ ସମାରୋହରେ ଅତିରିକ୍ତ ଅବକାରୀ କମିଶନର ଶ୍ରୀ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ଏନ୍‍ଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ ଯେ ଓଡିଶା ସରକାରଙ୍କର ୫ଟି ସୂତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ଏନ୍‍ଆଇସି ସହାୟତାରେ ୩୦ ରୁ ଅଧିକ ଅନଲାଇନ୍ ପରିମାପକର କାର୍ଯ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସମୟ ରହିତ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଯୋଗାଇ ଆସୁଅଛି । ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଛି ।

ଉଲ୍ଲେଖ କରାଯାଇପାରେ ଯେ ଅବକାରୀ ବିଭାଗର ଦୃଢ ପଦକ୍ଷେପ ଯୋଗୁଁ ୨୦୨୧-୨୨ ବର୍ଷରେ ୨୯୦୩୮ ଗୋଟି ଅବକାରୀ ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ୨୦୨୨-୨୩ ବର୍ଷରେ ୪୫୫୪୧ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୫୬% ଅଧିକ । ସେହିଭଳି ୨୦୨୧-୨୨ ବର୍ଷରେ ଏନ୍‌.ଡି.ପି.ଏସ୍‌. ଆଇନ୍‌ରେ ୫୭୫ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ୨୦୨୨-୨୩ ବର୍ଷରେ ୧୩୧୦ ଗୋଟି ମକୋଦ୍ଦମା ରୁଜୁ କରାଯାଇଅଛି, ଯାହା କି ୧୨୭% ଅଧିକ ।

୨୦୨୨-୨୩ ଡିସେମ୍ବର ଶେଷସୁଦ୍ଧା ଅବକାରୀ ରାଜସ୍ୱ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ୨୦୨୧-୨୨ରେ ଏହି ସମୟରେ ୫୦୨୩.୯୨ କୋଟି ହୋଇଥିଲା ଯାହା କି ପୂର୍ବବର୍ଷ ତୁଳନାରେ ୨୩.୩୬% ଅଧିକ ରହିଛି । ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର ୫ଟି ସୁତ୍ର ଅନୁସାରେ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେଇ ବିଭାଗରେ ବ୍ୟାପକ ପରିବର୍ତନ କରାଯିବା ସହିତ ଏହାକୁ ଅଧିକ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉଛି ।