ଭୁବନେଶ୍ୱର : ନୂଆ ଅବକାରୀ ନୀତି ପ୍ରଣୟନ ପାଇଁ ଓଡିଶା ସରକାର ଗୁଜୁରାଟ ଓ ବିହାର ମଡେଲକୁ ଅନୁସରଣ କରିବାଲାଗି ଓଡିଶା ମଦମୁକ୍ତି ଅଭିଯାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟର ବିଭିନ୍ନ ଯୋଜନାରେ ଗୁଜୁରାଟ ମଡେଲକୁ ଅନୁସରଣ କରାଯାଉଥିବାବେଳେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ମଧ୍ୟ ଏହି ରାଜ୍ୟର ବ୍ୟବସ୍ଥାକୁ ଓଡିଶା ସରକାର ଆପଣେଇବା ଆବଶ୍ୟକ ।
ଏଠାରେ ଉଲ୍ଲେଖନୀୟ ଯେ ଉଭୟ ଗୁଜୁରାଟ ଓ ବିହାରରେ ଏନ୍ଡିଏ ସରକାର ରହିଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପୂର୍ବରୁ ପ୍ରଚଳିତ ନିଶା ନିବାରଣ ବ୍ୟବସ୍ଥାକୁ ମଧ୍ୟ କଡାକଡି ଭାବେ ପାଳନ କରାଇଥିଲେ । ନୀତିଶ କୁମାର ଏନଡିଏର ସହଯୋଗୀ ଭାବେ ବିହାରରେ ନିଶା ନିବାରଣ ଲାଗୁ କରି ବେଶ୍ ଜନପ୍ରିୟତା ହାସଲ କରିଛନ୍ତି । ଉଭୟ ଗୁଜୁରାଟ ଓ ବିହାରରେ ମହିଳାଙ୍କ ଭୋଟ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସପକ୍ଷରେ ଯିବାର ପ୍ରମୁଖ କାରଣ ହେଉଛି ନିଶା ନିବାରଣ ।
ଓଡିଶା ସରକାର ତାଙ୍କର ବିଭିନ୍ନ ପ୍ରଚାର ସାମଗ୍ରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଏହାଛଡା ବିଜେପି ନେତାମାନେ ଶ୍ରୀ ମୋଦୀଙ୍କୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଭାବେ ସମ୍ବୋଧନ କରନ୍ତି । ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ଗୁଜୁରାଟରେ ନିଶା ନିବାରଣକୁ ପୂର୍ଣ୍ଣ ସମର୍ଥନ ଦେଇ କଡାକଡି ଭାବେ ତାହା ଲାଗୁ କରିଥିବାବେଳେ ଓଡିଶାର ବିଜେପି ସରକାର ତାହାର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ଗୁଜୁରାଟ ମଡେଲକୁ ଆପଣେଇ ଏଠାରେ ବି ସମ୍ପୂର୍ଣ୍ଣ ନିଶା ନିବାରଣ ସହିତ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରଣୟନ କରାଯାଇଥିବା ଓଡିଶା ନିଶା ନିବାରଣ ଆଇନ୍କୁ କଡାକଡି ଭାବେ ସଂଶୋଧନ ସହ ଲାଗୁ କରିବାକୁ ଓଡିଶା ମଦବୁକ୍ତି ଅଭିଯାନ ଦାବି କରିଛି ।
ଅଭିଯାନର ଅନ୍ୟତମ ଉପଦ୍ଦେଷ୍ଟା ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନବେଳେ ଓଡିଶା ଶାଖା ବିଜେପି ଯେଉଁ ସଙ୍କଳ୍ପପତ୍ର ଜାରି କରିଥିଲା ସେଥିରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମ୍ବିଧାନର ୪୭ ଧାରାର ଘୋଷଣା ମୁତାବକ ଓଡିଶାକୁ ନିଶାମୁକ୍ତ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲା । ଅବଶ୍ୟ ଶାସନ କ୍ଷମତାକୁ ଆସିବାର ବର୍ଷକ ଭିତରେ ଚୋରା ନିଶା ବିରୁଦ୍ଧରେ ଧରପଗଡ ଅଭିଯାନ ଜୋରଦାର ହୋଇଥିଲେ ମଧ୍ୟ ମଦ, ଗଞ୍ଜେଇ, ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀର ପ୍ରସାରଣ ବଢିଛି ।
କେବଳ ସେତିକି ନୁହେଁ ବିଜେଡି ସରକାର ସମୟରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୨୦୨୩-୨୪ ବର୍ଷରେ ଯାହା ଥିଲା ୨୦୨୫-୨୬ର ବଜେଟ୍ ଅଟକଳ ମୁତାବକ ତାହା ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଛି । ଓଡିଶାର ୩୦ଟି ଯାକ ଜିଲ୍ଲାରେ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ନିଶାମୁକ୍ତ ଭାରତ ଅଭିଯାନ ପାଇଁ ପ୍ରଚୁର ଅର୍ଥ ରାଜ୍ୟ ସରକାରଙ୍କ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି । ନିଶାର ପ୍ରସାର ଯୋଗୁଁ ଯୁବ ଓ ଛାତ୍ର ସମାଜ ପଥଚ୍ୟୁତ ହେଉଥିବାବେଳେ ନାରୀ ଓ ଶିଶୁ ଓ ନିର୍ଯ୍ୟାତନା ବଢୁଛି । କେବଳ ସେତିକି ନୁହେଁ, ବିଭିନ୍ନ କିସମର ଅପରାଧ ସମେତ ରୋଗବ୍ୟାଧି, ଦୁର୍ଘଟଣା ଆଦି ମଧ୍ୟ ବଢି ବଢି ଚାଲିଛି । ବିଭିନ୍ନ ସାମାଜିକ ସୁରକ୍ଷା, ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଯେତେ ଅର୍ଥ ବ୍ୟୟ ହେଉଛି ନିଶା ଯୋଗୁଁ ତାହାର ସେତେ ସୁଫଳ ମିଳିପାରୁ ନାହିଁ । ଏ ପରିପ୍ରେକ୍ଷୀରେ ବିଗିଡା ବ୍ୟବସ୍ଥାକୁ ସଜାଡିବାପାଇଁ ଓଡିଶା ସରକାର ଗୁଜୁରାଟ ଓ ବିହାର ମଡେଲକୁ ଆପଣେଇ ଓଡିଶାରେ ତୁରନ୍ତ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ସହିତ ଚୋରା ନିଶା କାରବାର ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମଦମୁକ୍ତି ଅଭିଯାନ ପ୍ରସ୍ତାବ ଦେଇଛି । (ତଥ୍ୟ)