Home General ଅବକାରୀ ନୀତିକୁ ତୁରନ୍ତ ବଦଳାଅ

ଅବକାରୀ ନୀତିକୁ ତୁରନ୍ତ ବଦଳାଅ

ଭୁବନେଶ୍ୱର : ନିଶାଡିଙ୍କ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ରାଜ୍ୟରେ ନିଶା କାରବାର ବୃଦ୍ଧି ପାଇବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହାର ନିୟନ୍ତ୍ରଣ କରିବା ପରିବର୍ତ୍ତେ ସରକାର ରାଜ୍ୟର ମହାନଗର ଗୁଡିକରେ ବିଭିନ୍ନ ସପିଂମଲ୍‍ ଓ ବ୍ୟାବସାୟିକ ପେଣ୍ଠସ୍ଥଳୀରେ ପ୍ରିମିୟମ୍‍ ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହନ ଦେବାକୁ ଯେଉଁ ନୀତି ପ୍ରଣୟନ କରିଛନ୍ତି ତାହାକୁ ଓଡ଼ିଶା ମଦ ମୁକ୍ତି ଅଭିଯାନ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି ।

ନୂଆ ଅବକାରୀ ନୀତି ବିଦେଶ ତିଆରି ବିଦେଶୀ ମଦ ଓ ୱାଇନ୍‍ ଉପରୁ ସରକାର ଅବକାରୀ ଶୁଳ୍କ ହ୍ରାସ କରି କମ୍‍ ଦରରେ ଏହା ଯେଭଳି ମଦୁଆମାନଙ୍କ ନିକଟରେ ଉପଲବ୍ଧ ହେବ ସେଥିପାଇଁ ବାଟ ଖୋଲିଥିବା ଘଟଣାକୁ ବହୁ ମହିଳା ସଂଗଠନ ମଧ୍ୟ ବିରୋଧ କରୁଛନ୍ତି । ମଦ କମାଇବା ପରିବର୍ତ୍ତେ ମଦ ଦୋକାନରେ କିଭଳି ଅଧିକ ମଦ କାରବାର ହେବ ଏବଂ ସ୍ୱଳ୍ପ ପରିମାଣର ଆଲକହଲଯୁକ୍ତ ମଦ ପ୍ରସାରଣ କରି ନୂଆ ମଦୁଆ ସୃଷ୍ଟି କରାଯିବ ତାହା ସାଧାରଣ ଲୋକ, ଖଟିଖିଆ ବିଶେଷକରି ମହିଳା ଓ ଶିଶୁମାନଙ୍କ ସ୍ୱାର୍ଥ ଓ ନିରାପତ୍ତାର ପରିପନ୍ଥୀ ହେବ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଚେତାଇ ଦେଇଛି ।

ରାଜଧାନୀର ରାଜରାସ୍ତାରେ ଏବେ ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ଦୋକାନର ମଦ ହେଉ କିମ୍ବା କଳାବଜାରୀଙ୍କ ଅପମିଶ୍ରିତ ଚୋରା ମଦ ହେଉ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ରାଜଧାନୀରୁ ଗାଁ ଗହଳ ପର୍ଯ୍ୟନ୍ତ ଏବେ ମଦ ରାକ୍ଷସ ତାହାର କାୟା ମେଲାଇବା ସହିତ ଗଞ୍ଜେଇ, ଚରସ, ହେରୋଇନ, ବ୍ରାଉନସୁଗାର ଭଳି ନିଷିଦ୍ଧା ନିଶା ସାମଗ୍ରୀର ମଧ୍ୟ କାରବାର ବଢ଼ିଛି । ଏହାଛଡା ବିଭିନ୍ନ ପ୍ରକାରର ନିଶା ଔଷଧର ବି ଲଗାମଛଡା ପ୍ରସାରଣ ଘଟୁଛି । ଏଥିରେ ଯୁବ ଓ ଛାତ୍ର ସମାଜ ଏକ ପ୍ରକାର ପଙ୍ଗୁ ହୋଇଯାଉଥିବାରୁ ଦେଶର ଭବିଷ୍ୟତ ପାଇଁ ଏହା ଶୁଭ ସୂଚନା ନୁହେଁ ।

ଏ ପରିପ୍ରେକ୍ଷୀରେ ଓଡ଼ିଶା ମଦ ମୁକ୍ତି ଅଭିଯାନ ରାଜ୍ୟ ସରକାରଙ୍କୁ ତାଙ୍କ ଯୁବନୀତି ପ୍ରସଙ୍ଗରେ ମନେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଯୁବନୀତିର ନବମ ଅନୁଚ୍ଛେଦରେ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀର କୁପ୍ରଭାବ ସଂକ୍ରାନ୍ତରେ ସୂଚନା ଦିଆଯିବା ସହ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଯେଉଁ ଘୋଷଣା କରାଯାଇଥିଲା ତାହା କାର୍ଯ୍ୟକାରୀ କରାଯିବା ପରିବର୍ତ୍ତେ ଅବକାରୀ ବିଭାଗ ଅଧିକରୁ ଅଧିକ ବ୍ୟକ୍ତି ଓ ଗାଁକୁ ନିଶାଯୁକ୍ତ କରିବାରେ ଲାଗିଥିବା ଘେନି ଓଡ଼ିଶା ମଦମୁକ୍ତି ଅଭିଯାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତ କିଛିବର୍ଷ ଧରି ଓଡ଼ିଶାରେ ନିଶା କାରବାର ଉଦ୍‍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବି ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି । ସର୍ବସାଧାରଣ ସ୍ଥାନରେ ନିଶାପାନ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାର, ପାର୍କ ଓ ଅନ୍ୟାନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନରେ ମଧ୍ୟ ବିଭିନ୍ନ କସମର ନିଶା ସେବନ ଖୋଲାଖୋଲି ଭାବେ ଚାଲୁଛି । ନିଶା ପ୍ରସାରଣ ଯୋଗୁଁ ଅପରାଧ ବଢ଼ିବା ସଂଗେ ସଂଗେ ନାରୀ ଓ ଶିଶୁ ନିର୍ଯାତନା, ରୋଗବ୍ୟାଧି, ଅନଗ୍ରସରତା ଆଦି ମଧ୍ୟ ବଢ଼ୁଥିବା ଓଡ଼ିଶା ମଦ ମୁକ୍ତି ଅଭିଯାନ ଅଭିଯୋଗ କରିଛି ।

ଏହି ପ୍ରସଙ୍ଗକୁ ଆଖିଆଗରେ ରଖି ତୁରନ୍ତ ଓଡ଼ିଶା ଅବକାରୀ ନୀତିରେ ସଂଶୋଧନ ଅଣାଯାଇ ଉଭୟ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶାକୁ ରୋକାଯିବା ଏବଂ ଓଡ଼ିଶା ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର ଓଡ଼ିଶା ନିଶା ନିବାରଣ ଆଇନ,୧୯୫୬କୁ କଡାକଡି ଭାବେ ଲାଗୁ କରିବା ପାଇଁ ଓଡ଼ିଶା ମଦ ମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲ୍ଲାଦ ସିଂହ ଦାବି କରିଛନ୍ତି ।