Home Excise ଅବକାରୀ ଆୟ ୧୪ ହଜାର କୋଟି ଟପିପାରେ

ଅବକାରୀ ଆୟ ୧୪ ହଜାର କୋଟି ଟପିପାରେ

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୧୦୯୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଦ ଉପରେ ଲାଗୁଥିବା ଭାଟ୍‍ ସମେତ ଅନ୍ୟାନ୍ୟ ଟିକସକୁ ମିଶାଇଲେ ଏ ବାବଦରେ ରାଜକୋଷକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଆସିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ଓଡ଼ିଶା ସରକାର ଆସନ୍ତା ଆର୍ଥିକ ବର୍ଷରେ ୭୦ ହଜାର କୋଟି ଟଙ୍କାର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ କରିବା ଲାଗି ଯେଉଁ ଯୋଜନା ରଖିଛନ୍ତି ସେଥିରୁ ରାଜ୍ୟ ଜିଏସ୍‍ଟିରୁ ୨୯୫୦୦ କୋଟି ଓ ବିକ୍ରି କରରୁ ୧୬୦୦୦ କୋଟି ଟଙ୍କା ମିଳିବା ଲକ୍ଷ୍ୟ ରହିଛି । ଏହାପଛକୁ ତୃତୀୟ ସ୍ଥାନରେ ରହିଛି ସମ୍ଭାବ୍ୟ ଅବକାରୀ ରାଜସ୍ୱ । ଅବଶ୍ୟ ଆସନ୍ତା ଆର୍ôଥକ ବର୍ଷରେ ରାଜ୍ୟ ସରକାର ୭୧ ହଜାର କୋଟି ଟଙ୍କାର ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହ କରିବାର ଯେଉଁ ପରିକଳ୍ପନା କରିଛନ୍ତି ସେଥିରୁ ୫୩ ହଜାର କୋଟି ଟଙ୍କା ଖଣି ରୟାଲିଟିରୁ ଆସିବ ବୋଲି ଲକ୍ଷ୍ୟ ରହିଛି ।

ଓଡ଼ିଶାର ଅବକାରୀ ରାଜସ୍ୱ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଥିବାବେଳେ ୧୯୫୬ ମସିହାରେ ପ୍ରଣୟନ କରାଯାଇଥିବା ଓଡ଼ିଶା ନିଶା ନିବାରଣ ଆଇନ୍‍ କିନ୍ତୁ କାର୍ଯ୍ୟକାରୀ ହେଉନାହିଁ । ଏହି ଆଇନ୍‍ କାର୍ଯ୍ୟକାରୀ ହେଲେ ଅବକାରୀ ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ଥିବାରୁ ବିଭିନ୍ନ ରାଜନୈତିକ ଦଳ ନିଶାମୁକ୍ତ ଓଡ଼ିଶା କଥା କହୁଥିବାବେଳେ ସରକାରକୁ ଆସିବା ପରେ କିନ୍ତୁ ନିଶା ପ୍ରସାରଣରେ ମାତୁଛନ୍ତି ।

୧୯୯୦ ବେଳକୁ ଓଡ଼ିଶାର ଅବକାରୀ ରାଜସ୍ୱ ପ୍ରାୟ ୩୬ କୋଟି ଟଙ୍କା ଥିବାବେଳେ ୧୯୯୫-୯୬ ବେଳକୁ ତାହା ବୃଦ୍ଧି ପାଇ ୮୦ କୋଟିରେ ପହଞ୍ôଚଥିଲା । ୨୦୦୦-୦୧ରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ଥିବାବେଳେ ୨୦୨୩-୨୪ରେ ତାହା ୭୨୧୫ କୋଟି ଟଙ୍କାରେ ପହଞ୍ôଚଥିଲା । ୨୦୨୫-୨୬ ଲାଗି ଅବକାରୀରୁ ୯୭୫୪ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ଟପିଯାଇପାରେ । ତେବେ ୨୦୨୬-୨୭ ଆର୍ôଥକ ବର୍ଷ ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ମଧ୍ୟ ବଳକା ହୋଇପାରେ ବୋଲି ଆଶା କରାଯାଉଛି ।

ଓଡ଼ିଶାରେ ଏବେ ବର୍ଷକୁ ୪୦ କୋଟି ଲିଟରରୁ ଅଧିକ ବିଭିନ୍ନ କସମର ମଦ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ମାଧ୍ୟମରେ ମଦୁଆମାନଙ୍କ ଚାହିଦା ପୂରଣ ଲାଗି ଯୋଗାଇ ଦିଆଯାଉଛି । ଚୋରା ମଦର ପରିମାଣ ଏହାଠାରୁ ଢେର ଅଧିକା ହେବ ବୋଲି ନିଶା ନିବାରଣ କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ସରକାରୀ ହିସାବ ମୁତାବକ ୨୦୨୪-୨୫ ବର୍ଷରେ ରାଜ୍ୟରେ ୮୪୦ ଲକ୍ଷ ୩୦ ହଜାର ଲିଟର ଭାରତ ତିଆରି ବିଦେଶୀ ମଦ ସରକାରୀ ଦୋକାନଗୁଡ଼ିକ ମାଧ୍ୟମରେ ବିକ୍ରୟ କରାଯାଇଥିଲା । ଏଥିମଧ୍ୟରୁ ପାଖାପାଖି ୬୪ଲକ୍ଷ ଲିଟର ମଦ ଅନ୍ୟ ରାଜ୍ୟରୁ ଆମଦାନି କରାଯାଇଥିଲା । ସେହିପରି ଉକ୍ତ ବର୍ଷରେ ଓଡ଼ିଶାରେ ୧୬ କୋଟି ୭୮ଲକ୍ଷ ୭୭ ହଜାର ଲିଟର ବିଅର ବିକ୍ରି କରାଯାଇଥିବା ସରକାରୀ ସ୍ୱୀକାର କରୁଛନ୍ତି । ଏଥିମଧ୍ୟରୁ ୨୪୬ଲକ୍ଷ ଲିଟର ଅନ୍ୟ ରାଜ୍ୟରୁ ଅଣାଯାଇଥିଲା ।

ସେହିପରି ୨୦୨୪-୨୫ ବର୍ଷରେ ସରକାରୀ ଲାଇସେନ୍ସ ଦୋକାନଗୁଡ଼ିକ ମାଧ୍ୟୟମରେ ୧୮୩ଲକ୍ଷ ଲିଟରରୁ ଅଧିକ ଦେଶୀ ମଦ ଏବଂ ପ୍ରାୟ ୧୩ କୋଟି ୧୫ଲକ୍ଷ ଲିଟର ବାହାର ଭାଟି ମଦ ମଧ୍ୟ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ମାଧ୍ୟମରେ କାରବାର ହୋଇଥିଲା । ଗତ ୫ବର୍ଷ ମଧ୍ୟରେ ମଦ ବ୍ୟବହାର କ୍ଷେତ୍ରରେ ଓଡ଼ିଶାରେ ଢେର ଅଗ୍ରଗତି ଲକ୍ଷ୍ୟ କରାଯାଇଛି । ତେବେ ଗୁଜରାଟ, ବିହାର ଭଳି ରାଜ୍ୟଗୁଡ଼ିକ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରିଥିବାବେଳେ ଓଡ଼ିଶାକୁ ୨୦୨୯ ସୁଦ୍ଧା ନିଶାମୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ୨୦୨୪ ନିର୍ବାଚନ ସମୟରେ ଯେଉଁ ସଂକଳ୍ପ ଘୋଷଣା କରାଯାଇଥିଲା ତାହା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଦାବି ହେଉଛି । (ତଥ୍ୟ)