Home Excise ଅବକାରୀ ଅଭିଯାନକୁ ବଡ ସଫଳତା

ଅବକାରୀ ଅଭିଯାନକୁ ବଡ ସଫଳତା

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ଚୋରା ନିଶା କାରବାର ବିରୁଦ୍ଧରେ ଅଭିଯାନକୁ ଜୋରଦାର କରିବା ଫଳରେ ବର୍ଷକୁ ବର୍ଷ ନିଶା କାରବାରରେ ଜଡିତ ଗିରଫଦାରୀ ଓ ମାମଲା ସଂଖ୍ୟା ବଢିବାରେ ଲାଗିଛି । ୨୦୨୦ ମସିହାରେ ଚୋରା ନିଶା କାରବାର ଅଭିଯୋଗରେ ୧୭,୯୨୧ ଜଣ ଗିରଫ ହୋଇଥିବାବେଳେ ୨୦୨୨ରେ ତାହା ୪୬ହଜାରକୁ ଟପିଯାଇଛି । ସେହିଭଳି ମାମଲା ସଂଖ୍ୟା ୨୩,୨୧୨ ରୁ ଆସି ୫୭,୯୪୯ରେ ପହଞ୍ଚିଛି । ଏଥି ସହିତ ଅବକାରୀ ବିଭାଗ ହାତରେ ବିପୁଳ ପରିମାଣର ଚୋରା ନିଶା ସାମଗ୍ରୀ ଓ ଗାଡିମୋଟର ବି ଧରାପଡିଛି ।

ଚୋରା ନିଶା କାରବାର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଅବକାରୀ ବିଭାଗ ଦେଇଥିବା ନିର୍ଦ୍ଦେଶକୁ କ୍ଷେତ୍ରରେ ସ୍ତରରେ କାର୍ଯ୍ୟକାରୀ କରାଯିବା ସହିତ ନିୟମିତ ଧରପଗଡ ଜାରି ରହିଛି । ଚୋରା ନିଶା ବେପାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗୁଇନ୍ଦା ସୂଚନା ଆଧାରରେ ଚଢଉ ଜାରି ରଖିଛି । ଏଥିଯୋଗୁଁ ଚୋରା ନିଶା କାରବାର ଅଭିଯୋଗରେ ଗିରଫଦାରୀ, ମାମଲା ରୁଜୁ ସଂଖ୍ୟା ବଢିଥିବାବେଳେ ବିପୁଳ ପରିମାଣର ଚୋରା ନିଶା ସାମଗ୍ରୀ ଓ ବିଭିନ୍ନ କିସମର ଗାଡି ବି ଜବତ ହୋଇଛି ।

ଅବକାରୀ ବିଭାଗର ହିସାବରୁ ଜଣାଯାଇଛି ଯେ ୨୦୨୦ ମସିହାରେ ଚୋରା ନିଶା କାରବାର ଅଭିଯୋଗରେ ୨୩,୨୧୨ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୧ରେ ଏହା ୩୬,୨୯୧ ଏବଂ ୨୦୨୨ରେ ୫୭,୯୪୯ରେ ପହଞ୍ଚିଥିଲା । ସେହିଭଳି ଗିରଫଦାରୀ ସଂଖ୍ୟା ଏହି ତିନି ବର୍ଷରେ ଯଥାକ୍ରମେ ୧୭,୯୨୧, ୩୦,୦୬୭ ଏବଂ ୪୬,୮୦୫ରେ ପହଞ୍ଚିଛି । ତେବେ ଉଲ୍ଲେଖନୀୟ ଘଟଣା ହେଉଛି ଯେ ଏହି ତିନି ବର୍ଷରେ ଦାଖଲ ଚାର୍ଜସିଟ୍‍ ବି ଢେର ଅଧିକ ରହିଛି । ଗତବର୍ଷ କେବଳ ୩୧,୮୬୬ଟି ମାମଲାରେ ଅବକାରୀ ବିଭାଗ ଚାର୍ଜସିଟ୍‍ ଦାଖଲ କରିଛି ।

ସେହିଭଳି ଏହି ତିନିବର୍ଷ ମଧ୍ୟରେ ଅବକାରୀ ବିଭାଗ ବିପୁଳ ପରିମାଣର ଭାରତ ତିଆରି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି । ୨୦୨୦ ରେ ୬୨୨୮ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ୨୦୨୧ ରେ ୧୮,୭୨୩ ଏବଂ ୨୦୨୨ ରେ ୨୨,୬୮୫ ଲିଟର ଜବତ ହୋଇଥିଲା । ତେବେ ଗତବର୍ଷ ଜବତ ବିଦେଶୀ ମଦ ପରିମାଣ ୨୦୨୦ ଠାରୁ ୨୬୪ ପ୍ରତିଶତ ଅଧିକ ରହିଥିଲା । ସେହିଭଳି ଏହି ତିନି ବର୍ଷ ମଧ୍ୟରେ ଜବତ ହୋଇଥିବା ବିୟର, ଦେଶୀ ମଦ, ଭାଙ୍ଗ, ମଦ ତିଆରି ସାମଗ୍ରୀ ଓ ଟିକସ ଫାଙ୍କି ବିଦେଶୀ ମଦ ପରିମାଣ ବି ବଢି ବଢି ଚାଲିଛି । ୨୦୨୨ରେ ଟିକସଫାଙ୍କି ଅଭିଯୋଗରେ ୧୦,୫୧୭ ଲିଟର ବିଦେଶୀ ମଦ ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଥିଲା ।

ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ବିରୁଦ୍ଧରେ ଅବକାରୀ ବିଭାଗର ଅଭିଯାନରୁ ବି ସୁଫଳ ମିଳିଛି । ଏହି ତିନି ବର୍ଷରେ ଜବତ ହୋଇଥିବା ଗଞ୍ଜେଇ, ବ୍ରାଉନସୁଗାର ପରିମାଣରୁ ଏହା ଜଳ ଜଳ ହୋଇ ଦିଶୁଛି । ୨୦୨୦ ମସିହାରେ ରାଜ୍ୟରେ ୧୬,୭୩୩ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୦୨୧ରେ ଏହା ୩୨,୮୭୧ କିଲୋ ଏବଂ ଗତବର୍ଷ ୩୮,୦୩୫ କିଲୋ ଗଞ୍ଜେଇ ଜବତ ହୋଇଥିଲା ।

୨୦୨୦ ତୁଳନାରେ ଗତବର୍ଷ ୧୨୭ ପ୍ରତିଶତ ଅଧିକ ଗଞ୍ଜେଇ ଜବତରେ ଅବକାରୀ ବିଭାଗ ସଫଳ ହୋଇଥିଲା । ତେବେ ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର କାରବାର ଉପରେ ତୀକ୍ଷ୍ଣ ନଜର ରଖାଯିବା ଫଳରେ ୨୦୨୦ ମସିହାରେ ରାଜ୍ୟରୁ ମାତ୍ର ୧୮୬୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ୨୦୨୧ରେ ତାହା ୧୨,୪୯୦ ଗ୍ରାମ ଏବଂ ଗତବର୍ଷ ଏହି ସାମଗ୍ରୀର ଜବତ ପରିମାଣ ୨୮,୭୬୯ଗ୍ରାମରେ ପହଞ୍ଚିଥିଲା । ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ମଧ୍ୟରେ ଅବକାରୀ ବିଭାଗର ଅଧିକାରୀମାନେ ମୋଲାସେସ୍‍, ତାଡି, କଫସିରଫ ଆଦି ଜବତରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ ଅବକାରୀ ବିଭାଗର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୦ରେ ରାଜ୍ୟରେ ୬୭.୭୫ କୋଟି ଟଙ୍କାର ଅବକାରୀ ସାମଗ୍ରୀ ଓ ଗାଡିମୋଟର ଜବତ ହୋଇଥିବାବେଳେ ୨୦୨୧ରେ ତାହା ୧୨୧.୫୨ କୋଟିକୁ ବୃଦ୍ଧି ପାଇଥିଲା ଏବଂ ଗତବର୍ଷ ଏହି ପରିମାଣ ୧୭୮.୨୫କୋଟିରେ ପହଞ୍ଚିଛି ।

ନିର୍ଦ୍ଦେଶ ମୁତାବକ ସମଗ୍ର ରାଜ୍ୟରେ ଚଢଉ ଜୋରଦାର ଚାଲିଥିବାବେଳେ ତ୍ୱରିତ ଦଣ୍ଡ ବିଧାନ ଓ ମାମଲା ପରିଚାଳନା ନେଇ ପ୍ରତିମାସରେ ଅବକାରୀ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ସେହିଭଳି ପଞ୍ଚାୟତ, ପୌର ଓ ଉପନିର୍ବାଚନଗୁଡିକ ସମୟରେ ଚୋରା ନିଶା କାରବାରକୁ ପ୍ରତିହତ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍‍ ଖୋଲାଯିବା ସହିତ ୨୪ଘଣ୍ଟିଆ ଚଢଉ ବ୍ୟବସ୍ଥା ଯୋଗୁଁ ଏହିସବୁ ନିର୍ବାଚନ ସମୟରେ କୌଣସି ଗୋଟିଏ ହେଲେ ଅଘଟଣ ପରିଲକ୍ଷିତ ହୋଇନାହିଁ । ଆଗାମୀ ଦିନରେ ନିୟମିତ ଚଢଉ ସହିତ ଚୋରା ନିଶା କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ କୁହାଯାଇଛି ।