Home Excise ଅବକାରୀ ଅଧିକାରୀଙ୍କୁ ଆଇନ ତାଲିମ

ଅବକାରୀ ଅଧିକାରୀଙ୍କୁ ଆଇନ ତାଲିମ

ଭୁବନେଶ୍ୱର : ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍ ତଥା ମାନ୍ୟବର ଅଦାଲତରେ ଅବକରୀ କନଷ୍ଟେବଲ୍ ଓ ଏଏସ୍‌ଆଇଙ୍କ ସାକ୍ଷ୍ୟ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବକାରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସମଗ୍ର ଓଡିଶାର ଅବକାରୀ କନଷ୍ଟେବଳ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

କର୍ମଶାଳାରେ ଅବକାରୀ ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ଅନଲାଇନ୍ ମାଧ୍ୟମରେ ଅବକାରୀ ନିୟମ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆଇନ୍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ ।

ଏହି କର୍ମଶାଳାରେ ଉପ ଆୟୁକ୍ତ ରଜତ କୁମାର ପ୍ରହରାଜ ଓ ଡମ୍ବରୁଧର ଖଣ୍ଡା ବିଭିନ୍ନ ପ୍ରଶ୍ନ୍ରର ଉତ୍ତର ପ୍ରଦାନ କରିଥିଲେ । ଅତିରିକ୍ତ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଯୁଗ୍ମ ଆୟୁକ୍ତ ଡକ୍ଟର ଦିବ୍ୟ ଲୋଚନ ମହାନ୍ତ, ଦଣ୍ଡପାଣି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ ପରିଚାଳନା, ତ୍ୱରିତ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିଶନର ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା କରାଯାଇ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ବୋଲି ଉପ ଆୟୁକ୍ତ ଶ୍ରୀ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।