Home General ଅଫିସରେ ସୀମିତ ୱାର୍ଡ ଅଫିସର

ଅଫିସରେ ସୀମିତ ୱାର୍ଡ ଅଫିସର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଧିନରେ ଥିବା ୱାର୍ଡ ଅଫିସଗୁଡିକ ଏବେ ଏକ ପ୍ରକାଣ ସ୍ଥାଣୁ ପାଲଟିଛି । ଡେଙ୍ଗୁ ବ୍ୟାପିବା ହେଉ କି ପରିମଳ କିମ୍ବା ଅନ୍ୟାନ୍ୟ ମୌଳିକ ସେବା ସଂକ୍ରାନ୍ତରେ ଅନୁଧ୍ୟାନ ପାଇଁ ଅଧିକାଂଶ ୱାର୍ଡ ଅଫିସରମାନେ ରାସ୍ତାକୁ ଓହ୍ଲାଉଥିବା ଲକ୍ଷ୍ୟ କରାଯାଉ ନାହିଁ । ଏମାନେ ଏକ ପ୍ରକାର ଅଫିସ ଭିତରେ ସୀମିତ ରହିଯାଉଛନ୍ତି ।

ରାଜଧାନୀବାସୀଙ୍କୁ ଉନ୍ନତମାନଙ୍କର ସେବା ଯୋଗାଣ ପାଇଁ ୬୭ଟି ୱାର୍ଡରେ ରହିଛି ୱାର୍ଡ ଅଫିସ ଏବଂ ଏହାର ଦାୟିତ୍ୱରେ ଜଣେ ୱାର୍ଡ ଅଫିସର ରହିଛନ୍ତି । ଏହି ଅଧିକାରୀମାନେ ଟିକସ ଆଦାୟ ଠାରୁ ପରିମଳ, ଜଳଯୋଗାଣ, ବିଦ୍ୟୁତ୍‍ ଆଦି ପ୍ରତ୍ୟେକ କ୍ଷେତ୍ର ପ୍ରତି ଦୃଷ୍ଟିଦେବା କଥା । ବିଶେଷକରି ୱାର୍ଡଗୁଡିକରେ ହେଉଥିବା ଜବରଦଖଲ ସଂକ୍ରାନ୍ତରେ ମଧ୍ୟ ଏମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକଥା ।

ହେଲେ ଯାହା ଲକ୍ଷ୍ୟ କରାଯାଉଛି ୱାର୍ଡ ଅଫିସରମାନେ ପୂର୍ବଭଳି ଆଉ ୱାର୍ଡ ବୁଲୁନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେ ୱାର୍ଡ ଅଫିସରମାନଙ୍କ ଦେଖାଦର୍ଶନ ସାଧାରଣ ଲୋକେ ପାଉ ନାହାନ୍ତି । ଅଧିକାଂଶଙ୍କର ମୋବାଇଲ୍‍ ନମ୍ବର ମଧ୍ୟ ସାଧାରଣରେ ଉପଲବ୍ଧ ହେଉନାହିଁ ।

ୱାର୍ଡ ଅଫିସରମାନେ ୱାର୍ଡ ବୁଲୁନଥିବାରୁ ପରିମଳ ବ୍ୟବସ୍ଥା କିଭଳି ରହିଛି ତାହାର ସୂଚନା ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେହିଭଳି କେଉଁଠାରେ ଷ୍ଟ୍ରିଟ୍‍ ଲାଇଟ୍‍ ଜଳୁଛି କି ନାହିଁ କିମ୍ବା କେଉଁଠାରେ ସରକାରୀ ଜମି ଜବଦରଖଲ ହେଉଛି ସେଥିପ୍ରତି ମଧ୍ୟ ୱାର୍ଡ ଅଫିସରମାନେ ନଜର ଦେଉନାହାନ୍ତି । ଯଦି କେଉଁଠାରେ ଷ୍ଟ୍ରିଟ୍‍ ଲାଇଟ୍‍ ଅଚଳ ହେଉଛି ସେଠାରେ ସ୍ଥାନୀୟ ଲୋକେ ଅଭିଯୋଗ କରିବାର କିଛିଦିନ ପରେ ତାହାର ମରାମତି ହେଉଛି । ଖୋଦ ରାଜଭବନ ଆଖପାକ ଅଞ୍ଚଳରେ ଦିନ ଦିନ ଧରି ଷ୍ଟ୍ରିଟ୍‍ଲାଇଟ୍‍ଗୁଡିକ ଜଳୁନଥିବାବେଳେ ଏହା କିଭଳି ୱାର୍ଡ ଅଫିସରମାନଙ୍କ ନଜରରେ ପଡୁନାହିଁ ତାହା ଅନେକଙ୍କୁ ଆଚମ୍ବିତ କରୁଛି ।

ରାଜଧାନୀରେ ଥିବା ୬୭ଟି ୱାର୍ଡରେ ଏବେ ସରକାରୀ ଜମି ଜବରଦଖଲ ଚରମ ସୀମାରେ ପହଞ୍ଚିଛି । ଯିଏ ଯେଉଁଠି ପାରୁଛି ସରକାରୀ ଜମିକୁ ମାଡିବସୁଛି । କିଏ ଦୋକାନ କରୁଛି ତ ଆଉ କିଏ ଘରକରି ଭଡା ଦେଉଛି । ରାସ୍ତାକଡ ଜମି ଠାରୁ ଆରମ୍ଭକରି କନଜରଭେନ୍ସି ପର୍ଯ୍ୟନ୍ତ ସବୁଠାରେ ମାଳ ମାଳ ଜବରଦଖଲ । ହେଲେ ନିଜ ୱାର୍ଡରେ ହେଉଥିବା ଏଭଳି ଜବରଦଖଲ ପ୍ରତି ୱାର୍ଡ ଅଫିସରମାନେ ଏକ ପ୍ରକାର ଆଖିବୁଜି ଦେଇଥିବାରୁ ଏହା ଉଚ୍ଛେଦ ହୋଇପାରୁ ନାହିଁ ।

ସେହିଭଳି ବର୍ତ୍ତମାନ ରାଜଧାନୀରେ ଡେଙ୍ଗୁ କାୟା ମେଲାଇବାରେ ଲାଗିଛି । ଲୋକଙ୍କୁ ଡେଙ୍ଗୁ ସଂକ୍ରାନ୍ତରେ ସଚେତନ କରିବାଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ନିଜ ୱାର୍ଡରେ କେଉଁଠାରେ ବସ୍ତିରେ ପାଣି କିମ୍ବା ଅନ୍ୟ କୌଣସି କାରଣ ପାଇଁ ଡେଙ୍ଗୁ ବ୍ୟାପୁଛି ତାହା ଜାଣିବାପାଇଁ ୱାର୍ଡ ଅଫିସରଙ୍କ ନିଘା ନାହିଁ । ମୋଟାମୋଟି ଭାବେ ୱାର୍ଡଗୁଡିକ ଏବେ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାଙ୍କ ହାତରେ ରହିଛି । ଅବଶ୍ୟ କେତେକ ୱାର୍ଡରେ ସାନିଟାରୀ ଇନ୍ସପେକ୍ଟରମାନେ ଦକ୍ଷତାର ସହ ପରିମଳ ପରିଚାଳନା କରୁଥିବାରୁ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି । କିନ୍ତୁ ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ ୱାର୍ଡ ଅଫିସର ନିଯୁକ୍ତ କରି ଲୋକଙ୍କୁ ଉନ୍ନତ ସେବା ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ପୂରଣ ହୋଇପାରୁ ନାହିଁ । (ତଥ୍ୟ)