ଭୁବନେଶ୍ୱର : କୃଷି ବିଭାଗର କର୍ମଚାରୀମାନେ ଅଫିସ୍ ଭିତରେ ଯେଭଳି ପାନ, ବିଡି ସମେତ ଅନ୍ୟାନ୍ୟ ନିଶା ସେବନ ନ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ ସପ୍ତାହରେ ଗୋଟିଏ ଦିନ କର୍ମଚାରୀମାନେ ହସ୍ତତନ୍ତ ପୋଷାକ ପିନ୍ଧି ଦପ୍ତର ଆସିବାକୁ ବି ନିର୍ଦ୍ଦେଶନାମା ଜାରି ହୋଇଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଢ଼ୀ ଆଜି ଏଭଳି ଦୁଇ ଦୁଇଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ବିଭାଗର କୌଣସି ବି କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ପାନ, ବିଡି, ସିଗାରେଟ, ଗୁଟ୍ଖା କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରିପାରିବେ ନାହିଁ । ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଏହି ଆଦେଶକୁ ଅନୁପାଳନ କରିବେ ଏବଂ ଖିଲାପକାରୀଙ୍କ ବିରୋଧରେ କଡା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେହିଭଳି ଅନ୍ୟ ଏକ ନିର୍ଦ୍ଦେଶନାମାରେ ଓଡ଼ିଶାର ଐତିହ୍ୟ ସଂପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ତଥା ଅଗଣିତ ବୁଣାକାର ଭାଇ ଓ ଭଉଣୀମାନଙ୍କ ସମ୍ମାନାର୍ଥେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ ବିନମ୍ର ଅନୁରୋଧ କରାଯାଇଛି । ପ୍ରମୁଖ ଶାସନ ସଚିବଙ୍କର ଏହି ନିର୍ଦ୍ଦେଶନାମାକୁ ବିଭାଗ ଓ ଏହା ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଜଣାଇ ଦେବା ଲାଗି ଦପ୍ତରର ମୁଖ୍ୟମାନଙ୍କୁ କୁହାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ହସ୍ତତନ୍ତ ବସ୍ତ୍ରର ପ୍ରୋତ୍ସାହନ ଲାଗି ହସ୍ତତନ୍ତ ନିର୍ଦ୍ଦେଶାଳୟର କର୍ମଚାରୀମାନଙ୍କ ଲାଗି ଅନୁରୂପ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏହାକୁ କର୍ମଚାରୀମାନେ କିଛିଦିନ ପାଳନ କରିବା ପରେ ପରବର୍ତ୍ତୀ ଅବସ୍ଥାରେ ତାହାକୁ ଭୁଲି ଯାଇଥିଲେ ।
ସେହିଭଳି କର୍ମଚାରୀମାନଙ୍କୁ ଶାରୀରିକ ଭାବେ ଫିଟ୍ ରଖିବା ଲାଗି ବିଏମସିର ପୂର୍ବତନ କମିଶନର ସପ୍ତାହରେ ଗୋଟିଏ ଦିନ ଦପ୍ତରକୁ ସାଇକେଲ ଚଢ଼ି ଆସିବା ଲାଗି କର୍ମଚାରୀମାନଙ୍କୁ ନିବେଦନ କରିଥିଲେ । କମିଶନର ନିଜେ ସାଇକେଲ ଚଢ଼ି ଆସିବା ପରେ ବହୁ କର୍ମଚାରୀ ସାଇକେଲରେ ଦପ୍ତର ଆସିଥିବା ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ କିନ୍ତୁ କର୍ମଚାରୀମାନେ ପୂର୍ବବତ୍ ନିଜ ନିଜ ଦୁଇଚକିଆ ଓ ଚାରିଚକିଆ ଯାନ ଧରି ଦପ୍ତର ଆସିଥିଲେ । (ତଥ୍ୟ)