ଭୁବନେଶ୍ୱର : ଯେତିକି ହାତୀଙ୍କର ପ୍ରାକୃତିକ ମୃତ୍ୟୁ ଘଟୁଛି ତାହାଠାରୁ ୧୬ଗୁଣା ହାତୀଙ୍କର ଅପ୍ରାକୃତିକ ମୃତ୍ୟୁ ହେଉଛି । ରାଜ୍ୟର ଦୁଇ ବନଖଣ୍ଡ ଆଠଗଡ ଓ ଢେଙ୍କାନାଳରେ ହାତୀମୃତ୍ୟୁ ସଂକ୍ରାନ୍ତରେ ସିଏଜି କରିଥିବା ଅଡିଟ୍ରୁ ଏହି ତଥ୍ୟ ପଦାକୁ ଆସିଛି ।
ସିଏଜି ତାଙ୍କ ଅଡିଟ୍ରେ ଦର୍ଶାଇଛନ୍ତି ଯେ ଉପରେକ୍ତ ଦୁଇ ବନଖଣ୍ଡରେ ୨୦୧୯ରୁ ୨୦୨୨ ମଧ୍ୟରେ ୫୧ଟି ହାତୀ ମୃତ୍ୟୁବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୩ଟି ହାତୀଙ୍କର ପ୍ରାକୃତିକ ମୃତ୍ୟୁ ହୋଇଥିବା । ମରିଥିବା ଅବଶିଷ୍ଟ ହାତୀଙ୍କ ମଧ୍ୟରୁ ଦୁର୍ଘଟଣାରେ ୨, ବିଦ୍ୟୁତ୍ ତାର ଲାଗି ୯, ଅବୈଧ ଶିକାରରେ ୬, ରୋଗରେ ପଡି ୨୮ ଏବଂ ନିଜ ଭିତରେ ଲଢାଲଢି ହୋଇ ୩ଟି ହାତୀ ଥିଲେ । ମୃତ ୫୧ଟି ହାତୀ ମଧ୍ୟରୁ ଢେଙ୍କାନାଳ ବନଖଣ୍ଡରେ ୩୫ଟି ଥିବାବେଳେ ଆଠଗଡ ବନଖଣ୍ଡରେ ୧୬ଟି ରହିଥିଲେ ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଆଠଗଡ ବନଖଣ୍ଡରେ ହାତୀ ମୃତ୍ୟୁ ସଂଖ୍ୟା ବିଗତ ତିନି ବର୍ଷରେ ବଢିଯାଇଥିଲା । ତେବେ ଢେଙ୍କାନାଳର ହାତୀ ମୃତ୍ୟୁ ସଂଖ୍ୟା ଆଠଗଡ ତୁଳନାରେ ଦୁଇଗୁଣ ଅଧିକ ରହିଥିଲା । ସିଏଜି ଅଡିଟ୍ବେଳେ ଦେଖିବାକୁ ପାଇଛନ୍ତି ଯେ ଜଙ୍ଗଲ କ୍ଷେତ୍ରରେ ପାଦଚଲା ପଇଁତରାରେ ଅଭାବ, ଟ୍ରାପ କ୍ୟାମେରା ବ୍ୟବହୃତ ନହେବା, ହାତୀ ସ୍କ୍ୱାଡ୍ର ନିୟୋଜନ, ଅସ୍ତ୍ରଶସ୍ତ୍ରର ଅଭାବ ଯୋଗୁଁ ଶିକାରୀମାନେ ହାତୀଙ୍କୁ ମାରି ଦେଉଛନ୍ତି । ଏହି ତିନିବର୍ଷ ମଧ୍ୟରେ ଦୁଇଟି ବନଖଣ୍ଡରେ ଶିକାରୀମାନେ ୬ଟି ହାତୀଙ୍କ ଜୀବନ ନେଇଥିଲେ ।
ତେବେ ଅବୈଧ ଶିକାର ଓ ଶିକାରୀଙ୍କ ସଂକ୍ରାନ୍ତରେ କୌଣସି ରିପୋର୍ଟ କରିନଥିବା କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଢେଙ୍କାନାଳ ବନଖଣ୍ଡରେ ନୁଆଁଣିଆ ବିଦ୍ୟୁତ୍ ତାର ଯୋଗୁଁ ବିଦ୍ୟୁତ୍ ସଂଯୋଗରେ ଆସି ହାତୀଙ୍କର ମୃତ୍ୟୁ ରିପୋର୍ଟ ହୋଇଥିଲା ଏବଂ ସେହି ଅଞ୍ଚଳରେ ପଇଁତରାର ଅଭାବ ପରିଲକ୍ଷିତ ହୋଇଥିଲା । ତେବେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ତାଙ୍କ ଉତ୍ତରରେ ବିଦ୍ୟୁତ୍ ଜନିତ ହାତୀ ମୃତ୍ୟୁ ରୋକିବାପାଇଁ ବହୁବିଧ ପଦକ୍ଷେପ ନିଆଯାଉଥିବା କହିଥିଲେ ।
ସିଏଜି ଦର୍ଶାଇଛନ୍ତି ଯେ ହାତୀକୁ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ, ୧୯୭୨, ଅନୁସୂଚୀ-୧ରେ ପର୍ଯ୍ୟାୟଭୁକ୍ତ କରାଯାଇଛି ଯାହା ଏହି ପ୍ରଜାତିକୁ ସର୍ବୋଚ୍ଚ ସୁରକ୍ଷା ପ୍ରଦାନ କରେ । ହାତୀଙ୍କ ସୁରକ୍ଷା ପାଇଁ ପିସିସିଏଫ୍ କାର୍ଯ୍ୟାଳୟରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍ ଆପ୍ରେ ଅପଲୋଡ ହୋଇଥିବା ତଥ୍ୟ ଉପରେ ନଜର ରଖିଥାଏ । ନିୟମିତ ପଇଁତରା କରିବାପାଇଁ କର୍ମଚାରୀ/ସ୍କ୍ୱାଡ୍କୁସୁବିଧା ପାଇଁ ସୁରକ୍ଷା ଆଧାରିତ ସଂରଚନା, ଭଡା ଗାଡି ଏବଂ ଅନ୍ୟ ସବୁ ସାଜ ସରଞ୍ଜାମ ବର୍ଷ ତମାମ ଯୋଗାଇ ଦିଆଯାଉଛି । ଅପରାଧିମାନଙ୍କ ଦ୍ୱାରା ଅବୈଧ ଶିକାର, ବିଷ ଦେବା, ଜାଣିଶୁଣି ବିଦ୍ୟୁତ୍ ସଂଯୋଗ କରବା କାରଣରୁ ହେଉଥିବା ଅପ୍ରାକୃତିକ ମୃତ୍ୟୁ ମାମଲା ଚିହ୍ନଟ ହେବାର ୪୮ଘଣ୍ଟା ମଧ୍ୟର ଗିରଫ ହେବା ଉଚିତ୍ । ତେବେ ଅଡିଟ୍ ସମୟରେ ଦେଖାଗଲା ଯେ ୨୦୧୯ ରୁ ୨୦୨୨ ଅବଧିରେ ୩୭ଟି ବନଖଣ୍ଡରେ ୨୩୯ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । (ତଥ୍ୟ)