Home News in Odia ଅପରେସନ୍ ସାଇବର କବଚ ର ଶୁଭାରମ୍ଭ

ଅପରେସନ୍ ସାଇବର କବଚ ର ଶୁଭାରମ୍ଭ

ଭୁବନେଶ୍ଵର : ଓଡ଼ିଶାରେ ସାଇବର ସୁରକ୍ଷାକୁ ଆହୁରି ସୁଦୃଢ଼  ଏବଂ ସଂଗଠିତ କରାଯିବା ସହ ସାଇବର ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ “ଅପରେସନ୍ ସାଇବର କବଚ” ଆରମ୍ଭ ହୋଇଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଅଭିଯାନ ସମ୍ପର୍କରେ ଘୋଷଣା କରିଥିଲେ।   ବେନାମୀ ବ୍ୟାଙ୍କ ଆକାଉଣ୍ଟ, ଜାଲ୍ ସିମ୍ କାର୍ଡ ଓ ସାଇବର ଅପରାଧ ନେଟୱାର୍କ ବିରୁଦ୍ଧରେ କଠୋର  କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଜାରି କରିଥିଲେ।

ସେହି ଅନୁଯାୟୀ,  ବଲାଙ୍ଗୀର ଜିଲ୍ଲା ପୋଲିସ ଏକ ବଡ଼ ସାଇବର ଅପରାଧକୁ ପର୍ଦ୍ଦାଫାଶ କରିଛି। ବିଭିନ୍ନ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ ଘଟଣାରେ ୨ ଜଣ ସାଇବର ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ଏହା ସହ ସେମାନଙ୍କ ନିକଟରୁ ପୋଲିସ ବିଭିନ୍ନ ବ୍ୟାଙ୍କର ୨୯ ଟି ପାସ ବୁକ, ୧୫ ଟି ଚେକ ବହି, ସ୍ବାଇପ ମେସିନ, ମୋବାଇଲ ଫୋନ୍ ଆଦି ଜବତ କରିଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାରେ ସାଇବର ଠକେଇ ସମ୍ପର୍କିତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର ମାମଲାରେ ଏକ ମାମଲା ରୁଜୁ କରାଯାଇଛି।

ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସହିତ ସେମାନଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଛି। ମାମଲାର ତଦନ୍ତ ଚାଲିଥିବା ବେଳେ ସମ୍ପୃକ୍ତ ଘଟଣାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଭୂମିକାକୁ ମଧ୍ୟ  ଯାଞ୍ଚ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି  ଅଭିଯାନ ଆସନ୍ତା ଫେବୃଆରୀ ୨୭, ୨୦୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ସାଇବର ଠକେଇ ପାଇଁ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଓ ଜାଲ୍ ସିମ୍ କାର୍ଡ ର କାରବାରକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ  କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ବର୍ତ୍ତମାନ ସାଇବର ଅପରାଧ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ନେଟୱାର୍କରେ ପରିଣତ ହୋଇଥିବାରୁ, ଏହାକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି। ସେହି ଅନୁଯାୟୀ  ନକଲି ପରିଚୟପତ୍ର ବ୍ୟବହାର କରି ବଲ୍କ ସିମ୍ କାର୍ଡ ବିକ୍ରି କରୁଥିବା ଅପରେଟରମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ।

ସାଇବର ଅପରାଧୀମାନଙ୍କ ଟଙ୍କା ଉଠାଣ ସମ୍ପର୍କିତ /ଚେକ୍ ଉତ୍ତୋଳନ ହଟସ୍ପଟ୍‌ଗୁଡ଼ିକୁ ଚିହ୍ନଟ କରି କଠୋର ନିରୀକ୍ଷଣ ଓ ନିୟନ୍ତ୍ରଣ କରାଯିବ। ସନ୍ଦିଗ୍ଧ ବ୍ୟାଙ୍କ ଆକାଉଣ୍ଟ ତଦନ୍ତ ପାଇଁ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସଂସ୍ଥା ସହ ଉତ୍ତମ ସମନ୍ୱୟ ରଖାଯିବ।

ଉଲ୍ଲେଖନୀୟ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଆଇ୪ସି ର ତଥ୍ୟ ଓ ଇଣ୍ଟେଲିଜେନ୍ସ ଆଧାରରେ ଏହି ଅଭିଯାନ ପରିଚାଳିତ ହେଉଛି। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ଏବଂ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସରେ ଡିସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି।

କୌଣସି ପ୍ରଲୋଭନରେ ବଶବର୍ତ୍ତୀ ନ ହୋଇ ନିଜ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍‍ କାର୍ଡ, ଓଟିପି କିମ୍ବା ଅନ୍ୟାନ୍ୟ ଗୋପନୀୟ ତଥ୍ୟ ସମ୍ପର୍କରେ ସୂଚନା ନ ଦେବାକୁ ଡିଜିପି ଶ୍ରୀ ଖୁରାନିଆ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶା ପୋଲିସ “ଅପରେସନ୍ ସାଇବର କବଚ” ମାଧ୍ୟମରେ ଓଡ଼ିଶାକୁ ଏକ ସୁରକ୍ଷିତ ଓ ସଚେତନ ସାଇବର-ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି।