Home General ଅପରାଧିକ ମାମଲାରେ ୪୦% ସାଂସଦ

ଅପରାଧିକ ମାମଲାରେ ୪୦% ସାଂସଦ

ଭୁବନେଶ୍ୱର : ଦେଶର ସାଂସଦମାନଙ୍କ ମଧ୍ୟରୁ ୪୦% ନାମରେ ବିଭିନ୍ନ ଧରଣର ଅପରାଧିକ ମାମଲା ରହିଛି । ଖୋଦ୍‍ ସାଂସଦମାନେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ୨୫% ସାଂସଦଙ୍କ ବିରୁଦ୍ଧରେ ସାଂଘାତିକ ଅପରାଧିକ ମାମଲା ଥିବାବେଳେ ୨୧ଜଣଙ୍କ ବିରୁଦ୍ଧରେ ମହିଳା ବିରୋଧି ହିଂସା ମାମଲାମାନ ରହିଛି ।

ସାଂସଦମାନଙ୍କ ଅପରାଧିକ ମାମଲା ସଂକ୍ରାନ୍ତରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଇଲେକ୍ସନ ୱାଚ ପକ୍ଷରୁ ଅନୁଶୀଳନ ପରେ ଏହି ତଥ୍ୟ ଜାରି ହୋଇଛି । ଏଥିରେ ଦର୍ଶାଯାଇଛି ଯେ ବର୍ତ୍ତମାନ ଲୋକସଭା ଓ ରାଜ୍ୟସଭାର ମୋଟ୍‍ ୭୬୩ଜଣ ସାଂସଦଙ୍କ ମଧ୍ୟରୁ ୪୦% ଅର୍ଥାତ୍‍ ୩୦୬ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ୧୯୪ ଜଣ ଅର୍ଥାତ୍‍ ୨୫% ଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ରହିଛି ଯାହା ମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ ଓ ମହିଳା ବିରୋଧି ହିଂସା ଓ ଧର୍ଷଣ ଆଦି ରହିଛି ।

ଲୋକସଭାର ୫୩୮ ଜଣ ସାଂସଦଙ୍କ ମଧ୍ୟରୁ ୨୩୨ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି । ମୋଟ୍‍ ସାଂସଦଙ୍କ ମଧ୍ୟରୁ ୧୫୪ ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା ଥିବାବେଳେ ୯ଜଣଙ୍କ ବିରୁଦ୍ଧରେ ହତ୍ୟା ଓ ୨୮ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରହିଛି । ସେହିଭଳି ୧୭ଜଣ ସାଂସଦଙ୍କ ବିରୁଦ୍ଧରେ ମହିଳା ବିରୋଧି ହିଂସା ମାମଲା ରହିଛି ।

ରାଜ୍ୟସଭାର ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୭୪ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା, ୪୦ଜଣଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲା, ୨ଜଣଙ୍କ ବିରୁଦ୍ଧରେ ହତ୍ୟା, ୪ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଓ ୪ଜଣଙ୍କ ବିରୁଦ୍ଧରେ ମହିଲା ବିରୋଧି ହିଂସା ମାମଲା ରହିଛି ।

ଅପରାଧିକ ମାମଲା କ୍ଷେତ୍ରରେ ବିଜେପି ସାଂସଦମାନେ ଆଗରେ ରହିଛନ୍ତି । ଏହି ଦଳର ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯ଜଣଙ୍କ ବିରୁଦ୍ଧରେ ଏଭଳି ଅପରାଧିକ ମାମଲା ଥିବାବେଳେ କଂଗ୍ରେସର ୮୧ରୁ ୪୩ ଜଣ, ତୃଣମୂଳର ୩୫ଜଣଙ୍କ ମଧ୍ୟରୁ ୧୪, ଆରଜେଡିର ୬ରୁ ୫ଜଣ, ସିପିଆଇଏମର ୮ରୁ ୬ଜଣ, ଆପ୍‍ର ୧୧ରୁ ୩ଜଣ, ୱାଇଏସଆରସିପିର ୩୧ ରୁ ୧୩ଜଣ, ଏନ୍‍ସିପିର ୮ରୁ ୩ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲାମାନ ରହିଛି ।

ବିଭିନ୍ନ ରାଜ୍ୟର ସାଂସଦଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲା କ୍ଷେତ୍ରରେ ବିହାରର ୫୦% ଅର୍ଥାତ୍‍ ଅଧା ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ତେଲେଙ୍ଗାନାର ୩୮%, କେରଳର ୩୪%, ମହାରାଷ୍ଟ୍ରର ୩୪%, ଉତ୍ତରପ୍ରଦେଶର ୩୪% ସାଂସଦଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ମାମଲାମାନ ରହିଥିବା ସେମାନେ ନିଜ ନିଜର ସତ୍ୟପାଠରେ ଉଳ୍ଲେଖ କରିଛନ୍ତି ।

ସେହିଭଳି ୧୧ଜଣ ସାଂସଦଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୦୨ ଦଫା ଲାଗିଥିବାବେଳେ ୩୨ଜଣଙ୍କ ବିରୁଦ୍ଧରେ ୩୦୭ ଏବଂ ୨୧ ଜଣଙ୍କ ବିରୁଦ୍ଧରେ ମହିଳା ବିରୋଧି ହିଂସା ଦଫା ଲାଗିଛି । ଏହି ୨୧ଜଣଙ୍କ ମଧ୍ୟରୁ ୪ଜଣଙ୍କ ବିରୁଦ୍ଧରେ ଧର୍ଷଣ ଅପରାଧ ପାଇଁ ୩୭୬ ଦଫାରେ ମାମଲା ରୁଜୁ ହୋଇଛି ।