ଭୁବନେଶ୍ୱର : ଓଡିଶାରେ ବିଭିନ୍ନ ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାବେଳେ ବ୍ୟାପକ ଅର୍ଥ ବରାଦ ସତ୍ୱେ ବିଭିନ୍ନ କିସମର ଅପରାଧିକ ମାମଲା ଫଏସଲା ହାର ବି ଜାତୀୟ ହାର ଠାରୁ ଢେର କମ୍ ରହୁଛି । ଫଳରେ ମାମଲା ବର୍ଷ ବର୍ଷ ଧରି ଗଡିବା ଫଳରେ ବିଳମ୍ବିତ ବିଚାର ଯୋଗୁଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
କେନ୍ଦ୍ର ସରକାରଙ୍କ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଆମ ରାଜ୍ୟରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହାର ୧୦ପ୍ରତିଶତରୁ କମ୍ ରହୁଛି । ସେହିପରି ଆଇପିସି ମାମଲାଗୁଡିକରେ ବି ଦଣ୍ଡବିଧାନ ହାର ୮ ପ୍ରତିଶତରୁ କମ୍ ରହୁଛି । ମୋଟାମୋଟି ଭାବେ ଆଇପିସି ମାମଲା ଏବଂ ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାଗୁଡିକ ମଧ୍ୟରୁ ବିଚାରପାଇଁ ଯେତେ ଆସୁଛି ସେଥିରୁ ବର୍ଷରେ ୯୦ ରୁ ୯୫ ପ୍ରତିଶତ ଫଏସଲା ହୋଇପାରୁ ନାହିଁ । ତେଣୁ ଅପରାଧିକ ମାମଲା ଫଏସଲା ହାର ବି ଓଡିଶାରେ ଢେର କମ୍ ରହୁଛି ।
ତେବେ ଦୁର୍ନୀତି ନିବାରଣ ମାମଲାରେ ଓଡିଶାର ଦଣ୍ଡବିଧାନ ହାର ଜାତୀୟ ହାର ଠାରୁ ଅଧିକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟ ମୁତାବକ ଭିଜିଲାନ୍ସ ମାମଲାରେ ବି ବିଚାର ପ୍ରତୀକ୍ଷାରେ ଥିବା ମାମଲା ଭିତରୁ ବର୍ଷରେ ୧୦ରୁ ୧୫ ପ୍ରତିଶତ ବି ଫଏସଲା ହୋଇପାରୁ ନଥିବାରୁ ପ୍ରତିବର୍ଷ ଅନ୍ୟୁନ ୮୫ରୁ ୯୦ ପ୍ରତିଶତ ଭିଜିଲାନ୍ସ ମାମଲା ଫଏସଲା ନହୋଇ ପରବର୍ଷକୁ ଗଡୁଛି ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ହେଉଥିବା ବିଭିନ୍ନ କିସମର ଅତ୍ୟାଚାର ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଓ ମାମଲା ଫଏସଲା ହାର ବି ଅତ୍ୟନ୍ତ ନୈରାଶ୍ୟଜନକ । କେବଳ ସେତିକି ନୁହେଁ, ପରିବେଶ ସଂକ୍ରାନ୍ତୀୟ ମାମଲା, ବରିଷ୍ଠ ନାଗରିକମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲା ଏମିତିକି ଅନ୍ୟାନ୍ୟ ଆର୍ଥିକ ଅନିୟମିତତା, ଚିଟ୍ଫଣ୍ଡ ଠକେଇ ଓ ସାଇବର ଅପରାଧ କ୍ଷେତ୍ରରେ ବି ଓଡିଶାରେ ଦଣ୍ଡବିଧାନ ହାର ଆଶାତୀତ ଭାବେ କମ୍ ରହୁଥିବାବେଳେ ଫଏସଲା ହାର ମଧ୍ୟ ଅତ୍ୟନ୍ତ ନଗଣ୍ୟ ।
ବର୍ଷକୁ ବର୍ଷ ରାଜ୍ୟରେ ଅପରାଧିକ ମାମଲା ସଂଖ୍ୟା ବଢି ଚାଲିବା ସହ ଆଇନ୍ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି । ତେବେ ଅଭିଯୁକ୍ତମାନେ ଜାମିନରେ ରହି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିବା ସହିତ ଅପରାଧକୁ ଅର୍ଥ ଉପାର୍ଜନର ମାଧ୍ୟମ କରୁଛନ୍ତି । ଏହା ସାଧାରଣ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ପୁଲିସ୍ ପାଇଁ ମଧ୍ୟ ଆହ୍ୱାନ ଭାବେ ଉଭା ହେଉଛି । ଅନ୍ୟ ପକ୍ଷରେ ଅପରାଧର ସଂଖ୍ୟା କିଭଳି ହ୍ରାସ କରାଯାଇ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କରାଯାଇ ପାରିବ ତାହା ଉପରେ ଧ୍ୟାନଦେବା ପରିବର୍ତ୍ତେ ବିଚାରାଳୟ ସଂଖ୍ୟା ଓ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି କରାଯାଇ ଏ ବାବଦରେ ବିପୁଳ ଅର୍ଥ ବ୍ୟୟ ହେଉଛି ।
ଫୌଜଦାରୀ ଅଦାଲତରେ ଦୀର୍ଘବର୍ଷ ଧରି କାମ କରିବାପରେ ଅବସରଗ୍ରହଣ କରିଥିବା ବିଚାରପତିମାନେ କହୁଛନ୍ତି ଯେ ଓଡିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଉଥିବା ବିଭାଗୀୟ ପବ୍ଲିକ ପ୍ରସିକ୍ୟୁଟରମାନେ ତୁଳନାତ୍ମକ ଭାବେ ରାଜନୈତିକ ନିଯୁକ୍ତି ପାଉଥିବା ସରକାରୀ ଓକିଲଙ୍କ ଠାରୁ ମାମଲା ପରିଚାଳନା କ୍ଷେତ୍ରରେ ଢେର ଭଲ ପ୍ରଦର୍ଶନ କରୁଛନ୍ତି । ବିଶେଷକରି ତ୍ୱରିତ ମାମଲା ଫଏସଲା ନହେବା ଫଳରେ ଅଭିଯୁକ୍ତମାନେ ବହୁ କ୍ଷେତ୍ରରେ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରି ଓ ସ୍ଥଳ ବିଶେଷରେ ନଷ୍ଟକରି ଖସି ଯାଉଛନ୍ତି । ଏମିତିକି ବିଳମ୍ବିତ ବିଚାର ପ୍ରକ୍ରିୟା ଯୋଗୁଁ ବହୁ ମାମଲାରେ ୧୦/୧୫ ବର୍ଷ ପରେ ତଦନ୍ତକାରୀ ଅଫିସର ବି ସାକ୍ଷୀ ଦେବା ମୁସ୍କିଲ ହୋଇପଡୁଛି । କେତେକ କ୍ଷେତ୍ରରେ ଅଭିଯୁକ୍ତ, ନିର୍ଯ୍ୟାତିତ ବ୍ୟକ୍ତି ଓ ସାକ୍ଷୀମାନଙ୍କର ମୃତ୍ୟୁ ଘଟୁଛି । ଅପରାଧିକ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ମାମଲା ନୀତି ଠିକଣା ଭାବେ କାର୍ଯ୍ୟକାରୀ ନହେବା କମ୍ ଦଣ୍ଡବିଧାନ ଓ ମାମଲା ଫଏସଲା ହାର କମ୍ର ଅନ୍ୟତମ କାରଣ ବୋଲି ସେମାନେ ଦର୍ଶାଉଛନ୍ତି । (ତଥ୍ୟ)