ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା କେତେ ସଂଖ୍ୟକ ପ୍ରାର୍ଥୀ କେଉଁ କେଉଁ ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେଉଁମାନେ କେଉଁ କେଉଁ ଦଳରୁ ଲଢୁଛନ୍ତି ସେ ସଂକ୍ରାନ୍ତରେ ଏଯାବତ୍ କୌଣସି ତଥ୍ୟ ସାର୍ବଜନୀନ ହୋଇନାହିଁ । ତେବେ ଅନ୍ୟୁନ ୪୩ପ୍ରତିଶତ ପାର୍ଲାମେଣ୍ଟ ସଦସ୍ୟଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ପଞ୍ଚାୟତ କ୍ଷେତ୍ରରେ ଏହି ସଂଖ୍ୟା ବୃଦ୍ଧି ପାଉଛି ନା କମୁଛି ସେଥିଘେନି ପର୍ଯ୍ୟବେକ୍ଷକମାନେ ହିସାବ ନିକାଶ ଚଳାଇଛନ୍ତି ।
ସଂସଦ ଓ ବିଧାନସଭାର ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ବାଧ୍ୟ । କେବଳ ସେତିକି ନୁହେଁ କେଉଁ ରାଜନୈତିକଦଳର କେଉଁ କେଉଁ ପ୍ରାର୍ଥୀଙ୍କ ବିରୁଦ୍ଧରେ କି ପ୍ରକାରର ଅପରାଧିକ ମାମଲା ରହିଛି ସେ ସଂକ୍ରାନ୍ତରେ ସମ୍ପୃକ୍ତ ରାଜନୈତିକ ଦଳମାନେ ତଥ୍ୟ ସାର୍ବଜନୀନ କରିବାକୁ ସୁପ୍ରିିମ୍କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶର କେତେକ କ୍ଷେତ୍ରରେ ଅନୁପାଳନ କରାନଯିବାରୁ ନିକଟରେ ସୁପ୍ରିମ୍କୋର୍ଟ ଏହାକୁ ଅଦାଲତ ଅବମାନନା ମାମଲା ଭାବେ ଗ୍ରହଣ କରି ଯେଉଁ ଦଳମାନେ ଅପରାଧିକ ମାମଲାର ତଥ୍ୟ ସାର୍ବଜନୀନ କରିନାହାନ୍ତି ସେମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର, ସମିତି ସଦସ୍ୟ ଓ ସରପଞ୍ଚ ପଦବୀ ପାଇଁ ନିର୍ଦ୍ଦଳୀୟ ଭିତ୍ତିରେ ନିର୍ବାଚନ ହେଉଥିବାବେଳେ କେବଳ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ନିର୍ବାଚନ କ୍ଷେତ୍ରରେ ଦଳୀୟ ଚିହ୍ନ ବ୍ୟବହୃତ ହେଉଛି । ତେଣୁ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କେଉଁ ଦଳ କେତେ ପ୍ରାର୍ଥୀ ଛିଡା କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେଉଁ ପ୍ରାର୍ଥୀଙ୍କର କି କିସମର ଅପରାଧିକ ମାମଲା ରହିଛି ତାହା ସମ୍ପୃକ୍ତ ଦଳମାନେ ସାର୍ବଜନୀନ କରିବାକୁ ବାଧ୍ୟ । ଏହାଛଡା ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ବି ଏହି ତଥ୍ୟ ଦାଖଲ କରିବେ ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ୯୧,୯୧୩ ୱାର୍ଡମେମ୍ବର, ୬୭୯୪ଟି ସମିତି ସଦସ୍ୟ ଓ ଅନୁରୂପ ସଂଖ୍ୟକ ସରପଞ୍ଚ ପଦବୀ ଏବଂ ୮୫୩ଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ରହିଛି । ମୋଟାମୋଟି ଭାବେ ୧,୦୬,୩୫୪ଟି ପଦବୀ ପାଇଁ ନିର୍ବାଚନ ହେବାକଥା । ଏଥିରୁ ଅବଶ୍ୟ କେତେକଗୁଡିଏ ପଦବୀରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବାକୁ ଯାଉଛନ୍ତି ।
ମୋଟାମୋଟି ଭାବେ ସମଗ୍ର ଦେଶରେ ରାଜନୈତିକ ଦଳମାନେ ଯେଭଳି ନିଶା ଓ ହିଂସା ସହିତ ଧନ ବଳ, ଅର୍ଥ ବଳ ଓ ବାହୁବଳ ଉପରେ ନିର୍ଭର କରୁଛନ୍ତି ଏବଂ ବ୍ୟବସ୍ଥାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି ସେଥିରେ ନିର୍ବାଚନ ଲଢିବା କ୍ଷେତ୍ରରେ ଓ ପରିଚାଳନା କରିବା କ୍ଷେତ୍ରରେ ଅଧିକ ସଂଖ୍ୟକ ଅପରାଧି ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । ଏମାନଙ୍କୁ ନଧରିଲେ ରାଜନୈତିକ ନେତାମାନଙ୍କ ଗାଡି ନିର୍ବାଚନମଣ୍ଡଳୀ ମଧ୍ୟକୁ ଗଡିବା ଅସମ୍ଭବପର ହୋଇପଡେ ।
କେବଳ ସେତିକି ନୁହେଁ, ପ୍ରତିପକ୍ଷ ଉପରେ ଦାଉ ସାଧିବା ସହ ନିଜ ନିଜର ପ୍ରତିପତ୍ତି ଜାହିର କରିବାଲାଗି ବାହୁବଳୀ ନେତା ଓ ଅପରାଧିମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ବିପର୍ଯ୍ୟୟ ଘଟୁଥିବାରୁ ଏହାକୁ ରୋକିବାପାଇଁ ସୁପ୍ରିମ୍କୋର୍ଟ ଅପରାଧିକ ପୃଷ୍ଠଭୂମି ଥିବା ଲୋକ ପ୍ରତିନିଧିମାନଙ୍କ ବିଚାର ଅଗ୍ରାଧିକାର ଭିତ୍ତିରେ ସ୍ୱତନ୍ତ୍ର କୋର୍ଟରେ କରାଇବାପାଇଁ ଦେଇଥିବା ନିର୍ଦ୍ଦେଶ ଏବେ କାର୍ଯ୍ୟକାରୀ ହେଉଛି ।
ଏ ପରିପ୍ରେକ୍ଷୀରେ ଓଡିଶାର ପଞ୍ଚାୟତ ର୍ନିବାଚନରେ ଅପରାଧିମାନଙ୍କ ଭୂମିକା କାହାକୁ ଅଜଣା ନଥିଲେ ମଧ୍ୟ ସେମାନେ ଏ କ୍ଷେତ୍ରରେ କେତେ ସକ୍ରିୟ ତାହା କିଛିଦିନ ମଧ୍ୟରେ କମିଶନ, ସରକାର ଓ ଦଳୀୟ ତଥ୍ୟରୁ ସ୍ପଷ୍ଟ ହୋଇଯିବ । (ତଥ୍ୟ)