ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ରେ ସଂଶୋଧନ ବିଜ୍ଞପ୍ତି ଜାରି କରିଛି। ଏଥିରେ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନର, ୧୯୯୫ର ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି। ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନ କରାଯାଇଛି ।
ଏହା ପୂର୍ବରୁ ଏହି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ୩ ଅକ୍ଟୋବର ୨୦୨୩କୁ ସେହି ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା ଯେଉଁ ତାରିଖ ଠାରୁ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ସମ୍ବନ୍ଧରେ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ଏବଂ ଏହାର କାର୍ଯ୍ୟସୂଚୀରେ ଥିବା ଏଣ୍ଟ୍ରିଗୁଡ଼ିକ କାର୍ଯ୍ୟକାରୀ ହୋଇଛି।
କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ ୧୯୯୫ର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରିବା କ୍ଷେତ୍ରରେ ଏହି ଆଇନର ଧାରା ୧୬ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଥିଲା। ଏହି ଧାରାରେ ପ୍ରଥମ ଥର ପାଇଁ ୨ ବର୍ଷ ଏବଂ ପରବର୍ତ୍ତୀ ପ୍ରତ୍ୟେକ ଅପରାଧ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା ।
କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫କୁ ଅଧିକ ବ୍ୟବସାୟ ଅନୁକୂଳ କରିବା ଏବଂ ଏହି କ୍ଷେତ୍ର ପ୍ରତି ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଧାରା ୧୬ ଅଧୀନରେ ନିର୍ଦ୍ଦିଷ୍ଟ ଦଣ୍ଡଗୁଡ଼ିକୁ ପୁନଃ ଯାଞ୍ଚ କରାଯାଇ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ମାଧ୍ୟମରେ ଅପରାଧମୁକ୍ତ କରାଯାଇଛି ।
ଜେଲ ଦଣ୍ଡାଦେଶକୁ ଏବେ ଆର୍ଥିକ ଜରିମାନା ଏବଂ ଅନ୍ୟାନ୍ୟ ଅଣଆର୍ଥିକ ବ୍ୟବସ୍ଥା ଯଥା ମାର୍ଗଦର୍ଶିକା, ଚେତାବନୀ ଏବଂ ନିନ୍ଦା ଆଦିକୁ ପରିବର୍ତ୍ତନ କରାଯାଇଛି । ଆଜି ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିବା ନିୟମରେ ନିର୍ଦ୍ଦିଷ୍ଟ ‘କ୍ଷମତାପ୍ରାପ୍ତ ଅଧିକାରୀ’ଙ୍କ ଜରିଆରେ ଏହି ପଦକ୍ଷେପ ଗ୍ରହଣ କରାଯିବ ।
କେବଳ ସେତିକି ନୁହେଁ, ଧାରା ୧୬ ଅଧୀନରେ ଏବେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଆଦେଶ ବିରୋଧରେ ଏକ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି। ଧାରା ୧୭ ଓ ୧୮ କୁ ଅଯଥା ବୋଲି ବାଦ୍ ଦିଆଯାଇଛି।