ଭୁବନେଶ୍ୱର : ଓଡିଶାରେ ମହଜୁଦ ଥିବା ଖଣିଜ ସମ୍ପଦର ଲଗାମଛଡା ଅପବ୍ୟବହାର କରାଗଲେ ତାହା ଅଳ୍ପବର୍ଷ ଭିତରେ ଜଙ୍ଗଲ ସମ୍ପଦ ଭଳି ଉଜୁଡି ଯାଇପାରେ । ଏହାକୁ ଆଖିଆଗରେ ରଖି ଖଣିଜ ସମ୍ପଦର ଚୋରା କାରବାର ଏବଂ ବିଦେଶକୁ ରପ୍ତାନି ଉପରେ କଟକଣା ଜାରି କରାଯିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି ।
ଅନ୍ୟ ପକ୍ଷରେ ଖଣିଜ ସାମଗ୍ରୀର ଉତ୍ତୋଳନ, ବିପ୍ପଣନ ଓ ଖଣି ନିଲାମ ଆଦି ଯୋଗୁଁ ଓଡିଶା ସରକାର ବର୍ଷକୁ ପାଖାପାଖି ୫୦ହଜାର କୋଟି ଟଙ୍କା ଖଣି ରାଜସ୍ୱ ପାଉଛନ୍ତି । ତେବେ ଯେତେ ପରିମାଣର ଖଣିଜ ସାମଗ୍ରୀରୁ ରାଜସ୍ୱ ମିଳୁଛି ତାହା ଅପେକ୍ଷା ଢେର ଅଧିକ ପରିମାଣର ଖଣିଜ ସମ୍ପଦ ଲୁଟ୍ ହେଉଥିବା କଥା ଜଷ୍ଟିସ ଏମ୍ ବି ଶାହା କମିଶନଙ୍କ ରିପୋର୍ଟରୁ ସୂଚନା ମିଳିଥିଲା ।
ଦେଶର ସର୍ବାଧିକ କୋଇଲା ଓଡିଶାରେ ମହଜୁଦ ରହିଛି । ରାଜ୍ୟରେ ପାଖାପାଖି ୯୦ହଜାର ନିୟୁତ ଟନ୍ କୋଇଲା ମହଜୁଦ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ଓଡିଶାରୁ କୋଇଲା ନେଇ ଅନେକ ରାଜ୍ୟର କଳା କାରଖାନା ଚାଲୁଛି । ସେହିଭଳି ବୃଷ୍ଟିପାତର ଅନିୟମିତତା ଏବଂ ଉପରମୁଣ୍ଡରେ ପ୍ରବାହିତ ନଦୀଜଳକୁ ଅବରୋଧ କରାଯିବା ଆଦି କାରଣରୁ ଜଳବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଉଥିବାବେଳେ ତାପଜ ବିଦ୍ୟୁତ୍ ଏବେ ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ଅନ୍ୟ ରାଜ୍ୟକୁ ରପ୍ତାନି କରିବା ପାଇଁ ପ୍ରମୁଖ ଉତ୍ସ ହୋଇଛି । ଅବଶ୍ୟ ତାପଜ ବିଦ୍ୟୁତ୍ କେନ୍ଦ୍ର, କୋଇଲା ଖଣି ଓ ଅନ୍ୟାନ୍ୟ କଳ କାରଖାନାରେ ବ୍ୟବହାର କରାଯାଉଥିବା କୋଇଲା ଯୋଗୁଁ ରାଜ୍ୟରେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ସମସ୍ୟା ବୃଦ୍ଧି ପାଉଛି ।
ଓଡିଶାରେ ମହଜୁଦ ଥିବା ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକ୍ସାଇଟ୍, ଚିନାମାଟି, ବିରଳମୃତ୍ତିକା ଆଦି ଉପରେ ଅନେକଙ୍କ ନଜର ରହିଛି । ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଥିବା ପରିପ୍ରେକ୍ଷୀରେ ଏହା ଦଖଲ କରିବାଲାଗି ବି ଉଦ୍ୟମ ଆରମ୍ଭ ହୋଇଯାଇଛି ।
ସର୍ବଶେଷ ସରକାରୀ ଆକଳନ ମୁତାବକ ଓଡିଶାରେ ପାଖପାଖି ଏକ ଲକ୍ଷ ନିୟୁତ ଟନ୍ ଲୁହାପଥର, ୩ହଜାର ନିୟୁତ ଟନ୍ ବକ୍ସାଇଟ୍, ୩୦୦ ନିୟୁତ ଟନ୍ରୁ ଅଧିକ କ୍ରୋମାଇଟ୍ ମହଜୁଦ ରହିଛି । ଏହାଛଡା ପ୍ରାୟ ୨୦୦ ନିୟୁତ ଟନ୍ ମାଙ୍ଗାନିଜ୍, ୧୭୫ ନିୟୁତ ଟନ୍ ନିକେଲ, ୩୦୦ ନିୟୁତ ଟନ୍ ଚିନାମାଟି, ୨୫ ନିୟୁତ୍ ଟନ୍ ଗ୍ରାଫାଇଟ୍ ମଧ୍ୟ ରହିଛି ।
ଓଡିଶାରେ ଆଜବେଷ୍ଟସ, ବେସ୍ ମେଟାଲ, ଲିଗ୍ନାଇଟ୍, କୋବାଲ୍ଟ, ଡୋଲୋମାଇଟ୍, ଫାୟାର କ୍ଲେ, ଚୂନପଥର, ଟିଣ ପଥର, ଭାନାଡିୟମ ଠାରୁ ଆରମ୍ଭ କରି ପ୍ରଚୁର ପରିମାଣର ମୂଲ୍ୟବାନ୍ ରତ୍ନପଥର ମଧ୍ୟ ଉପଲବ୍ଧ ହେଉଛି । ଓଡିଶା ପାଇଁ ପ୍ରକୃତି ନଦୀ, ସମୁଦ୍ର, ପାହାଡ, ପର୍ବତ ସମେତ ବଣ, ଜଙ୍ଗଲ ଓ ଖଣି ଖାଦାନ ଭଳି ବିପୁଳ ସମ୍ଭାର ସଜାଇ ରଖିଥିଲେ ବି ଏଗୁଡିକର ଉତ୍ପାଦନ ଭିତ୍ତିକ ଉପଯୋଗ କରି ରାଜ୍ୟ ଅର୍ଥନୀତିକୁ ଯେତେ ପରିମାଣର ସମୃଦ୍ଧ କରାଯିବା କଥା ତାହା ଏଯାବତ୍ ହୋଇପାରି ନାହିଁ ।
ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ବିଦେଶୀ ଓ କର୍ପୋରେଟ ଜଗତର ଅଧିକ ପୁଞ୍ଜି ବିନିଯୋଗ କରାଯିବା ଫଳରେ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ଓଡିଶାର ପ୍ରାକୃତିକ ସମ୍ପଦରୁ ଭରପୂର ଫାଇଦା ଉଠାଉଥିବାବେଳେ ଖଣିଜ ସମ୍ପଦ ଭରା ଅଞ୍ଚଳରେ ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଦି କ୍ଷେତ୍ରରେ ଢେର ପଛରେ ପଡିଛନ୍ତି ଏବଂ ଏହିସବୁ ଜିଲ୍ଲାଗୁଡିକରେ ଅପପୁଷ୍ଟି, ରକ୍ତହୀନତା ଆଦି ସମସ୍ୟା ଲାଗି ରହିଛି । (ତଥ୍ୟ)