Home General ଅପଡେଟ୍‍ ହେଉନି କ୍ଷତିଗ୍ରସ୍ତଙ୍କ ତାଲିକା

ଅପଡେଟ୍‍ ହେଉନି କ୍ଷତିଗ୍ରସ୍ତଙ୍କ ତାଲିକା

ଭୁବନେଶ୍ୱର : ମହାନଦୀ କୋଲ ଫିଲ୍ଡ (ଏମସିଏଲ୍‍)ର ବସୁନ୍ଧରା କୋଇଲା ଖଣି ପାଇଁ ବିସ୍ଥାପିତ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ତାଲିକା ପ୍ରତିବର୍ଷ ଅପଡେଟ୍‍ ହେଉନାହିଁ । ଫଳରେ ଲୋକେ ଠିକଣା ଭାବେ ଥଇଥାନ ହୋଇପାରୁ ନାହାନ୍ତି କି ନିଯୁକ୍ତି ପାଉନାହାନ୍ତି । ଏଭଳି ତାଲିକା ପ୍ରସ୍ତୁତ ସଂକ୍ରାନ୍ତରେ ବାସ୍ତବ ଚିତ୍ର ଜାଣିବାପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ।

ବିଧାୟିକା ଶ୍ରୀମତୀ ଟେଟେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସୁନ୍ଦରଗଡ ଜିଲ୍ଲାର ବସୁନ୍ଧରା କୋଇଲା ଖଣି ପାଇଁ ଏମସିଏଲ୍‍ ୧୯୮୯ ମସିହାରେ ୧୪ଟି ଗାଁର ଜମି ଅଧିଗ୍ରହଣ କରିଥିଲା । ୧୯୯୪ ମସିହାରେ ଏଠାରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଥିଲା । ତେବେ ଏହି ୧୪ଟି ଗ୍ରାମରେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ଏମସିଏଲ୍‍ କର୍ତ୍ତୃପକ୍ଷ ୨୦୧୦ ମସିହା ପର୍ଯ୍ୟନ୍ତ ଜମି ପାଇଁ କ୍ଷତିପୂରଣ ପ୍ରଦାନ ଓ ଥଇଥାନ ଜାରି ରଖିଥିଲେ । କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୦ କୁ ଶେଷ ତାରିଖ ଭାବେ ଧାର୍ଯ୍ୟ ହୋଇଥିଲା ।

୨୦୧୦ ପରଠାରୁ ଏମସିଏଲ୍‍ ଆଉ କ୍ଷତିପୂରଣ ଦେଉନାହିଁ କିମ୍ବା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରୁନାହିଁ । ଏବେ ବି କ୍ଷତିଗ୍ରସ୍ତ ଲୋକେ ସେମାନଙ୍କ ଭିଟାମାଟିରେ ରହିଛନ୍ତି । ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ୱେ ଏମସିଏଲ୍‍ କ୍ଷତିଗ୍ରସ୍ତଙ୍କ ତାଲିକାକୁ ଅପଡେଟ୍‍ କରୁନାହିଁ । ଗ୍ରାମବାସୀମାନେ ଓଡିଶା ସରକାରଙ୍କ ୨୦୦୬ର କ୍ଷତିପୂରଣ ଏବଂ ଥଇଥାନ ନୀତି ଆଧାରରେ କ୍ଷତିଗ୍ରସ୍ତଙ୍କ ତାଲିକା ଅପଡେଟ୍‍ ପାଇଁ ଦାବି କରୁଛନ୍ତି ।

ଏ ନେଇ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ମାନ୍ୟବର କ୍ଲେମ କମିଶନଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ୨୦୧୮ ରେ ହୋଇଥିବା ଶ୍ୟାମସୁନ୍ଦର ନାୟକ ଏବଂ ବସୁନ୍ଧରା ଏମ୍‍ସିଏଲ୍‍ ମାମଲାର ବିଚାରକରି କମିଶନ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବା ସହିତ ପ୍ରତିବର୍ଷ କ୍ଷତିଗ୍ରସ୍ତଙ୍କ ତାଲିକା ଅପଡେଟ୍‍ ପାଇଁ କହିଥିଲେ ।

ତେବେ ଚଳିତମାସ ୧୦ତାରିଖରେ ସୁନ୍ଦରଗଡର ସଦଭାବନା ଗୃହରେ କ୍ଷତିଗ୍ରସ୍ତ ଗ୍ରାମବାସୀ, ଏମସିଏଲ୍‍ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ ଓଡିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ଏ ନେଇ ସ୍ପଷ୍ଟିକରଣ ମାଗିବାକୁ ନିଷ୍ପତ୍ତି ହୋଇଥିଲା ।

କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିବର୍ଷ ଜାନୁୟାରୀ ଏକ ତାରିଖରେ ଏମସିଏଲ୍‍ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କର ତାଲିକା ଅପଡେଟ୍‍ କରୁଛନ୍ତି କି ନାହିଁ ଏବଂ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେଉଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇଦେବାକୁ ବିଧାୟିକା ଶ୍ରମତୀ ଟେଟେ ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଥିବା ଉଲ୍ଲେଖ କରିଛନ୍ତି ।