Home Forest ଅନ୍ୟ ରାଜ୍ୟରୁ ଆସିବାରେ ଯମୁନା ତୃତୀୟ

ଅନ୍ୟ ରାଜ୍ୟରୁ ଆସିବାରେ ଯମୁନା ତୃତୀୟ

ଭୁବନେଶ୍ୱର : ଶିମିଳିପାଳରେ ଛଡା ଯାଇଥିବା ବାଘୁଣୀ ଯମୁନା ହେଉଛି ଗତ ୧୦ବର୍ଷ ମଧ୍ୟରେ ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିଥିବା ତୃତୀୟ ମହାବଳ । ପୂର୍ବରୁ ମଧ୍ୟପ୍ରଦେଶ ଜଙ୍ଗଲରୁ ଦୁଇଟି ମହାବଳ ଓଡିଶାକୁ ଅଣାଯାଇଥିଲା ।

ଓଡିଶାରେ ବାଘବଂଶ ବିସ୍ତାର ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ମହାବଳମାନଙ୍କୁ ଆଣି ଓଡିଶା ଜଙ୍ଗଲରେ ଛାଡୁଛନ୍ତି । ପୂର୍ବରୁ ମଧ୍ୟପ୍ରଦେଶ ଜଙ୍ଗଲୁ ଦୁଇଟି ମହାବଳ ଓଡିଶାକୁ ଆଣି ସାତକୋଶିଆରେ ଛଡା ଯାଇଥିବାବେଳେ ସେଥି ମଧ୍ୟରେ ଗୋଟିଏ ବାଘୁଣୀ ରହିଥିଲା । ୨୦୧୮ ମସିହାରେ ଏହି ଦୁଇ ମହାବଳଙ୍କୁ ଓଡିଶା ଅଣାଯାଇଥିବାବେଳେ ଏହା ଥିଲା ଭାରତର ପ୍ରଥମ ବାଘ୍ର‌୍ୟ ସ୍ଥାନାନ୍ତରଣ ପ୍ରକ୍ରିୟା । ତେବେ ଓଡିଶାକୁ ଆସିଥିବା ଦୁଇ ମହାବଳ ମହାବୀର ଓ ସୁନ୍ଦରୀ କିନ୍ତୁ ବେଶୀଦିନ ଏଠାରେ ତିଷ୍ଠି ନଥିଲେ ।

୨୦୧୮ ମସିହାରେ ହିଁ ମହାବୀରର ଅସ୍ୱାଭାବିକ ସ୍ଥିତିରେ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଲୋକଙ୍କୁ ସୁନ୍ଦରୀ ଶିକାର କରିବାର ଅଭିଯୋଗ ଆସିଥିଲା । ତେବେ ସୁନ୍ଦରୀ ପ୍ରାୟ ୩ବର୍ଷ ଓଡିଶାରେ ରହିବାପରେ ତାହାକୁ ୨୦୨୧ରେ ମଧ୍ୟପ୍ରଦେଶକୁ ଫେରାଇ ଦିଆଯାଇଥିଲା । ଏହା ପରଠାରୁ ଓଡିଶା ଅନ୍ୟ ସ୍ଥାନରୁ କୌଣସି ବାଘକୁ ଆଣିନଥିବାବେଳେ ଏବେ ପୁଣିଥରେ ମହାରାଷ୍ଟ୍ରରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳରେ ଛଡାଯାଇଛି ।

ତେବେ ୨୦୨୪ ମସିହାରେ ହୋଇଥିବା ବାଘ ଗଣନା ଅନୁଯାୟୀ ଶିମିଳିପାଳରେ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି ବାଘ ରହିଛନ୍ତି । ଏଥି ସହିତ ସେଠାରେ ୮ଟି ମହାବଳ ବାଘ ଶାବକ ରହିଥିବା ମଧ୍ୟ ଗଣନା ସମୟରେ ଜଣାପଡିଥିଲା । ଏବେ ବାଘୁଣୀ ଯମୁନା ସେମାନଙ୍କ ସହିତ ଯୋଡିହେବା ପରେ ମହାବଳ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଯଦି ସରକାରଙ୍କର ସମସ୍ତ ଯୋଜନା ଠିକ୍‍ଠାକ୍‍ ଚାଲେ ତେବେ ବାଘସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଉଲ୍ଲେଖନୀୟ ଯେ ଶେଷ ବାଘ ଗଣନା ସମୟରେ ଶିମିଳିପାଳରେ ୨୪ଟି ବାଘ ଠାବ ହୋଇଥିବାବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଏବଂ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନରେ ଗୋଟିଏ କରି ମହାବଳ ଥିବା ଜଣାଯାଇଥିଲା । ଏହି ହିସାବ ଅନୁଯାୟୀ ରାଜ୍ୟରେ ମୋଟ୍‍ ୨୭ଟି ମହାବଳ ଥିବାବେଳେ ଏବେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ତେବେ ଗତ ୧୦ବର୍ଷ ମଧ୍ୟରେ ଓଡିଶାରେ ୭ଟି ମହାବଳ ବାଘର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ବଲାଙ୍ଗିର, ଶିମିଳିପାଳ, ବରଗଡ, ସାତକୋଶିଆ, କେନ୍ଦୁଝର ବନଖଣ୍ଡରେ ଗୋଟିଏ କରି ମରିଥିବାବେଳେ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ଦୁଇଟି ମହାବଳ ମରିଥିଲେ । ତେବେ ବରଗଡ ବନଖଣ୍ଡରେ ମହାବଳ ଶିକାରୀଙ୍କ ହାତରେ ମରିଥିବାବେଳେ ସାତକୋଶିଆ ଓ ବଲାଙ୍ଗିର ବନଖଣ୍ଡରେରେ ଦୁଇ ବାଘଙ୍କ ମଧ୍ୟରେ ଲଢେଇରେ ଦୁଇଟି ମହାବଳ ମରିଥିବାର ସୂଚନା ମିଳିଥିଲା । ସେହିଭଳି ଏହି ସମୟ ମଧ୍ୟରେ ବିଭିନ୍ନ ବନଖଣ୍ଡରେ ୪୮ଟି କଲରାପତରିଆ ବାଘ ମରିଥିବାର ସୂଚନା ମିଳିଥିଲା । (ତଥ୍ୟ)