ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଢେର ଅଧିକ ଚାଉଳ ଉତ୍ପାଦନ ଏବେ ଅନ୍ୟ ଚାଷପାଇଁ କାଳ ହୋଇଛି । ଧାନ ଚାଷ କରୁଥିବାବେଳେ ଚାଷୀମାନେ ସରକାରଙ୍କୁ ଧାନ ବିକି ତତ୍କାଳ ଅର୍ଥ ପାଇଯାଉଥିବାରୁ ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି ।
ରାଜ୍ୟର ଆଗଧାଡିର ଚାଷୀମାନେ କହିଛନ୍ତି ଯେ ସରକାର ଯେଭଳି ଧାନ ବିକ୍ରିକରି ଚାଷୀଙ୍କୁ ୪୮ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ କରୁଛନ୍ତି ଅନ୍ୟ ଫସଲ କ୍ଷେତ୍ରରେ ତାହା ହେଉନାହିଁ । ବିଶେଷକରି ଡାଲି ଜାତୀୟ ଶସ୍ୟ ଓ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ତାହା ହେଉନଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେଉଁଥିପାଇଁ ରାଜ୍ୟରେ ଏହାର ଉତ୍ପାଦନ ଆଶାନୁରୂପ ହୋଇପାରୁ ନାହିଁ ।
ଗତ ବର୍ଷ ରାଜ୍ୟରେ ୪୦ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ଧାନ ଚାଷ ହୋଇଥିବାବେଳେ ୧୧୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ରାଜ୍ୟର ଆବଶ୍ୟକତା ଥିବା ପ୍ରାୟ ୬୪ଲକ୍ଷ ମେଟ୍ରିକ ଟନ୍ । ଓଡିଶାରେ ଆବଶ୍ୟକତା ଠାରୁ ଢେର ଅଧିକ ଚାଉଳ ଉତ୍ପାଦନ ହୋଇଛି । ସରକାର ଧାନ ଖରିଦ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସହ ଚାଷୀଙ୍କ ଘରପାଖରୁ ଧାନ କିଣୁଥିବାରୁ ଚାଷୀମାନେ ପ୍ରାୟ ସବୁ ଜିଲ୍ଲାରେ ଧାନଚାଷ ପାଇଁ ଆଗ୍ରହୀ ।
ଧାନ ଉତ୍ପାଦନ ଆବଶ୍ୟକତା ଠାରୁ ଢେର ଅଧିକ ହୋଇଥିବାବେଳେ ଡାଲି ଉତ୍ପାଦନ ଚାହିଦା ଠାରୁ ସାମାନ୍ୟ ଅଧିକ ରହିଛି । ରାଜ୍ୟର ଡାଲି ଚାହିଦା ୧୧ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ଉତ୍ପାଦନ ହୋଇଛି ୧୩ଲକ୍ଷ ମେଟ୍ରିକ ଟନ୍ । ତେବେ ହରଡଡାଲି ଉତ୍ପାଦନ ୨ଲକ୍ଷ ମେଟ୍ରିକ ଟନ୍ରୁ କମ୍ ରହିଥିବାରୁ ଓଡିଶା ବର୍ଷସାରା ଅନ୍ୟ ରାଜ୍ୟରୁ ଡାଲି ଆମଦାନୀ କରୁଛି । କାରଣ ରାଜ୍ୟବାସୀ ଖାଉଥିବା ଡାଲି ମଧ୍ୟରେ ସର୍ବାଧିକ ରହିଛି ହରଡ । ସେହିଭଳି ଚାଷୀମାନେ ଉତ୍ପାଦନ କରୁଥିବା ବିରି, ମୁଗ, କୋଳଥ ଆଦି ଡାଲି ଜାତୀୟ ଶସ୍ୟ ଧାନ ଭଳି ସରକାର ଖରିଦ କରୁନାହାନ୍ତି କି ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି ।
ତୈଳବୀଜ ଉତ୍ପାଦନର ଅବସ୍ଥା ଅତି ଶୋଚନୀୟ । ରାଜ୍ୟରେ ଆବଶ୍ୟକ ୨୧ଲକ୍ଷ ମେଟ୍ରିକ ଟନ୍ । ହେଲେ ଉତ୍ପାଦନ ହୋଇଛି ୬ଲକ୍ଷ ମେଟ୍ରିକ ଟନ୍ । ଚାଷୀମାନେ ତୈଳବୀଜ ଚାଷ ପ୍ରତି ଆଦୌ ଆଗ୍ରହୀ ନୁହନ୍ତି । ରାଜ୍ୟରେ ଏକଦା ଲୋକପ୍ରିୟ ଥିବା ସୁବର୍ଣ୍ଣା ତେଲ ଉତ୍ପାଦନ ବନ୍ଦ ହୋଇଯିବା ପରେ ସରକାରୀ ସ୍ତରରେ ଖାଇବା ତେଲ ଉତ୍ପାଦନର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସରକାର ତୈଳବୀଜ କିଣିବାପାଇଁ ସେଭଳି କୌଣସି ବ୍ୟବସ୍ଥା କରିନାହାନ୍ତି । ଏଥିଯୋଗୁଁ ଚାଷୀମାନେ ତୈଳବୀଜ ଚାଷ ଅପେକ୍ଷା ଧାନ ଚାଷ କରି ଦୁଇପଇସା ପାଇବାପାଇଁ ଆଗ୍ରହୀଥିବା ମତ ଦେଇଛନ୍ତି ।
ଡାଲି, ତେଲ ଭଳି ଆଳୁ, ପିଆଜ ଆଦି କୃଷିଜାତ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଯେହେତୁ ସରକାର ଚାଷୀଙ୍କ ଠାରୁ ଏହିସବୁ ସାମଗ୍ରୀ ଖରିଦ କରୁନାହାନ୍ତି ତେଣୁ ବାହାର ରାଜ୍ୟର ବେପାରୀଙ୍କ ହାତରେ ଶାଗ ମାଛ ଦରରେ ଟେକିଦେବା ଅପେକ୍ଷା ଚାଷୀମାନେ ଏହାକୁ ଚାଷ କରୁନାହାନ୍ତି । ଏହା ବଦଳରେ ଧାନ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
ଚଳିତ ଖରିଫ ଋତୁରେ ସରକାର ଧାନ କୁଇଣ୍ଟାଲ ଉପରେ ୮୦୦ ଟଙ୍କାର ଇନ୍ପୁଟ୍ ସବସିଡ୍ ପ୍ରଦାନ କରି ମୋଟ୍ ୩୧ ଟଙ୍କାରେ କିଣିବେ । ହେଲେ ଡାଲି, ତୈଳବୀଜ ଆଦି ଅନ୍ୟ କୃଷିଜାତ ସାମଗ୍ରୀ ଉପରେ କୌଣସି ରିହାତି ଘୋଷଣା ହୋଇନାହିଁ । ଏହାର ପ୍ରଭାବ ଆଗାମୀ ଦିନରେ ଅର୍ଥକରୀ ଫସଲ ଉତ୍ପାଦନ ଉପରେ ପଡିବ ବୋଲି ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)