Home Culture ଅନୁଭବରୁ ଅନୁଭୂତି ଲୋକାର୍ପିତ

ଅନୁଭବରୁ ଅନୁଭୂତି ଲୋକାର୍ପିତ

ଭୁବନେଶ୍ୱର : ସିନ୍ଧୁଜା ପ୍ରକାଶନୀ ପକ୍ଷରୁ ଡାକ୍ତର ଦାମୋଦର ରାଉତଙ୍କ ପୁସ୍ତକ ‘ଅନୁଭବରୁ ଅନୁଭୂତି’ ଆଜି ଲୋକାର୍ପିତ ହୋଇଛି । ସମ୍ବାଦର ସମ୍ପାଦକ ତଥା ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ କରକମଳରେ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ସିନ୍ଧୁଜାର ପରିଚାଳନା ନିର୍ଦ୍ଦେଶକ ମାଧବାନନ୍ଦ ବେହୁରା ଲୋକାର୍ପଣ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ କବି ଓ ସାମ୍ବାଦିକ ଅକ୍ଷୟ ସ୍ମାଇର୍ ସ୍ୱାଗତ ଭାଷଣ ଦେଇ ପୁସ୍ତକ ଉପରେ ଆଲୋକପାତ କରିଥିଲେ । ସିନ୍ଧୁଜା ପତ୍ରିକାର ପ୍ରକାଶିକା ଶର୍ମିଳା ସାହୁ ମଞ୍ଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବାବେଳେ ଅଧ୍ୟାପକ ଆଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁସ୍ତକର ଲେଖକ ଡାକ୍ତର ରାଉତ ତାଙ୍କ ଲେଖକୀୟ ମନ୍ତବ୍ୟରେ ଏହି ପୁସ୍ତକଟି ତାଙ୍କ ରାଜୀନୈତିକ ଜୀବନର ଅନୁଭୂତି ବୋଲି ମତ ଦେଇଥିଲେ ।

ପୂର୍ବତନ ପ୍ରଶାସକ ଶ୍ରୀ ମିଶ୍ର କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ସମ୍ମୋହନ ମୁକ୍ତ ହେବା ଦରକାର । ଏହା ନହେଲେ ଗଣତନ୍ତ୍ର ବିପଦକୁ ଚାଲିଯିବ । ପୂର୍ବତନ ସାଂସଦ ଡକ୍ଟର ପାଟ୍ଟଶାଣୀ ‘ବିଧାନସଭାରେ କିଛି ତ ହୁଏନା’ ଶୀର୍ଷକ କବିତା ପାଠ କରିଥିଲେ । ଏଥି ସହିତ ଦାମ ବାବୁ ଜଣେ ସ୍ପଷ୍ଟବାଦୀ ଏବଂ ସେ କାହାକୁ ଛାଡନ୍ତି ନାହିଁ ଏପରିକି ମୋତେ ଛାଡି ନାହାନ୍ତି ବୋଲି ମତ ଦେଇଥିଲେ ।

ମୁଖ୍ୟ ଅତିଥି ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଦାମ ବାବୁ ମୁହଁ ଖୋଲିଲେ ଖବର ବର୍ଷିଥାଏ । ଦାମ ବାବୁ ନିଜର ଆତ୍ମଜୀବନୀ ଲେଖନ୍ତୁ । ଯଦି ସିଏ ଚାହୁଁ ନାହାନ୍ତି ତାଙ୍କ ଜୀବଦଶାରେ ଏହା ଛପା ହେଉବୋଲି, ତେବେ ତାହାକୁ ନଛପାନ୍ତୁ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅନୁଭବର ଅଭାବ ଘଟିଲେ ସାହିତ୍ୟ ଶକ୍ତିଶାଳୀ ହୁଏନି । ଏଥି ସହିତ ଦଳତନ୍ତ୍ର ଏବେ ଅମଲାତନ୍ତ୍ର ହୋଇଛି ଏବଂ ସଚିବ କି ମନ୍ତ୍ରୀ କିଏ ବଡ ତାହାକୁ ନେଇ ରାଜ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାମବାବୁ ବିଜୁଙ୍କ ଶିଷ୍ୟ ଏବଂ ସେ ତାଙ୍କ ଠାରୁ ବହୁତ କିଛି ଶିଖିଛନ୍ତି ବୋଲି ମତ ଦେଇଥିଲେ । ଏହି ଅବସରରେ ଡାକ୍ତର ଦାମୋଦରଙ୍କ ସୁପୁତ୍ର ତଥା ବିଧାୟକ ସମ୍ବିତ ରାଉତରାୟ ପୁସ୍ତକ ଉପରେ ନିଜର ମତ ଦେଇଥିବାବେଳେ କନ୍ୟା ପ୍ରୀତିନନ୍ଦା ରାଉତରାୟ ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ ଅର୍ପିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।