Home Judiciary ଅନୁକମ୍ପା ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ

ଅନୁକମ୍ପା ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର : ଅମଲାତନ୍ତ୍ରର ତ୍ରୁଟିପୂର୍ଣ୍ଣ ତଥ୍ୟ ଆଧାରରେ ନିଆଯାଇଥିବା ନିୟମ ବର୍ହିଭୂତ ନିଷ୍ପତ୍ତି ଯୋଗୁ ଜଣେ ମୃତ ସରକାରୀ କର୍ମଚାରୀଙ୍କ ପୁଅ ଅନୁକମ୍ପାମୂଳକ ନିଯୁକ୍ତିରୁ ବାଦ୍‍ ପଡିବା ଘଟଣା ହାଇକୋର୍ଟଙ୍କ ନଜରକୁ ଆସିବା ପରେ ଅଦାଲତ ଏଭଳି ନିଷ୍ପତ୍ତିକୁ ବାତିଲ୍‍ କରିଦେଇ ସେ ସମୟର ପ୍ରଚଳିତ ଆଇନ ଆଧାରରେ ନିଯୁକ୍ତି ଦେବା ସଂକ୍ରାନ୍ତରେ ୨ମାସ ମଧ୍ୟରେ ସରକାର ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଆବେଦନକାରୀ ଶୁଭମ୍‍ ପାତ୍ରଙ୍କ ମାମଲାର ବିସ୍ତୃତ ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି । ଏହି ମାମଲା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରହଲ୍ଲାଦ କୁମାର ସିଂହ ଓ ଅମୀୟ ଛାଟୋଇ ଲଢିଥିବାବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଏମ୍‍. କେ. ବଳବନ୍ତରାୟ ପରିଚାଳନା କରୁଥିଲେ ।

ମାମଲାର ବିବରଣୀରୁ ପ୍ରକାଶ ଯେ, କୋରାପୁଟର ଡିଏଫ୍‍ଓଙ୍କ ଦପ୍ତରରେ ବରିଷ୍ଠ କିରାଣି ଭାବେ କାମ କରୁଥିବାବେଳେ ଆବେଦନକାରୀଙ୍କ ପିତା ୨୦୧୦ ସେପ୍ଟେମ୍ବର ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପରିବାରର ଅନ୍ୟକୌଣସି ରୋଜଗାର ସୂତ୍ର ନଥିବାରୁ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ୯ା୮ା୨୦୧୧ରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ ଏବଂ ଜିଲ୍ଲାପାଳ ତଦନ୍ତ କରି ପରିବାରର ଆର୍ଥିକ ସ୍ଥିତି ଦୟନୀୟ ଥିବା ଦର୍ଶାଇଥିଲେ ।

ତେବେ ୪ବର୍ଷ ମଧ୍ୟରେ ନିଯୁକ୍ତି ମିଳି ନଥିବାବେଳେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଗୁରୁତର ଭାବେ ରୋଗାକ୍ରାନ୍ତ ହେବାରୁ ତାଙ୍କୁ ମେଡିକାଲ ବୋର୍ଡ ସରକାରୀ ଚାକିରି ଲାଗି ଅନୁପଯୁକ୍ତ ଘୋଷଣା କରିବାରୁ ତାଙ୍କ ପୁଅ ଶୁଭମ୍‍ ୨୦୧୫ ମସିହାରେ ଚାକିରି ପାଇଁ ଆବେଦନ କରିଥିଲେ ଏବଂ ଡିଏଫ୍‍ଓ, ଆର୍‍ସିସିଏଫ୍‍ ଓ ପିସିସିଏଫ୍‍ ଶୁଭମ୍‍ଙ୍କୁ ଡିଏଫ୍‍ଓଙ୍କ ଦପ୍ତରରେ ଖାଲି ପଡିଥିବା କନିଷ୍ଠ କିରାଣି ପଦବୀରେ ନିଯୁକ୍ତି ଦେବାକୁ ସୁପାରିସ କରିଥିବାବେଳେ ତାଙ୍କ ଆବେଦନକୁ ୫ା୧ା୨୦୧୭ରେ ସରକାର ନାକଚ କରିଦେଇଥିଲେ ।

ଜଙ୍ଗଲ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ଜଣାଇ ଦେଇଥିଲା ଯେ ଶୁଭମ୍‍ଙ୍କ ପିତାଙ୍କ ମୃତ୍ୟୁ ୨୦୦୬ ମସିହାରେ ହୋଇଥିଲା ଏବଂ ଅନୁକମ୍ପା ନିଯୁକ୍ତି ଲାଗି ଆବେଦନ କରିବା ବେଳକୁ ସେ ନାବାଳକ ଥିଲେ । ଏହାଛଡା ତାଙ୍କ ମା’ ଆବେଦନ କରି ନଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇପାରିବ ନାହିଁ । ସରକାରଙ୍କ ତଥ୍ୟ ପ୍ରମାଣ ଓ ଆବେଦନକାରୀଙ୍କ ଯୁକ୍ତିକୁ ଟିକିନିଖି ବିଶ୍ଳେଷଣ କରି ହାଇକୋର୍ଟ କହିଛନ୍ତି ଯେ ସରକାରୀ କାଗଜପତ୍ର ମୁତାବକ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ୨୦୦୬ରେ ନୁହେଁ ୨୦୧୦ ମସିହାରେ ହୋଇଥିଲା ଏବଂ ଏହାପରେ ତାଙ୍କ ପତ୍ନୀ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ମେଡିକାଲ ବୋର୍ଡକୁ ପଠାଇବା ପରେ ସମ୍ପୃକ୍ତ ବୋର୍ଡ ତାଙ୍କୁ ଚାକିରି ପାଇଁ ଅନୁପଯୁକ୍ତ ଘୋଷଣା କରିବାରୁ ପରିବାରର ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଶୁଭମ୍‍ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିବା ବେଳକୁ ସେ ସାବାଳକ ଥିଲେ । ଏ ପରିପ୍ରେକ୍ଷୀରେ ତ୍ରୁଟିପୂର୍ଣ୍ଣ ସରକାରୀ ତଥ୍ୟ ଆଧାରରେ ଶୁଭମ୍‍ଙ୍କ ଆବେଦନକୁ ନାକଚ କରିଦିଆଯିବା ଠିକ୍‍ ହୋଇନାହିଁ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି ।

ବିଚାରପତି ଶ୍ରୀ ଶତପଥୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ପୂର୍ବରୁ ଅଜିତ୍‍ କୁମାର ବାରିକଙ୍କ ମାମଲା ସମେତ ଆଉ ଅନେକ ମାମଲାରେ ଅନୁରୂପ ଘଟଣାରେ ମା’ଙ୍କ ଅସୁସ୍ଥତା କାରଣରୁ ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାର ନଜିର ରହିଛି । ନିକଟରେ ମଳୟା ନନ୍ଦ ସେଠୀ ମାମଲାରେ ସୁପ୍ରିମ୍‍କୋର୍ଟ ଅନୁରୂପ ପ୍ରସଙ୍ଗରେ ନିଯୁକ୍ତି ଦେବାକୁ ରାୟ ଶୁଣାଇଥିଲେ । ଏହିସବୁ ରାୟକୁ ସରକାରୀ ପ୍ରତିପକ୍ଷ ଅନୁସରଣ କରିବା ସହିତ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁବେଳକୁ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଯେଉଁ ଆଇନ ବଳବତ୍ତର ଥିଲା ସେହି ଆଧାରରେ ଆବେଦନକାରୀ ଶୁଭମ୍‍ ପାତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତରେ ୨ମାସ ମଧ୍ୟରେ କର୍ତ୍ତୃପକ୍ଷ ନଷ୍ପତ୍ତି ନେବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)