ଭୁବନେଶ୍ୱର : ଚାକିରିରେ ଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଆର୍ôଥକ ଦୁସ୍ଥିତିରୁ ରକ୍ଷା କରିବା ପାଇଁ ପରିବାରର ଜଣେ ସଦସ୍ୟଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ଯେଉଁ ସରକାରୀ ବ୍ୟବସ୍ଥା ଥିଲା ତାହାର ଠିକଣା ଅନୁପାଳନ କରାଯାଉନଥିବାରୁ ଅନେକ ମୃତ କର୍ମଚାରୀଙ୍କ ପୁଅ-ଝିଅ ବର୍ଷ ବର୍ଷ ଧରି ଚାକିରି ଖଣ୍ଡେ ପାଇଁ ଦୌଡି ଦୌଡି ନୟାନ୍ତ ହେବାପରେ ଶେଷରେ ଆଇନ ଅଦାଲତର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏହାସତ୍ତ୍ୱେ ବି ବିଭିନ୍ନ ଆଳ ଦେଖାଇ ବର୍ଷ ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତିରେ ଯୋଗ୍ୟ ପ୍ରାର୍ଥୀଙ୍କୁ ବଞ୍ôଚତ କରାଯାଉଥିବା ଘେନି ଗୁରୁତର ଅଭିଯୋଗ ହେଉଛି ।
ଅନୁକମ୍ପାମୂଳକ ନିଯୁକ୍ତି ଲାଗି ପୂର୍ବରୁ କୌଣସି ଆଇନ ନଥିଲା । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଜଣଙ୍କୁ କର୍ତ୍ତୃପକ୍ଷ ତୁରନ୍ତ ନିଯୁକ୍ତି ଦେଉଥିଲେ । ଏହାପରେ ଶ୍ରମ ଓ ନିଯୁକ୍ତି ବିଭାଗ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରି ଅନୁକମ୍ପାମୂଳକ ନିଯୁକ୍ତି ବ୍ୟବସ୍ଥିତ କରିବା ବେଳେ ପରିବାରର ଆର୍ଥିକ ଦୁସ୍ଥିତି ଉପରେ ଗୁରୁତ୍ୱ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାର ବ୍ୟବସ୍ଥା କରିଥିଲେ ।
୧୯୯୦ ମସିହାରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ ଏବଂ ଏହି ଆଇନରେ ବି ନିଯୁକ୍ତି ପାଇଁ ଆବେଦନପତ୍ର ପାଇବା ପରେ କର୍ତ୍ତୃପକ୍ଷ ଜିଲ୍ଲାପାଳମାନଙ୍କ ଜରିଆରେ ମୃତ କର୍ମଚାରୀଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପରେ ତୁରନ୍ତ ନିଯୁକ୍ତି ଦେବାକୁ ବ୍ୟବସ୍ଥା ରଖିଥିଲେ । ମୋଟାମୋଟି ଭାବେ ୧୯୯୮ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିଥିଲା ।
ରାଜ୍ୟର ଆର୍ଥିକ ସ୍ଥିତି ବିଗିଡିବାରୁ ଗୋଟିଏ ସମୟରେ ସରକାର ଦୈନନ୍ଦିନ ଖର୍ଚ୍ଚ ଭରଣା ପାଇଁ ଓଭର ଡ୍ରାଫ୍ଟ କରିବାକୁ ବାଧ୍ୟ ହେଲେ । ଏ ପରିପ୍ରେକ୍ଷୀରେ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ଓ କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ନୂଆ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇବା ସହିତ ନୂଆ ପଦପଦବୀ ସୃଷ୍ଟି ଉପରେ କଟକଣା ଜାରି ସଙ୍ଗେ ସଙ୍ଗେ ବିଭିନ୍ନ ଦପ୍ତରରେ ପଦପଦବୀ ଉଚ୍ଛେଦ କଲେ । ଏହାର ସିଧାସଳଖ ପ୍ରତିକୂଳ ପ୍ରଭାତ ଅନୁକମ୍ପାମୂଳକ ନିଯୁକ୍ତି ଉପରେ ପଡିଲା ।
ନିଯୁକ୍ତିଦାତାମାନେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପୂର୍ବରୁ ପ୍ରଶାସନିକ ବିଭାଗର ଅନୁମୋଦନ ଲୋଡିବାକୁ କୁହାଗଲା ଏବଂ ପ୍ରଶାସନିକ ବିଭାଗମାନେ ଏଥିଘେନି ସାଧାରଣ ପ୍ରଶାସନ ବିଭାଗର ଅନୁମତି ମଧ୍ୟ ଚାହିଁଲେ । ଏଭଳି ବ୍ୟବସ୍ଥାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଲା ଏବଂ ବହୁ କ୍ଷେତ୍ରରେ ଯୁକ୍ତିଗତ କାରଣ ଥିଲେ ମଧ୍ୟ ଆବେଦନପତ୍ର ଗୁଡିକୁ ବିଭିନ୍ନ ଆଳ ଦେଖାଇ ଆଖିବୁଜା ନାଚକ କରିଦିଆଗଲା ।
ଏମିତିକି ଯେଉଁ ବର୍ଗରେ ଯେତେ ପଦବୀ ଯେଉଁ ବର୍ଷ ଖାଲି ପଡିଛି ତାହାର ଏକ ଦଶମାଂଶରୁ ଅଧିକ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ମଧ୍ୟ ସରକାର ସ୍ପଷ୍ଟୀକରଣ ଦେଲେ । ଇତିମଧ୍ୟରେ ୧୯୯୦ରେ ପ୍ରଣୀତ ଅନୁକମ୍ପାମୂଳକ ନିଯୁକ୍ତି ଆଇନ ୨୦୧୬ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସଂଶୋଧିତ ହେଲା ଏବଂ ପରେ ୨୦୨୦ରେ ରାଜ୍ୟ ସରକାର ଯେଉଁ ନୂଆ ଆଇନ ଆଣିଲେ ସେଥିରେ ଅନୁକମ୍ପାମୂଳକ ନିଯୁକ୍ତି ବ୍ୟବସ୍ଥା ବହୁମାତ୍ରାରେ ସଙ୍କୁଚିତ ହୋଇଗଲା ।
ତେବେ ୨୦୨୦ ପୂର୍ବରୁ ଯେଉଁମାନେ ଆବେଦନ କରି ବର୍ଷ ବର୍ଷ ଧରି ନିଯୁକ୍ତି ପାଇଁ ଦୌଡୁଥିଲେ ସେମାନଙ୍କ ମଧ୍ୟରୁ କେତେକ ଆଇନ ଅଦାଲତରେ ଲଢେଇ କରି ବହୁ କଷ୍ଟରେ ନିଯୁକ୍ତି ପାଇବାକୁ ସକ୍ଷମ ହେଲେ । ଇତିମଧ୍ୟରେ ମଳୟାନନ୍ଦ ସେଠୀ ନାମକ ଜଣେ ଯୁବକ ଚାକିରି ନପାଇ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଲଢି ଜିଣିଲେ ଏବଂ ଅଦାଲତ ଅବମାନନା ଛାଟ ଭୟରେ ଏହି ଯୁବକଙ୍କୁ ନିଯୁକ୍ତି ଦିଆଗଲା । ରାଜେନ୍ଦ୍ର ଜେନା, ତପନ ମଲ୍ଲିକ, ପଙ୍କଜିନୀ ଷଡ଼ଙ୍ଗୀଙ୍କ ଭଳି ବହୁ ଆବେଦନକାରୀ ଆଇନଅଦାଲତର ନିର୍ଦ୍ଦେଶ ବଳରେ ଚାକିରି ପାଇଥିବାବେଳେ ଏବେ ଏକ ପ୍ରକାର ମାମଲାରେ ଅନୁରୂପ ରାୟ ଥାଇବି ନିଯୁକ୍ତି ନଦେଇ ସରକାର ଅପିଲ ଉପରେ ଅପିଲ କରିଚାଲିବା ଫଳରେ ନିଯୁକ୍ତି ପ୍ରତ୍ୟାଶୀମାନେ ଆଇନଗତ ଲଢେଇରେ ବିପୁଳ ଅର୍ଥ ଧାରକରଜ କରି ବର୍ବାଦ୍ କରୁଛନ୍ତି ।
ରାଜ୍ୟ ସରକାରଙ୍କ ମାମଲା ନୀତିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଗୋଟିଏ ପ୍ରକାର ମାମଲାରେ ଅଦାଲତଙ୍କ ନୀତିଗତ ନିଷ୍ପତ୍ତିକୁ ସରକାର ମାନିନେବାପରେ ଅନୁରୂପ ଘଟଣାରେ ପ୍ରଶାସନକଳ ସକାରାତ୍ମକ ନିଷ୍ପତ୍ତି ନେବା ଆବଶ୍ୟକ । କିନ୍ତୁ ମଳୟାନନ୍ଦ ସେଠୀ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ କର୍ତ୍ତୃପକ୍ଷ ମାନି ନେଉଥିବାବେଳେ ଅନୁରୂପ ଘଟଣାରେ ନିଯୁକ୍ତି ନଦେଇ ଏକପ୍ରକାର ମାମଲା ବଢାଇବା ପାଇଁ ଉସୁକାଉଥିବାରୁ ଆବେଦନକାରୀ କ୍ଷତିଗ୍ରସ୍ତ ହେବାସହ ସରକାରୀ କଳର ବି ବ୍ୟାପକ ସମୟ ଓ ସମ୍ବଳ ବର୍ବାଦ ହେଉଥିବା ଅଭିଯୋଗ ହେଉଛି । (ତଥ୍ୟ)