Home Judiciary ଅନୁକମ୍ପାମୂଳକ ନିଯୁକ୍ତି ବିଳମ୍ବିତ

ଅନୁକମ୍ପାମୂଳକ ନିଯୁକ୍ତି ବିଳମ୍ବିତ

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ବଞ୍ôଚତ କଟକ ଜିଲ୍ଲାର ଜଣେ ପ୍ରାର୍ଥୀ ବିଭିନ୍ନ ଅଧିକାରୀଙ୍କ ନିକଟରେ ବାରମ୍ବାର ଗୁହାରି କରି ମଧ୍ୟ ତାଙ୍କ ଅଭିଯୋଗର ସମାଧାନ ନହେବାରୁ ସେ ଆତ୍ମହତ୍ୟା କରିବା ଘଟଣା ପ୍ରଚାରିତ ହେବା ପରେ ଏବେ ଶାସନକଳର ନିଦ ଭାଙ୍ଗିଛି । କେଉଁ ବିଭାଗର କେଉଁ କେଉଁ ଦପ୍ତରରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ କେତେ ସଂଖ୍ୟକ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ଓ ଚାକିରି ପ୍ରତ୍ୟାଶୀଙ୍କ ଆବେଦନ ପଡ଼ିରହିଛି ତାହାର ଏବେ ଖୋଳତାଡ଼ ଚାଲିଛି । ଯେଉଁ ଅଧିକାରୀଙ୍କ ବିଳମ୍ବ ଯୋଗୁ ଆଇନ୍‍ ଅଦାଲତଙ୍କ ରାୟ ସତ୍ତ୍ୱେ ନିଯୁକ୍ତି ଦିଆଯାଉ ନାହିଁ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସଚିବାଳୟରେ ଚର୍ଚ୍ଚା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁର୍ଗତିକୁ ବିଚାରକୁ ନେଇ ତାଙ୍କର ଜଣେ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ମୁତାବକ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦେବା ଲାଗି ୧୯୯୦ ମସିହାରେ ରାଜ୍ୟ ସରକାର ଆଇନ୍‍ ପ୍ରଣୟନ କରିଥିଲେ । ଏହା ପୂର୍ବରୁ ଶ୍ରମ ଓ ନିଯୁକ୍ତି ବିଭାଗର ଏକ ନିର୍ଦ୍ଦେଶାବଳୀ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ମୂଳ ଆଇନ୍‍ରେ କେତେକ ସଂଶୋଧନ ମଧ୍ୟ ଅଣାଯାଇଥିଲା । ୨୦୨୦ ମସିହାରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ଏକ ନୂଆ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

ମୃତ କର୍ମଚାରୀଙ୍କ ପରିବାରକୁ ଆର୍ôଥକ ଦୁର୍ଗତିରୁ ତୁରନ୍ତ ମୁକ୍ତ କରିବା ଲାଗି ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ପ୍ରଣୟନ ହୋଇଛି । ଏହି ଆଇନ୍‍କୁ ମଧ୍ୟ ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥା, ସ୍ୱୟଂ ଶାସିତ ଅନୁଷ୍ଠାନ ଓ ସରକାରୀ ନିଗମ ଆଦି ଅନୁପାଳନ କରିଆସୁଛନ୍ତି । ତେବେ ଗତ ୨୫ବର୍ଷ ଧରି ଅନୁକମ୍ପାମୂଳକ ନିଯୁକ୍ତି ଦେବା କ୍ଷେତ୍ରରେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇବା ସହିତ ଆବେଦନଗୁଡ଼ିକୁ ମଧ୍ୟ ଆଖିବୁଜା ଖାରଜ କରିଦିଆଗଲା । ଏ ପ୍ରସଂଗରେ ସ୍ୟାଟ୍‍, କ୍ୟାଟ୍‍, ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଭିନ୍ନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟମାନ ଦେଇ ଯେବେ ସଂପୃକ୍ତ କର୍ମଚାରୀଙ୍କ ଦେହାନ୍ତ ହେଲା ସେ ସମୟ ସୁଦ୍ଧା ଯେଉଁ ଆଇନ୍‍ ବ୍ୟବସ୍ଥା ବଳବତ୍ତର ରହିଥିବ ତଦନୁଯାୟୀ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଂଗ ବିଚାର କରିବାକୁ ଆଇନ୍‍ ଅଦାଲତ ବାରମ୍ବାର ନିର୍ଦ୍ଦେଶ ଦେଇ ଆସୁଛନ୍ତି ।

ବିଶେଷକରି ମଳୟାନନ୍ଦ ସେଠୀ, ଅମୀୟ କୁମାର ଜେନା, ବିନ୍ଦୁ ସାଗର ସାମନ୍ତରାୟ, ବିଶ୍ୱଜିତ ସ୍ୱାଇଁ, ପଙ୍କଜିନୀ ଦ୍ୱିବେଦୀ, ଅନୀଲ କୁମାର ପାଢ଼ୀ, ରାଜେନ୍ଦ୍ର କୁମାର ଜେନା ଆଦିଙ୍କ ମାମଲାରେ ଆଇନ୍‍ ଅଦାଲତ ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି ତାହାକୁ ନୀତିଗତ ଭାବେ ରାଜ୍ୟ ସରକାର ମାନିନେଇଛନ୍ତି । ଏଭଳି ସ୍ଥିତିରେ ଅନେକ ରାୟ ଆଧାରରେ ଅନୁକମ୍ପା ନିଯୁକ୍ତି ମଧ୍ୟ ଦିଆଯାଇଛି । ତେବେ ଆଉ କେତେକ ଅନୁରୂପ ଘଟଣାରେ ଅଦାଲତଙ୍କ ରାୟକୁ ଉପର ଫୋରମ୍‍ରେ ସରକାର ଚାଲେଞ୍ଜ କରି ଆସୁଛନ୍ତି । ଏହା କେବଳ ସମୟ ଗଡ଼ାଇବା ପାଇଁ ହେଉଥିବାରୁ ବହୁ କ୍ଷେତ୍ରରେ ଚାକିରି ପ୍ରତ୍ୟାଶୀମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାଳମାଳ ଅଦାଲତ ଅବମାନନା ମାମଲା ରୁଜୁ କରୁଛନ୍ତି ।

ଯେଉଁଠି ଆଇନ୍‍ ଅଦାଲତ ଏଭଳି କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଦେବା ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେଠାରେ ତୁରନ୍ତ ନିଯୁକ୍ତି ଦିଆଯାଉଛି । ରାଜ୍ୟରେ ବିଜେପି ସରକାର ଗଢ଼ାଯିବା ପରେ ଏକ ସ୍ପଷ୍ଟୀକରଣ ଜାରି କରାଯାଇ ୨୦୨୦ ମସିହାର ନୂଆ ସଂଶୋଧିତ ଆଇନ୍‍ ଆସିବା ପୂର୍ବରୁ ଯେତେ ସଂଖ୍ୟକ ପୁୁରୁଣା ଆବେଦନ ପଡ଼ି ରହିଛି ସେ ସବୁକୁ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ଆଧାରରେ ଫଇସଲା କରିବାକୁ କୁହାଯାଇଛି । ଏମିତିକି ସୁପ୍ରିମକୋର୍ଟରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମର୍ମରେ ତଥ୍ୟ ଦିଆଯାଇଛି । ଏସବୁ ସତ୍ତ୍ୱେ କ୍ଷେତ୍ର ବିଶେଷରେ କିଛି ଅସାଧୁ କର୍ମଚାରୀଙ୍କ ଷଡ଼ଯନ୍ତ୍ର ଯୋଗୁ ଆଇନ୍‍ ଅଦାଲତଙ୍କ ରାୟ ଓ ସରକାରଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି ବୋଲି ବହୁ ଚାକିରି ପ୍ରତ୍ୟାଶୀ ଖୋଲା ଅଭିଯୋଗ କରୁଛନ୍ତି ।