Home News in Odia ଅନିଶ୍ଚିତାରେ ମୁକ୍ତା ଯୋଜନା

ଅନିଶ୍ଚିତାରେ ମୁକ୍ତା ଯୋଜନା

ଭୁବନେଶ୍ୱର : ସହରାଞ୍ଚଳରେ ଲୋକଙ୍କ ହାତକୁ କାମ ଯୋଗାଇଦେବା ସହିତ ସହରର ସୌନ୍ଦର‌୍ୟ୍ୟ ବୃଦ୍ଧି ଲାଗି କାର‌୍ୟ୍ୟକାରୀ ହେଉଥିବା ମୁକ୍ତା ଯୋଜନା ଏବେ ଅନିଶ୍ଚିତତା ଭିତରେ । ଏଥିରେ କାର‌୍ୟ୍ୟରତ କର୍ମଚାରୀଙ୍କ ଆଉ ଚାକିରି ନଥିବାବେଳେ ପ୍ରକଳ୍ପ କାର‌୍ୟ୍ୟ ଆଗକୁ ବଢିବ କି ନାହିଁ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ହେଉନାହିଁ । ଫଳରେ ଅନେକ ଅଧାପନ୍ତରିଆ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି ।

ରାଜ୍ୟର ୫ଟି ମହାନଗର ନିଗମ ସହିତ ମୋଟ୍‍ ୩୧୪ଟି ପୌରାଞ୍ଚଳରେ କାର‌୍ୟ୍ୟକାରୀ ହେଉଛି ମୁକ୍ତା ଯୋଜନା । ସହରାଞ୍ଚଳରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ବର୍ଷାଜଳ ସଂରକ୍ଷଣ, ପାର୍କ ନିର୍ମାଣ ଓ ପୁନରୁଦ୍ଧାର ଆଦି ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି । ଏହିସବୁ ପ୍ରକଳ୍ପକୁ କାର‌୍ୟ୍ୟକାରୀ ପାଇଁ ପ୍ରତ୍ୟେକ ପୌରାଞ୍ଚଳରେ ଜଣେ ପ୍ରୋଗ୍ରାମ ମାନେଜର, ଜଣେ ଅର୍ଥ ବିଶେଷଜ୍ଞ ଓ ଜଣେ କାର‌୍ୟ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଥିଲା । ତେବେ ମହାନଗର ନିଗମରେ ଏମାନଙ୍କ ସଂଖ୍ୟା ଅଧିକ ରହିଥିଲା ।

ମୁକ୍ତା ପ୍ରକଳ୍ପରେ ସମସ୍ତ ପୌରାଞ୍ଚଳରେ ପାଖପାଖି ୪୦୦ କର୍ମଚାରୀ ନିଯୁକ୍ତ ହୋଇ ପ୍ରକଳ୍ପ କାର‌୍ୟ୍ୟକୁ ଆଗେଇ ନେଉଥିବାବେଳେ ଏମାନଙ୍କ ଚାକିରି ସେପ୍ଟେମ୍ବର ଶେଷରୁ ସରିଯାଇଛି । ନିଯୁକ୍ତିର ନବୀକରଣ ହେବ କି ନାହିଁ ସେଥିନେଇ କୌଣସି ସ୍ପଷ୍ଟତା ନଥିବାବେଳେ କର୍ମଚାରୀମାନେ କିନ୍ତୁ ଆଶାବାନ୍ଧି ବିନା ଦରମାରେ ଆସି କାମ କରୁଛନ୍ତି । ନିକଟରେ ଉପକୂଳ ଓଡିଶାରେ ଆସିଥିବା ବାତ୍ୟା ଦାନାର ପ୍ରକୋପ ସମୟରେ ଉପକୂଳରେ ଥିବା ପୌରାଞ୍ଚଳରେ ଏହି କର୍ମଚାରୀମାନେ ହିଁ ବାତ୍ୟା ମୁକାବିଲାର ମଙ୍ଗ ଧରିଥିଲେ ।

ତେବେ କର୍ମଚାରୀମାନେ ଅନିଶ୍ଚିତତାରେ ଥିବାରୁ ବିଭିନ୍ନ ପୌରାଞ୍ଚଳରେ ପ୍ରକଳ୍ପ କାର‌୍ୟ୍ୟ ବି ଆଗେଇ ପାରୁନାହିଁ । ମୁକ୍ତା ଯୋଜନାରେ ଅର୍ଥ ରହିଥିଲେ ମଧ୍ୟ କାହିଁକି କର୍ମଚାରୀମାନଙ୍କର ନିଯୁକ୍ତି ଅବଧିର ନବୀକରଣ ହେଉନାହିଁ ଏବଂ ପ୍ରକଳ୍ପ କାର‌୍ୟ୍ୟ ତ୍ୱରାନ୍ୱିତ ହେଉନାହିଁ ତାହାର ଉତ୍ତର କାହା ପାଖରେ ନାହିଁ ।

ଇତି ମଧ୍ୟରେ ମୁକ୍ତାରେ ମୋଟ୍‍ ୭୬୨୦ ଟି ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଏଥିରୁ ୫୩୮୫ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୨୩୫ଟି ପ୍ରକଳ୍ପର କାର‌୍ୟ୍ୟ ଜାରି ରହିଛି । ତେବେ ଆସନ୍ତା ଡିସେମ୍ବର ସୁଦ୍ଧା ୩୦୦ ଟି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଥିବାବେଳେ ସରିଛି ମାତ୍ର ୨୫ଟି । ଅକ୍ଟୋବର ମାସରେ ୩୦ଟି ପ୍ରକଳ୍ପ ପାଇଁ ଲକ୍ଷ୍ୟ ଥିବାବେଳେ ସରିଛି ୪ଟି ।

ଏଭଳି ସ୍ଥିତିରେ ଲୋକଙ୍କ ହାତକୁ ତତ୍କାଳ କାମ ଯୋଗାଉଥିବା ମୁକ୍ତା ଆଗକୁ ବଢିବ କି ଅଧାପନ୍ତରିଆ ହୋଇ ରହିବ ତାହା ଅନିଶ୍ଚିତତାରେ ଥିବାବେଳେ ଶତାଧିକ କର୍ମଚାରୀଙ୍କ ଭାଗ୍ୟ ବି ସୂତାଖିଅରେ ଝୁଲୁଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)