Home Education ଅନିଶ୍ଚିତତା ଘେରରେ ବିଏଡ୍‍ ନାମଲେଖା

ଅନିଶ୍ଚିତତା ଘେରରେ ବିଏଡ୍‍ ନାମଲେଖା

ଭୁବନେଶ୍ୱର : ବିଦ୍ୟାଳୟଗୁଡିକରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଏଥିରେ ନିଯୁକ୍ତି ପାଇଁ ଆଶା ରଖି ବିଏଡ୍‍ ପାଠ୍ୟକ୍ରମରେ ନାମାଙ୍କନ ପାଇଁ ଛାତ୍ରଛାତ୍ରୀ ଓ ବେକାର ଯୁବକଯୁବତୀମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି । ତେବେ ବିଏଡ୍‍ କଲେଜଗୁଡିକରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଦର୍ଶାଇ ନ୍ୟାସନାଲ କାଉନସିଲ ଫର୍‍ ଟିଚର ଏଜୁକେସନ (ଏନସିଟିଇ) ଅନେକ ବିଏଡ୍‍ କଲେଜକୁ ନାମଲେଖା ପାଇଁ ଅନୁମତି ଦେଇନଥିବା ବେଳେ ଯେଉଁ କଲେଜରେ ଦେଢ଼ଶହ ଆସନ ରହିଥିଲା ତାହାକୁ ୫୦କୁ କମାଇ ଦେଇଛନ୍ତି ।

ଏବେ ଶିକ୍ଷାବର୍ଷ ଆରମ୍ଭ ହେବାର ପ୍ରାୟ ୬ ମାସ ବିତିବାକୁ ଯାଉଥିବା ବେଳେ ବିଏଡ୍‍ ପାଠ୍ୟକ୍ରମରେ ଯୋଗ୍ୟ ପ୍ରାର୍ଥୀମାନେ ନାମାଙ୍କନ କରିପାରୁ ନାହାନ୍ତି । ୨୮ଟି ଶିକ୍ଷାନୁଷ୍ଠାନର ୨୬୫୦ଟି ବିଏଡ୍‍ ଆସନ ପାଇଁ ନାମଲେଖା ପ୍ରସଙ୍ଗରେ ପ୍ରବେଶିକା ପରୀକ୍ଷା କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଲକ୍ଷାଧିକ ଆଗ୍ରହୀ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିଲେ ଏବଂ ପ୍ରାୟ ୯୦ ହଜାର ପ୍ରାର୍ଥୀ ବହୁ ଆଶା ରଖି ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇଥିଲେ ।

ତେବେ ଇତିମଧ୍ୟରେ ଏନସିଟିଇ ରାଜ୍ୟର ମାତ୍ର ୧୯ଟି ଶିକ୍ଷାନୁଷ୍ଠାନକୁ ୫୦ଟି ଲେଖାଏଁ ଆସନରେ ବିଏଡ୍‍ ଓ ଗୋଟିଏ ଶିକ୍ଷାନୁଷ୍ଠାନକୁ ଆଉ ୫୦ଟି ଆସନରେ ବିଏଚଏଡ୍‍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁମତି ଦେଇଛନ୍ତି । ଫଳରେ ବିଜ୍ଞାପନଠାରୁ ବର୍ତ୍ତମାନର ଆସନ ସଂଖ୍ୟା ଢ଼େର୍‍ କମିଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକରେ ଦେଢ଼ଶହ ପର୍ଯ୍ୟନ୍ତ ଆସନରେ ବିଏଡ୍‍ ଶିକ୍ଷା ଲାଗି ନାମାଙ୍କନ ପାଇଁ ବ୍ୟବସ୍ଥା ଥିଲା ସେଗୁଡିକରେ ଭିତ୍ତିଭୂମି ଅଭାବ ଥିବାରୁ ନାମାଙ୍କନ ପାଇଁ ଏନସିଟିଇ ଆପତ୍ତି ଉଠାଇଥିଲା । ଏହି ସମସ୍ୟାକୁ ଆଖିôଆଗରେ ରଖି କେତେକ କଲେଜରେ ସ୍ୱଳ୍ପ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଯୁକ୍ତି ଦେବାରେ ଏନସିଟିଇ କର୍ତ୍ତୃପକ୍ଷ ଗତବର୍ଷ ଆସନ ସଂଖ୍ୟା କଲେଜୱାରି ୧୫୦ରୁ ୫୦କୁ କମାଇ ଦେଇଥିଲେ । ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନଗୁଡିକରେ ବିଏଡ୍‍ ଆସନ ସଂଖ୍ୟା ବଢ଼ି ନଥିବା ବେଳେ ରୁଗ୍‍ଣ ଭିତ୍ତିଭୂମି ଯୋଗୁଁ ଆଉ ୮ଟି କଲେଜରେ ନାମାଙ୍କନ ପାଇଁ ଏନସିଟିଇ କର୍ତ୍ତୃପକ୍ଷ ଅନୁମତି ଦେଇନାହାନ୍ତି ।

ଏ ପରିପ୍ରେକ୍ଷୀରେ ଚଳିତବର୍ଷ ମାତ୍ର ୧୯ଟି ଶିକ୍ଷାନୁଷ୍ଠାନରେ ୯୫୦ଟି ଆସନରେ ବିଏଡ୍‍ ଓ ଗୋଟିଏ ଶିକ୍ଷାନୁଷ୍ଠାନରେ ଆଉ ୫୦ଟି ଆସନରେ ବିଏଚ୍‍ଏଡ୍‍ ପାଠ୍ୟକ୍ରମରେ ନାମାଙ୍କନ କରାଯିବା ଘେନି ସାମ୍‍ସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତଦନୁଯାୟୀ ଚଳିତ ମାସ ୨୨ ଓ ୨୩ ତାରିଖରେ ନାମଲେଖା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ବିଏଡ୍‍ ନାମଲେଖାକୁ ସ୍ଥଗିତ ରଖିଥିବାରୁ କେବେ ପୁଣି ନାମ ଲେଖାଯିବ ସେଥିଘେନି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏମିତିକି ନାମାଙ୍କନ ପାଇଁ ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ଦୂରଦୂରାନ୍ତରୁ ଆସି ନିର୍ଦ୍ଧାରିତ କଲେଜରେ ପହଞ୍ôଚ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି ।

ଶିକ୍ଷା କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଦକ୍ଷ ଓ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ଆବଶ୍ୟକତା ଥିବା ଦୃଷ୍ଟିରୁ ରାଜ୍ୟ ସରକାର ବିଦ୍ୟାଳୟଗୁଡିକର ରୂପାନ୍ତରଣ ସହିତ ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ବାରମ୍ବାର ଦାବି ହେଉଛି । ଏଥିସହ ବିଏଡ୍‍ ପାଠ୍ୟକ୍ରମ ଥିବା ସରକାରୀ ଓ ବେସକରାରୀ ଶିକ୍ଷାନୁଷ୍ଠାନଗୁଡିକର ଦୁର୍ବଳ ଭିତ୍ତିଭୂମିକୁ ସୁଧାରିବା ପାଇଁ ତୁରନ୍ତ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ପୂରଣ କରି ବିଏଡ୍‍ ସ୍ତରରେ ଗୁଣାତ୍ମକ ଶିକ୍ଷା ଓ ତାଲିମ ପ୍ରଦାନ ଉପରେ ଅଭିଜ୍ଞ ଶିକ୍ଷକମାନେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)