Home Assembly ଅନିଶ୍ଚିତତା ଘେରରେ ଦରମା ବୃଦ୍ଧି

ଅନିଶ୍ଚିତତା ଘେରରେ ଦରମା ବୃଦ୍ଧି

ଭୁବନେଶ୍ୱର : ମନ୍ତ୍ରୀ-ବିଧାୟକ ଆଦିଙ୍କ ବେତନ, ଭତ୍ତା ଓ ପେନ୍‍ସନ୍‍ ବୃଦ୍ଧି ପ୍ରସଂଗରେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏବେ ବିଜେପି ଏହାକୁ ଗୁରୁତ୍ୱର ସହ ନେଇଛି । ବିଧାନସଭାରେ ଏ ସଂକ୍ରାନ୍ତୀୟ ବିଲ୍‍ ଆସିବା ବେଳେ ଏହାକୁ ବିରୋଧ କରିନଥିବା ବିଜେପି ବିଧାୟକମାନେ ଏବେ ପାଟି ଖୋଲିଛନ୍ତି । ଦଳର ରାଜ୍ୟ ଶାଖା ସଭାପତି ମନମୋହନ ସାମଲଙ୍କ ସମେତ ବିଧାୟକ ଦଳର ବହୁ ସଦସ୍ୟ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁନର୍ବିଚାର ଦାବି ଉଠାଇଥିବାବେଳେ ଏହି ବିଲ୍‍ର ଭବିଷ୍ୟତ ଘେନି ଆଶଙ୍କା ଉପୁଜିଛି ।

ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ବିଧାନସଭାରେ ବିଲ୍‍ ପାରିତ ହେବା ପରେ ଏହାକୁ ରାଜ୍ୟପାଳଙ୍କ ସ୍ୱୀକୃତି ପାଇଁ ପଠାଯିବା କଥା । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳ ବିଲ୍‍କୁ ମଞ୍ଜୁରୀ ଦେଇପାରନ୍ତି କିମ୍ବା ଏହାକୁ ଫେରାଇ ପାରନ୍ତି ମଧ୍ୟ । ଅତୀତରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ସେଠାକାର ବିଜେପି ସରକାର ବିଧାନସଭାରେ ପାରିତ କରାଇଥିବା ଏକ ବିଲ୍‍କୁ ଫେରାଇ ଦେଇଥିଲେ । ଏଥିଯୋଗୁ ଆଦିବାସୀମାନଙ୍କ ଜମିଜମା ସଂକ୍ରାନ୍ତୀୟ ଏକ ବଡ଼ ସମସ୍ୟା ଅଟକି ଯାଇଥିଲା ।

ବିଧାନସଭା ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ବିଲ୍‍ ପଠାଯିବା ପରେ ତାହା ଉପରେ ରାଜ୍ୟପାଳ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । ଯଦି ରାଜ୍ୟପାଳ ଏହି ବିଲ୍‍କୁ ସ୍ୱୀକୃତି ଦିଅନ୍ତି ତେବେ ବିଧାୟକମାନଙ୍କ ବେତନ ଓ ଭତ୍ତା ପିଛିଲା ଭାବେ ୨୦୨୪ ଜୁନ୍‍ ୫ ତାରିଖରୁ ବଢ଼ିବ । କେବଳ ସେତିକି ନୁହେଁ, ବାଚସ୍ପତି, ଉପ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ଆଦିଙ୍କ ବେତନ ଓ ଭତ୍ତା ମଧ୍ୟ ପ୍ରାୟ ୩ଗୁଣା ବଢ଼ିଯିବ । ବିଧାନସଭାରେ ଶାସକ କିମ୍ବା ବିରୋଧୀ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇନଥିବାରୁ ସର୍ବସମ୍ମତକ୍ରମେ ଏହା ଗୃହୀତ ହୋଇଛି ବୋଲି ଧରି ନିଆଯାଇପାରେ ।

ଇତିମଧ୍ୟରେ ଜଣେ ବିଜେପି ବିଧାୟକ ଗଣମାଧ୍ୟମରେ ଘୋଷଣା କରିଛନ୍ତି ଯେ ତାଙ୍କ ବର୍ଦ୍ଧିତ ବେତନ ଓ ଭତ୍ତାକୁ ସେ ଗରିବ ଲୋକଙ୍କୁ ବାଣ୍ଟିଦେବେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କୁ ବର୍ଦ୍ଧିତ ବେତନ ଓ ଭତ୍ତା ନଦେଇ ତାହାକୁ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ କହିଛନ୍ତି । ବେତନ ଓ ଭତ୍ତା ବୃଦ୍ଧି କମିଟିର ସଦସ୍ୟ ଥିବା ସିପିଏମ୍‍ ବିଧାୟକ ମଧ୍ୟ ବିଧାନସଭା ବାହାରେ ଏହାର ବିରୋଧ କରିଛନ୍ତି । ତେବେ ବିଜେପିର ଅନ୍ୟ ଜଣେ ବିଧାୟକ ବୃଦ୍ଧିକୁ ସମର୍ଥନ କରି ସେ ମାସକୁ ଲକ୍ଷେ ଟଙ୍କାର ଚା’ ବାଣ୍ଟୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ବିଜେପି ବିଧାୟକମାନେ ସମ୍ମିଳିତ ଭାବେ ଏହାର ବିରୋଧ କରିଥିବାରୁ ମୁଖ୍ୟମନ୍ତ୍ରୀ ତାହା ଉପରେ କି ପଦକ୍ଷେପ ନେବେ ସେଥିଘେନି ସମସ୍ତଙ୍କ ନଜର । ଯଦି ରାଜ୍ୟପାଳ ବିଲ୍‍ଟିକୁ ଫେରାଇ ଦିଅନ୍ତି ତେବେ ତାହା ଉପରେ ପୁଣି ବିଧାନସଭାରେ ଚର୍ଚ୍ଚା ହେବ ଓ ସଂଶୋଧନ ପ୍ରସ୍ତାବ ମଧ୍ୟ ଆସିପାରିବ । ରାଜ୍ୟପାଳ ଏହାକୁ ସ୍ୱୀକୃତି ଦେଲେ ବି ବିଧାନସଭାରେ ସେହି ଆଇନ୍‍ର ସଂଶୋଧନ ପାଇଁ ନୂଆ ବିଲ୍‍ ମଧ୍ୟ ଅଣାଯାଇପାରିବ ।

ପାରିତ ହୋଇଥିବା ବିଲ୍‍ଟି ଆଇନ୍‍ର ରୂପ ନେଲେ ବିଧାୟକମାନଙ୍କ ମାସିକ ବେତନ ଓ ଭତ୍ତା ପ୍ରାୟ ୩ଲକ୍ଷ ୪୫ ହଜାର ଟଙ୍କା ହୋଇଯିବ ଏବଂ ଆନୁପାତିକ ହାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟମାନଙ୍କର ବେତନ ଓ ଭତ୍ତା ବି ବଢ଼ିବ । ପାରିତ ହୋଇଥିବା ବିଲ୍‍ କାର୍ଯ୍ୟକାରୀ ହେଲେ ଓଡ଼ିଶାର ବିଧାୟକମାନଙ୍କ ବେତନ ଓ ଭତ୍ତା ଦେଶରେ ୧ ନମ୍ବର ସ୍ଥାନରେ ରହିବ । ଏଥିଘେନି ଓଡ଼ିଶାର ପୂରପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଆଗାମୀ ବିଧାନସଭା ଅଧିବେଶନରେ ସ୍ପଷ୍ଟ ହେବ ।(ତଥ୍ୟ)