Home Education ଅନିଶ୍ଚିତତାରେ ବିଏଡ୍‍ ଆଶାୟୀ

ଅନିଶ୍ଚିତତାରେ ବିଏଡ୍‍ ଆଶାୟୀ

ଭୁବନେଶ୍ୱର : ବିଏଡ୍‍ ପଢିବାପାଇଁ ପ୍ରବେଶିକା ପରୀକ୍ଷା ଦେବା ସହିତ ମିଳିଥିବା ନମ୍ବର ଆଧାରରେ ନାମଲେଖାଇବାକୁ ଆବେଦନ କରିଥିବା ଛାତ୍ରୀଛାତ୍ରୀମାନେ ଏବେ ହତାଶ ହୋଇପଡିଲେଣି । ଏମାନଙ୍କ ମଧ୍ୟରୁ ଅନେକ ସିଟି ପରୀକ୍ଷାପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଆଉ କିଛି ଏବେ ବି ବିଏଡ୍‍ ପଢିବାକୁ ଚାତକ ଭଳି ଚାହିଁ ବସିଛନ୍ତି ।

ଚଳିତ ଶିକ୍ଷାବର୍ଷରେ ବିଏଡ୍‍ ନାମଲେଖାପାଇଁ ଜୁନ୍‍ ୧ ତାରିଖରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଜୁନ୍‍ ୧୩ ତାରିଖରେ ଏହାର ଫଳ ପ୍ରକାଶ ପାଇଥିଲା । ଜୁନ୍‍ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ନମ୍ବର ଆଧାରରେ ବିଭିନ୍ନ ବିଏଡ୍‍ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାପାଇଁ ସାମସ୍‍ ଜରିଆରେ ଆବେଦନ କରିଥିଲେ ।

ହେଲେ ପରେ ବିଏଡ୍‍ ପରୀକ୍ଷାଫଳ ପ୍ରକାଶରେ ଦୁର୍ନୀତିର ଗନ୍ଧ ବାରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । କାରଣ ପ୍ରକାଶିତ ପରୀକ୍ଷା ଫଳରେ କେତେଜଣ ଛାତ୍ରଛାତ୍ରୀ କେତେ ପ୍ରତିଶତ ନମ୍ବର ରଖିଛନ୍ତି ତାହା ସ୍ପଷ୍ଟଭାବେ ଉଲ୍ଲେଖ ନଥିଲା । ଏପରିକି ବିଏଡ୍‍ ପଢିବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ମଧ୍ୟରୁ କେତେଜଣ ଛାତ୍ରଛାତ୍ରୀ କେତେ ପ୍ରତିଶତ ନମ୍ବର ରଖିଛନ୍ତି ଏବଂ କେଉଁ କେଉଁମାନେ ପ୍ରଥମ ୧୦ଟି ସ୍ଥାନରେ ଅଛନ୍ତି ତାହା ଉଲ୍ଲେଖ କରାଯାଇଥିଲା ।

ଏହାକୁ ଦେଖିବାପରେ ନମ୍ବର ପ୍ରଦାନରେ ଚଞ୍ଚକତା ହୋଇଥିବା ନେଇ ଅଭିଭାବକମାନେ ଆରୋପ କରିଥିଲେ । ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବାପରେ କଂଗ୍ରେସ ପକ୍ଷରୁ ମଧ୍ୟ ଅଭିଯୋଗ ଉଠିଥିଲା । କଂଗ୍ରେସର ଛାତ୍ରସଂଗଠନ ଆପତ୍ତି ଉଠାଇବାର କେଇଘଣ୍ଟା ପରେ ରାଜ୍ୟ ସରକାର ବିଏଡ୍‍ ପରୀକ୍ଷାଫଳକୁ ସ୍ଥଗିତ ରଖିବା ସହିତ ଏଥିପାଇଁ ଏକ କମିଟି ଗଠନ କରିଥିଲେ ।

ତେବେ ପରୀକ୍ଷାଫଳ ପ୍ରକାଶକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବାବେଳେ କମିଟି କି ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା କେହି ଜାଣିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସରକାର କିଛି ସ୍ପଷ୍ଟ କରୁନଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ୫ମାର୍କ କରି ଅଧିକ ନମ୍ବର ମିଳିବ ବୋଲି ଗୁଜବ ସୃଷ୍ଟି ହେବାରେ ଲାଗିଛି । ସଂଶୋଧିତ ପରୀକ୍ଷାଫଳ ପ୍ରକାଶ ପାଇବାପାଇଁ ଯଦିଓ ସୂଚନା ଦିଆଯାଉଛି ତେବେ କେତେ ମାର୍କ ବଢିବ ଓ କେବେ ଏହା ପ୍ରକାଶ ପାଇବ ତାହା କେହି କହିପାରୁ ନାହାନ୍ତି ।

ଅନ୍ୟ ପକ୍ଷରେ ବିଏଡ୍‍ରେ ଏଭଳି ଅନିଶ୍ଚିତତା ଦେଖିବାପରେ ଶିକ୍ଷକତା ପାଇଁ ଆଗ୍ରହୀ ବହୁ ମେଧାବୀ ସ୍ନାତକ ସିଟି ପରୀକ୍ଷା ପାଇଁ ଆବେଦନ କରିବା ସହିତ ପ୍ରସ୍ତୁତି ଚଳାଇଛନ୍ତି । ଆଉ କିଛି ବିଏଡ୍‍ ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଥିବାବେଳେ ବିରକ୍ତ ହୋଇ କିଛି ଛାତ୍ରଛାତ୍ରୀ ଘରୋଇ ସଂସ୍ଥାରେ କାମ କଲେଣି । ହେଲେ ବିଏଡ୍‍ ପରୀକ୍ଷାଫଳ କେବେ ପ୍ରକାଶ ପାଇବ, ଛାତ୍ରଛାତ୍ରୀମାନେ ପୁଣିଥରେ ଆବେଦନ କରିବେ ନା ପୁରୁଣା ଆବେଦନ ଆଧାରରେ ଶିକ୍ଷାନୁଷ୍ଠାନ ଚୟନ ହେବ ତାହାକୁ ନେଇ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବେ ଆଶା ଆଶଙ୍କାରେ ଥିବାବେଳେ ସିଟି ପରୀକ୍ଷା ପାଖେଇ ଆସୁଥିବାରୁ ସେମାନେ ଜୋରଦାର ପ୍ରସ୍ତୁତି ଚଳାଇଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)