Home General ଅନିଶ୍ଚିତତାରେ ପୁରୀ ବିମାନ ବନ୍ଦର

ଅନିଶ୍ଚିତତାରେ ପୁରୀ ବିମାନ ବନ୍ଦର

ଭୁବନେଶ୍ୱର : ବଙ୍ଗୋପସାଗର ନିକଟରେ ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ତାହା ବିଭିନ୍ନ ବୈଷୟିକ କାରଣରୁ କାର୍ଯ୍ୟକାରୀ ହୋଇନପାରେ । ପରିବେଶ ମଞ୍ଜୁରୀ ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏହି ପ୍ରକଳ୍ପ ପାଇଁ ପ୍ରମୁଖ ବାଧକ ହୋଇଥିବାବେଳେ ରାଜ୍ୟ ସରକାର କିନ୍ତୁ ପୁରୀରେ ବିମାନ ବନ୍ଦର ନିର୍ମାଣ ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳ ବାତ୍ୟା ପ୍ରବଣ ହୋଇଥିବାରୁ ଏଠାରେ ବିମାନ ବନ୍ଦର ନିର୍ମାଣ ଲାଗି ବୈଷୟିକ ପ୍ରତିବନ୍ଧକ ରହିଛି । ଏହାଛଡ଼ା ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଥିବାବେଳେ ରାଜଧାନୀରୁ ପୁରୀର ଦୂରତା ମାତ୍ର ୬୦ କିଲୋ ମିଟର । ଘଣ୍ଟାଏ ଭିତରେ ଭୁବନେଶ୍ୱରରୁ ପୁରୀ ସଡ଼କ ପଥରେ ଯାତ୍ରା କରିହେଉଥିବା ବେଳେ ଏତେ କମ୍‍ ଦୂରତାରେ ସମୁଦ୍ର କୂଳରେ ଅନ୍ୟ ଏକ ବିମାନ ବନ୍ଦର ପ୍ରତିଷ୍ଠା ବୈଷୟିକ ଦିଗରୁ ସମ୍ଭାବପର କି ନୁହେଁ ତାହା ଉପରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି ।

ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ଏବଂ ସିଆରଜେଡ୍‍ରୁ ସବୁଜ ସଂକେତ ଆବଶ୍ୟକ । ଏହି ବିମାନ ବନ୍ଦର ନିର୍ମାଣ ଲାଗି ୧୦ ହଜାରରୁ ଅଧିକ ଗଛ କଟାଯାଇପାରେ । ଏହି ଗଛଗୁଡ଼ିକ ସାମୁଦ୍ରିକ ଝଡ଼ରୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ରକ୍ଷା କରିବାରେ ସହାୟକ ହୋଇଥାନ୍ତି । ଏହାଛଡ଼ା ପ୍ରସ୍ତାବିତ ପୁରୀ ବିମାନ ବନ୍ଦରର ଅନତି ଦୂରରେ ଚିଲିକା ହ୍ରଦ ରହିଛି । ଏଠାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ଚିଲିକାକୁ ପକ୍ଷୀମାନଙ୍କ ଚଳାଚଳ, ଡଲ୍‍ଫିନ୍‍ମାନଙ୍କ ଯାତାୟାତ ଏବଂ ବିଶେଷକରି ସାମୁଦ୍ରିକ ଉପକୂଳକୁ ଅଲିଭ୍‍ ରିଡ୍‍ଲେ କଇଁଛଙ୍କ ଆଗମନ ବାଧାପ୍ରାପ୍ତ ହେବ । ଏହାଛଡ଼ା ବିମାନଗୁଡ଼ିକରେ ମଧ୍ୟ ପକ୍ଷୀମାନଙ୍କ ଦୁର୍ଘଟଣାର ଆଶଙ୍କା ରହିଛି । କେବଳ ସେତିକି ନୁହେଁ, ଆକାଶ ମାର୍ଗରେ ଶ୍ରୀମନ୍ଦିରର କିଛି ଦୂରରେ ବଡ଼ବଡ଼ ବିମାନ ଚଳାଚଳ କଲେ ତାହାର କମ୍ପନ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିପାରେ ବୋଲି ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ସହିତ ସଂପୃକ୍ତ ଅଭିଜ୍ଞ ବ୍ୟକ୍ତିବିଶେଷ ମତବ୍ୟକ୍ତ କରୁଛନ୍ତି ।

ଯେଉଁ ଅଞ୍ଚଳରେ ପୁରୀ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ ସେଠାରେ ବ୍ୟାପକ ପରିମାଣର ଜଙ୍ଗଲ ଜମି ରହିଛି । ଉପକୂଳ ସୁରକ୍ଷା ପାଇଁ ଯେଉଁ କେନ୍ଦ୍ରୀୟ ବ୍ୟବସ୍ଥା ଅଛି ତାହା ମଧ୍ୟ ଏଠାରେ ବିମାନ ବନ୍ଦର ନିର୍ମାଣ ପାଇଁ ସବୁଜ ସଂକେତ ଦେଇନପାରେ । ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ଏବଂ ବାରମ୍ବାର ବାତ୍ୟା ଓ ସାମୁଦ୍ରିକ ବନ୍ୟାର ତାଣ୍ଡବ ଲୀଳାକୁ ଆଖିଆଗରେ ରଖି ଅନେକ ରାଷ୍ଟ୍ର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ସେମାନଙ୍କ ବିମାନ ବନ୍ଦରଗୁଡ଼ିକୁ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତର କରୁଛନ୍ତି । ଏ ପରିପ୍ରେକ୍ଷୀରେ ସମୁଦ୍ର ଉପକୂଳ ଅଞ୍ଚଳରେ ନୂଆ ବିମାନ ବନ୍ଦର ନିର୍ମାଣ ନକରିବା ଲାଗି ବୈଷିୟକ ବିଶେଷଜ୍ଞ ସଂସ୍ଥାମାନେ ବାରମ୍ବାର ପରାମର୍ଶ ଦେଇଆସୁଛନ୍ତି ।

ଭୁବନେଶ୍ୱର ବିମାନ ବନ୍ଦର ସମୁଦ୍ର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିଲେ ମଧ୍ୟ ମହାବାତ୍ୟାରୁ ଫନି ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତି ଦୁର୍ବିପାକ ସମୟରେ ଏହି ବିମାନ ବନ୍ଦର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାର ନଜିର ରହିଛି । ଏ ପରିପ୍ରେକ୍ଷୀରେ ସମୁଦ୍ର କୂଳରେ ବିମାନ ବନ୍ଦର ହେଲେ କେତେବେଳେ ଯେ କ’ଣ ଅଘଟଣ ନଘଟିବ ସେ ସଂକ୍ରାନ୍ତରେ ଆଗରୁ କେହି ପୂର୍ବାନୁମାନ କରିବା ସମ୍ଭବପର ନୁହେଁ । ସବୁଠାରୁ ବଡ଼କଥା ହେଉଛି ପୁରୀରେ ବିମାନ ବନ୍ଦର ହେଲେ ଏଠାକୁ କେତେ ଯାତ୍ରୀ ବିମାନରେ କେଉଁ କେଉଁ ସ୍ଥାନରୁ ଆସିବେ ଏବଂ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ନିର୍ମିତ ହୋଇଥିବା ବିମାନ ବନ୍ଦରଗୁଡ଼ିକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଯେଭଳି ତଣ୍ଡ ଗଣୁଛନ୍ତି ପୁରୀ ବିମାନ ବନ୍ଦର ପାଇଁ ସେହିଭଳି କେତେ ଅର୍ଥ ନିୟମିତ ଭାବେ ଖର୍ଚ୍ଚ କରିପାରିବେ । ତେବେ ବିମାନ ବନ୍ଦର ପୁରୀ ନିକଟରେ ହେଉ କି ନହେଉ ଏହାକୁ ଆଖି ଆଗରେ ରଖି ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଆଖପାଖ ଅଞ୍ଚଳର ଚାଷୀମାନଙ୍କ ଠାରୁ ଶସ୍ତା ଦରରେ ଜମି କିଣିନେଇ ଭବିଷ୍ୟତରେ ଏହାକୁ ଚଢ଼ା ଦରରେ ବିକିବା ଲାଗି ଯୋଜନା ରଖିଛନ୍ତି ।(ତଥ୍ୟ)