ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ୫ଲକ୍ଷରୁ ଅଧିକ ନୂଆ ଗାଡି ପଞ୍ଜିକରଣ ହେଉଥିବାବେଳେ ଏଥି ମଧ୍ୟରେ ଲକ୍ଷେରୁ ଅଧିକ ପରିବହନ ଯାନ ରହୁଛି । ଏହିସବୁ ଯାନ ଚଳାଉଥିବା ଚାଳକଙ୍କ ମଧ୍ୟରୁ ଅଧିକାଂଶ ଠିକଣା ତାଲିମ ପାଇନଥିବାରୁ ତାହା ଦୁର୍ଘଟଣାର କାରଣ ପାଲଟୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ରାଜ୍ୟରେ ୨୦୨୧ ମସିହାରେ ୫ଲକ୍ଷ ୩୬ହଜାର ନୂଆ ଗାଡି ପଞ୍ଜିକୃତ ହୋଇଥିବାବେଳେ ଲକ୍ଷେରୁ ଉର୍ଦ୍ଧ୍ୱ ପରିବହନ ଯାନ ଥିଲା । ସେଥି ମଧ୍ୟରେ ବସ୍, ସ୍କୁଲ୍ ବସ୍, ଟ୍ରକ, ପିକ୍ ଅପ୍ ଭ୍ୟାନ, ତିନି ଚକିଆ, କାର୍, ଟ୍ରାକ୍ଟର ଆଦି ରହିଥିଲା । ଏହିସବୁ ଯାନ ମଧ୍ୟରୁ ଅଳ୍ପ ସଂଖ୍ୟକ କାର୍କୁ ବାଦ୍ ଦେଲେ ଅନ୍ୟାନ୍ୟ ଯାନ ପାଇଁ ଡ୍ରାଇଭର ନିଯୁକ୍ତ ହୋଇଥାନ୍ତି । ବର୍ଷକୁ ବର୍ଷ ନୂଆ ଗାଡି ପଞ୍ଜିକରଣ ସଂଖ୍ୟା ବଢିବାରେ ଲାଗିଛି ।
ତେବେ ପରିବହନ ବିଶେଷଜ୍ଞମାନଙ୍କ ମତରେ ନିଯୁକ୍ତ ହେଉଥିବା ଅଧିକାଂଶ ଡ୍ରାଇଭର ଠିକଣା ତାଲିମ ପାଉ ନାହାନ୍ତି । କିଛି ଦିନ ହେଲ୍ପର ଭାବେ କାର୍ଯ୍ୟ କରିବାପରେ ସିଧାସଳଖ ଷ୍ଟିଅରିଂ ଧରୁଛନ୍ତି । ଡ୍ରାଇଭରଙ୍କର ଅଭାବ ଯୋଗୁଁ ଗାଡିମାଲିକାମାନେ ବି ଆଗପଛ ନବିଚାରି ଏମାନଙ୍କୁ ନିଯୁକ୍ତି ଦେଉଛନ୍ତି । ଲକ୍ଷାଧିକ ଟଙ୍କାର ଗାଡି ଧରାଇ ଦେଉଥିବା ମାଲିକମାନେ କେବଳ ଚାଳକର ଲାଇସେନ୍ସଟି ଦେଖୁଥିବାବେଳେ ସେମାନଙ୍କର ପୂର୍ବ ରେକର୍ଡ କିମ୍ବା ଅଭିଜ୍ଞତା ପରଖୁ ନାହାନ୍ତି ।
ଏହି ଅନଭିଜ୍ଞ ଚାଳକଙ୍କ ଯୋଗୁଁ ହିଁ ଅଧିକାଂଶ ଦୁର୍ଘଟଣା ଘଟୁଛି । କାରଣ ଏମାନେ କୌଣସି ଅଭିଜ୍ଞ ସଂସ୍ଥାରୁ ତାଲିମ ପାଇନଥିବାରୁ ହଠାତ୍ କୌଣସି ବିପଦ ଆସିଲେ ତାହାକୁ ସାମ୍ନା କରିପାରୁ ନାହାନ୍ତି । ସେହିଭଳି ନିଜେ ଚଳାଉଥିବା ଯାନର ରକ୍ଷଣାବେକ୍ଷଣ ଓ ମରାମତି ତାଲିମ ମଧ୍ୟ ଏମାନେ ପାଇ ନାହାନ୍ତି । ଏପରିକି କେତେକ ଡ୍ରାଇଭର ଟ୍ରାଫିକ ନିୟମ ବିଷୟରେ ମଧ୍ୟ ସଠିକ ଭାବେ ଅବଗତ ନୁହନ୍ତି ।
ଡ୍ରାଇଭରଙ୍କୁ ଠିକଣା ତାଲିମ ଦେବାପାଇଁ ଯଦିଓ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି ତାହା କିନ୍ତୁ ସମୁଦ୍ରକୁ ଶଙ୍ଖେ ଭଳି । ଚାରିଟି ସରକାରୀ ତାଲିମ କେନ୍ଦ୍ରରୁ ବାହାରୁ ଥିବା ଅଭିଜ୍ଞ ଗାଡିଚାଳକମାନଙ୍କୁ ନେବାପାଇଁ ବିଭିନ୍ନ କମ୍ପାନୀ ଓ ସଂସ୍ଥା ଆଗ୍ରହ ପ୍ରକାଶ କରିବା ସହିତ ସେମାନଙ୍କୁ ଅଧିକ ପାରିଶ୍ରମିକ ଦେଇ ନେଇ ଯାଉଛନ୍ତି ।
ତେବେ ଯେଉଁ ହାରରେ ନୂଆ ଗାଡି ପଞ୍ଜିକରଣ ହେଉଛି ସେହି ଅନୁପାତରେ ଅଭିଜ୍ଞ ଡ୍ରାଇଭର ବାହାରୁ ନଥିବାରୁ ତାହା ବଡ ସମସ୍ୟଶ ଭାବେ ଉଭା ହୋଇଛି । ଡ୍ରାଇଭରଟିଏ ପାଇଁ ନେହୁରା ହେଉଥିବା ଅନେକ ଗାଡି ମାଲିକ ଡ୍ରାଇଭର ନିଯୁକ୍ତି ସମୟରେ ସେମାନଙ୍କ ବିଷୟରେ ବିଶଦ ଭାବେ ବୁଝିବାକୁ ବି ଭୁଲି ଯାଉଛନ୍ତି ।
ନିକଟରେ ଅନୁଷ୍ଠିତ ଶୂନ୍ୟ ଦୁର୍ଘଟଣା ସପ୍ତାହ ପାଳନ ଓ ବର୍ତ୍ତମାନ ଚାଲିଥିବା ପର୍ଯ୍ୟଟନ ଋତୁରେ ଘଟୁଥିବା ଏକାଧିକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଗାଡି ମାଲିକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଅତି କମ୍ରେ ନିଜ ନିଜର ଗାଡି ପାଇଁ ଅଭିଜ୍ଞ ଚାଳକ ନିଯୁକ୍ତି ଦେବା ଓ ଆବଶ୍ୟକ ପଡିଲେ ସେମାନଙ୍କୁ ତାଲିମ ପ୍ରଦାନ ପାଇଁ ମତ ଦେଉଛନ୍ତି । ଏହା ହୋଇପାରିଲେ ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇବା ସହିତ ଧନଜୀବନ ସୁରକ୍ଷା ହୋଇପାରିବ ବୋଲି ସେମାନେ ମତ ଦେଉଛନ୍ତି । (ତଥ୍ୟ)