ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରିରହି ଥିବା ସଂସ୍କାର ପ୍ରକ୍ରିୟା ଉପରେ ସମୀକ୍ଷା କରାଯାଇଥିଲା।
ବୈଠକରେ ସହର ଓ ଗ୍ରାମାଞ୍ଚଳରେ ସେବା କ୍ଷମତା ବୃଦ୍ଧି, ସହଜ ଓ ଶସ୍ତା ପରିବହନ ସୁନିଶ୍ଚିତ କରିବା ସହ ଶେଷ ମାଇଲ୍ ସଂଯୋଗ ସୁଦୃଢ଼ କରିବାକୁ ଲକ୍ଷ୍ୟ କରି ବିଭିନ୍ନ ନୀତିଗତ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।
ଆଲୋଚନା ହୋଇଥିବା ବିଷୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଙ୍କ ଭୂମିକା, ଟିକେଟ୍ ଦର ପୁନଃନିର୍ଦ୍ଧାରଣ ଓ ଯାତ୍ରୀ ରିହାତି, ସହଜତା ଓ ଆର୍ଥିକ ସ୍ଥାୟୀତ୍ୱ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ଜାରି ରଖିବା, ଯାହା ଶିକ୍ଷା ଓ ଗତିଶୀଳତାରେ ସମାନ ସୁଯୋଗ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ତାହା ସ୍ଥାନ ପାଇଥିଲା ।
ବ୍ୟବସ୍ଥାର ପୁନଃସଂରଚନା, ସମନ୍ୱୟ, ନିରୀକ୍ଷଣ ଓ ଦାୟିତ୍ୱବୋଧ ସୁଦୃଢ଼ କରିବା; ବସ୍ ରୁଟ୍ଗୁଡ଼ିକ ସ୍ଥିର କରିବା, ପରିଚାଳନା କ୍ଷମତା ଉନ୍ନତ କରିବା ଏବଂ ପିପିପି ଅପରେଟରମାନଙ୍କ ପାଇଁ ଜିସିସି ଦର ପୁନଃନିର୍ଦ୍ଧାରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଜିଲ୍ଲାସ୍ତରରୁ ଆସୁଥିବା ପ୍ରସ୍ତାବ ଆଧାରରେ ବସ୍ ରୁଟ୍ଗୁଡ଼ିକୁ ପୁନଃସଂଗଠିତ କରି ବିଦ୍ୟାଳୟ, ଚିକିତ୍ସାଳୟ ଓ ଅନ୍ୟାନ୍ୟ ଆବଶ୍ୟକ ସାର୍ବଜନିକ ସଂସ୍ଥା ସହ ଯୋଗାଯୋଗ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ସେ ମିଶନ ଶକ୍ତି ଓ ମହିଳା ଏସ୍ଏଚ୍ଜିଙ୍କ ଅଧିକ ସାମିଲ ଉପରେ ଗୁରୁତ୍ୱ ଦେଇ, ମୁଖ୍ୟମନ୍ତ୍ରୀ ବସ୍ ସେବା ଓଡ଼ିଶାର ସହଜ, ସୁରକ୍ଷିତ ଓ ସ୍ଥାୟୀ ସାର୍ବଜନିକ ପରିବହନ ଦୃଷ୍ଟିକୋଣର ଏକ ମୁଖ୍ୟ ଆଧାର ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ ବସ୍ ସେବାର କାର୍ଯ୍ୟଦକ୍ଷତା ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ସମୀକ୍ଷା କରାଯାଇ, ସାର୍ବଜନିନ ପରିବହନକୁ ନିର୍ଭରଯୋଗ୍ୟ, ସାମାବେଶୀ ଓ ଲୋକକେନ୍ଦ୍ରିକ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ପୁଲିସ୍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏନ୍ବିଏସ୍ ରାଜପୁତ, ମିଶନ ଶକ୍ତି କମିଶନର ଶ୍ରୀ ଗିରିଶ ଏସ୍.ଏନ ଏବଂ ଓଏସଆରଟିସିର ଜିଏମ୍ ଶ୍ରୀ ସଞ୍ଜୟ ବିଶ୍ଵାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକର ଶେଷରେ ଚିହ୍ନଟ ସଂସ୍କାରଗୁଡ଼ିକୁ ତ୍ୱରିତ କାର୍ଯ୍ୟାନ୍ୱୟନ କରିବା ଓ ରାଜ୍ୟ ଏବଂ କ୍ଷେତ୍ରସ୍ତରରେ ସମନ୍ୱିତ ପ୍ରୟାସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ଦ୍ୱାରା ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବସ୍ ସେବାର ପ୍ରଭାବ ଓ ପହଞ୍ଚ ଅଧିକ ସୁଦୃଢ଼ ହେବ।

