Home Election ଅଧିକ ଭୋଟ ପାଇ ବି ବିରୋଧି ଦଳରେ

ଅଧିକ ଭୋଟ ପାଇ ବି ବିରୋଧି ଦଳରେ

ଭୁବନେଶ୍ୱର : ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇ ବିରୋଧିଦଳରେ ବସିଥିବାବେଳେ ବିଜେପି କମ୍‍ ଭୋଟ ପାଇ ସରକାର ଗଠନ କରିଛି । ବିଜେଡିକୁ ମୋଟ୍‍ ୧,୦୧,୦୨,୪୫୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ମିଳିଛି ୧,୦୦,୬୪,୮୨୭ ଖଣ୍ଡ ଭୋଟ୍‍ ।

୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ୩୮.୯ ପ୍ରତିଶତ ଭୋଟ ସହିତ ୧୦୩ ଆସନ ହାତେଇ ଥିବାବେଳେ ୨୦୧୪ ନିର୍ବାଚନରେ ୪୩.୪ ପ୍ରତିଶତ ଭୋଟ ସହିତ ୧୧୭ଟି ଆସନ ପାଇଥିଲା । ୨୦୧୯ରେ ବିଜେଡିର ଭୋଟ ହାର ୪୪.୭୧ ପ୍ରତିଶତକୁ ବଢିଥିଲେ ବି ଆସନ ସଂଖ୍ୟା ୧୧୨କୁ କମି ଆସିଥିଲା । ୨୦୨୪ର ବିଧାନସଭା ନିର୍ବାଚନରେ ବିଜେଡିର ଭୋଟ ହାର ୪୦.୨୨ ପ୍ରତିଶତକୁ କମିଥିବାବେଳେ ଆସନ ସଂଖ୍ୟା କିନ୍ତୁ ୫୧କୁ ଖସି ଆସିବାରୁ ୨୪ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି କ୍ଷମତାଚ୍ୟୁତ ହୋଇଛି । ଅବଶ୍ୟ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନ ଲଢିଥିଲା ।

ସେହିପରି ମେଣ୍ଟ ଥିବାବେଳେ ବିଜେପି ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ୧୮.୨ ପ୍ରତିଶତ ଭୋଟ ପାଇ ୩୮ଟି ଆସନରୁ ଜିଣିଥିବାବେଳେ ୨୦୦୪ରେ ୧୭.୧ ପ୍ରତିଶତ ଭୋଟ ସହ ୩୨ଟି ଆସନ ଅକ୍ତିଆର କରିଥିଲା । ତେବେ ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ ବିଧାନସଭା ନିର୍ବାଚନରେ ଏକାକୀ ଲଢି ବିଜେପି ମାତ୍ର ୧୫.୧ ପ୍ରତିଶତ ଭୋଟ ସହିତ ୬ଟି ଆସନରେ ବିଜୟୀ ହୋଇଥିଲା । ୨୦୧୪ ନିର୍ବାଚନରେ ବିଜେପିର ଭୋଟ ହାର ୧୮ ପ୍ରତିଶତକୁ ବଢିଥିବାବେଳେ ଆସନ ସଂଖ୍ୟା ବି ୧୦ ଛୁଇଁଥିଲା । ତେବେ ୨୦୧୯ ନିର୍ବାଚନରେ ଏହି ଦଳ ୩୨.୪୯ ପ୍ରତିଶତ ଭୋଟ ହାସଲ କରିବା ସହିତ ୨୩ଟି ଆସନ ରାଜ୍ୟ ବିଧାନସଭାରେ ଦଖଲ କରିଥିଲା । ୨୦୨୪ ନିର୍ବାଚନରେ କିନ୍ତୁ ବିଜେପିର ଭୋଟ ହାର ୪୦.୦୭ ପ୍ରତିଶତକୁ ବଢିବା ସହ ଆସନ ସଂଖ୍ୟା କିନ୍ତୁ ୭୮ରେ ପହଞ୍ଚିବାରୁ ରାଜ୍ୟରେ ବିଜେପି ସରକାର ଗଠନ ସମ୍ଭବ ହୋଇଛି ।

ଅନ୍ୟ ପକ୍ଷରେ ଦେଶର ସର୍ବ ପୁରାତନ ରାଜନୈତିକଦଳ କଂଗ୍ରେସ ୧୯୮୫ରେ ୫୧ ପ୍ରତିଶତ ଭୋଟ ସହିତ ୧୧୭ଟି ଆସନ ଓ ୧୯୯୫ରେ ୩୯.୦୧ ପ୍ରତିଶତ ଭୋଟ ସହିତ ୮୦ଟି ଆସନରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଢିଥିଲା । ତେବେ ୨୦୦୦ ନିର୍ବାଚନରେ କଂଗ୍ରେସର ଭୋଟ ହାର ୩୩.୮ ପ୍ରତିଶତ ଓ ଆସନ ସଂଖ୍ୟା ୨୬କୁ କମି ଯାଇଥିବାବେଳେ ଏହା ସାମାନ୍ୟ ବୃଦ୍ଧି ପାଇ ୨୦୦୪ ଭୋଟ ହାର ୩୪.୮ ପ୍ରତିଶତ ଓ ଆସନ ସଂଖ୍ୟା ୩୮ରେ ପହଞ୍ଚିଥିଲା । ୨୦୦୯ ବିଧାନସଭା ନିର୍ବାଚନରେ କିନ୍ତୁ କଂଗ୍ରେସର ଭୋଟ ହାର ୨୯ ପ୍ରତିଶତକୁ ଖସିବା ସହ ଆସନ ସଂଖ୍ୟା ବି ୨୭କୁ କମିଥିଲା । ୨୦୦୪ରେ ଏହା ଆହୁରି ନିମ୍ନଗାମୀ ହୋଇ ଭୋଟ ହାର ୨୫.୦୭ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଆସନ ସଂଖ୍ୟା ୧୬କୁ ଖସିଥିଲା । ୨୦୧୯ ନିର୍ବାଚନରେ କଂଗ୍ରେସର ଭୋଟ ହାର ୧୬.୧୨ ପ୍ରତିଶତକୁ ଖସିବା ସହ ଆସନ ସଂଖ୍ୟା ୯କୁ କମିଥିବାବେଳେ ୨୦୨୪ ନିର୍ବାଚନରେ କିନ୍ତୁ ଭୋଟ ହାର ୧୩.୨୬ ପ୍ରତିଶତକୁ ଖସିଥିଲେ ମଧ୍ୟ ଆସନ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେଉଥିବାରୁ ୨୦୧୯ ଓ ୨୦୨୪ରେ ବିଜେପି ଓଡିଶାରେ ଦିଲ୍ଲୀ ହାୱା ଯୋଗୁଁ ଆଶାତୀତ ସଫଳତା ହାସଲ କରିଥିବା ଉଭୟ କଂଗ୍ରେସ ଓ ବିଜେଡି ନେତାମାନେ କହୁଛନ୍ତି । ଏ ସଂକ୍ରାନ୍ତରେ ବିଜେଡି ମାନସ ମନ୍ଥନ ଚଳାଇଥିବାବେଳେ କଂଗ୍ରେସ ଶିବିର ଏକ ପ୍ରକାର ନିରବ ରହିଛି । ବିଜେଡି ନେତାମାନେ କହୁଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡିର ଭୋଟ ହାର ପ୍ରାୟ ସମାନ ଥିବାବେଳେ ଦଳ ପୂର୍ବଥରମାନଙ୍କ ଭଳି ଏବେ ଠାରୁ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବାରୁ ପୁଣି ଭୋଟ ହାର ବଢାଇ କ୍ଷମତାକୁ ଫେରିବ ।(ତଥ୍ୟ)