Home Judiciary ଅଧିକାରୀଙ୍କ ଭୁଲ୍‍ ପାଇଁ ଲୋକେ ଦଣ୍ଡ ନଭୋଗନ୍ତୁ

ଅଧିକାରୀଙ୍କ ଭୁଲ୍‍ ପାଇଁ ଲୋକେ ଦଣ୍ଡ ନଭୋଗନ୍ତୁ

ଭୁବନେଶ୍ୱର : ପଦସ୍ଥ ଅଧିକାରୀଙ୍କ ବିଳମ୍ବ ଓ ତ୍ରୁଟି ପାଇଁ ସାଧାରଣ ଲୋକେ ଦଣ୍ଡ ଭୋଗିବା ଅନୁଚିତ୍‍ । ଏଭଳି ମତବ୍ୟକ୍ତ କରିବା ସହିତ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ଆଧାରରେ ଚାକିରିରୁ ବଞ୍ôଚତ ଆବେଦନକାରୀଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଚତୁର୍ଥ ଶ୍ରେଣୀ ପଦବୀରେ କାମ କରୁଥିବା ବେଳେ ୨୦୧୬ ଜୁନ୍‍ ମାସରେ ନେତ୍ର ଉତ୍ସବ ମହାନ୍ତିଙ୍କର ପରଲୋକ ହୋଇଥିଲା । ଏହାପରେ ତାଙ୍କ ପୁଅ ରବୀନ୍ଦ୍ର କୁମାର ମହାନ୍ତି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହମତି ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ ।

ତାଙ୍କ ପରିବାରର ଆର୍ôଥକ ସ୍ଥିତି ଅତି ଶୋଚନୀୟ ଥିବା ପରିପ୍ରେକ୍ଷୀରେ ବୁଗୁଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେହିବର୍ଷ ଅକ୍ଟୋବର ମାସରେ ଆବେଦନଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିଲେ । ତେବେ ଜିଲ୍ଲାପାଳଙ୍କ ଦପ୍ତର ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ୨୦୧୮ ଏପ୍ରିଲ ମାସରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ନିକଟକୁ ଏହି ଆବେଦନ ବିଚାର ପାଇଁ ଆସିପାରିନଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ବଦଳରେ ୨୦୨୦ରେ ଅନ୍ୟ ଏକ ନୂଆ ଆଇନ୍‍ ଆଣିଥିଲେ ।

ନିଯୁକ୍ତି ନମିଳିବାରୁ ବାରଦ୍ୱାର ଶୁଣ୍ଡିପିଣ୍ଡା ହେବା ପରେ ଆବେଦନକାରୀ ରବୀନ୍ଦ୍ର କୁମାର ୨୦୨୧ରେ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୬ସପ୍ତାହ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ୨୦୨୧ ଜାନୁଆରୀ ମାସରେ ନିର୍ଦ୍ଦେଶ ଦେଇଥିଲେ ।

ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିରବ ରହିବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପରେ ୨୦୨୩ ଏପ୍ରିଲ ମାସରେ ଜିଲ୍ଲା ପ୍ରଶାସନ ଅନୁକମ୍ପାମୂଳକ ଆବେଦନଟିକୁ ୨୦୨୦ର ନୂଆ ଆଇନ୍‍ ଆଧାରରେ ଖାରଜ କରିଦେଇଥିଲେ । ଏ ପରିପ୍ରେକ୍ଷୀରେ ଆବେଦନକାରୀ ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଏମ୍‍.ଏସ୍‍. ରମଣ ମାମଲାଟିର ବିସ୍ତୃତ ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବହୁ ମାମଲାର ନଜିର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି । କର୍ମଚାରୀଙ୍କ ମୃତ୍ୟୁ ବେଳକୁ ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ବଳବତ୍ତର ଥିଲା ଏବଂ ଏହି ଆଇନ୍‍ ଆଧାରରେ ନିଯୁକ୍ତି ଲାଗି ଆବେଦନକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇଥିଲେ ଅନୁକମ୍ପାମୂଳକ ନିଯୁକ୍ତି ଦେବା ଲାଗି ୨୦୧୮ ମସିହାରେ ଯେଉଁ କମିଟି ବୈଠକ ବସିଥିଲା ସେଥିରେ ତାଙ୍କ କଥା ବିଚାର ହୋଇପାରିଥାନ୍ତା । କିନ୍ତୁ କର୍ତ୍ତୃପକ୍ଷଙ୍କ ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଯୋଗୁ ତାହା ହୋଇପାରିନଥିଲା ।

ଏ ପରିପ୍ରେକ୍ଷୀରେ ୨୦୨୦ ମସିହାରେ ଆସିଥିବା ନୂଆ ଆଇନ୍‍ ଆଧାରରେ ଆବେଦନକାରୀଙ୍କୁ ବଞ୍ôଚତ କରାଯାଇପାରିବ ନାହିଁ । ଆବେଦନକାରୀଙ୍କ ପକ୍ଷରୁ ଅନ୍ୟତମ ଓକିଲ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରି ଆଇନ୍‍ର ତର୍ଜମା ସହ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଅନେକ ମାମଲାର ନଜିର ଉପସ୍ଥାପନ କରିଥିଲେ । ବିଶେଷ କରି ସୁପ୍ରିମକୋର୍ଟ ମଳୟାନନ୍ଦ ସେଠୀ ମାମଲାରେ ନେଇଥିବା ନିଷ୍ପତ୍ତି ଆଧାରରେ ମଳୟାନନ୍ଦଙ୍କୁ ଓଡ଼ିଶା ସରକାର ନିଯୁକ୍ତି ଦେଇଥିବା ପରିପ୍ରେକ୍ଷୀରେ ଆବେଦନକାରୀଙ୍କୁ ବଞ୍ôଚତ କରିବା ସମ୍ବିଧାନ ପ୍ରଦତ୍ତ ସମାନତା ଅଧିକାରର ଉଲ୍ଲଂଘନ ହେବ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା ।

ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ର ଧାରା ୬(୯)କୁ ପୂର୍ବରୁ ଅଦାଲତ ଏଭଳି କ୍ଷେତ୍ରରେ ବେଆଇନ୍‍ ବୋଲି ଦର୍ଶାଇଥିବା ପରିପ୍ରେକ୍ଷୀରେ ୧୯୯୦ର ପୁରୁଣା ଆଇନ୍‍ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରାଯିବା ଉଚିତ୍‍ । ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ସରକାରୀ ପ୍ରତିପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ବଞ୍ôଚତ ଅନେକ ପ୍ରାର୍ଥୀଙ୍କ ପାଇଁ ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆଶାର ଆଲୋକ ଦେଖାଇଛି ବୋଲି ବିଧି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।