ଭୁବନେଶ୍ୱର : ରାଜ୍ୟ ଜନସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଲୋକଙ୍କୁ ମାଗଣା ଚାଉଳ ଦିଆଯାଉଥିବାବେଳେ ପ୍ରାୟ ୧୧ ପ୍ରତିଶତ ଲୋକଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦିଆଯାଉଛି । ତେବେ ଯେତେ ଲୋକ ମାଗଣା ଚାଉଳ ଓ ଭତ୍ତା ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏହା ପାଇବାପାଇଁ ଅଯୋଗ୍ୟ ବୋଲି ଏବେ ଗାଁରେ ଗାଁରେ ଅଭିଯୋଗ ହେଉଥିବାବେଳେ ଅନ୍ୟପଟେ ମାଗଣା ଚାଉଳ ଓ ଭତ୍ତା ପାଇଁ ୭ଲକ୍ଷରୁ ଅଧିକ ଲୋକ ଆବେଦନ କରି ଅପେକ୍ଷାରେ ଅଛନ୍ତି ।
ଓଡିଶାର ଜନସଂଖ୍ୟାୟ ପ୍ରାୟ ୪କୋଟି ୪୦ଲକ୍ଷ ହେବବୋଲି ଅନୁମାନ କରାଯାଉଥିବାବେଳେ ଏବେ ୯୨,୬୬,୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆଧାରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ମାଗଣା ଚାଉଳ ପାଉଛନ୍ତି । ଏହାଛଡା ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୫,୨୩୭ ପରିବାରର ୧୦,୦୨,୧୪୪ ଜଣ ମଧ୍ୟ ମାଗଣା ଚାଉଳ ଉଠାଉଛନ୍ତି ।
ଗୋଟିଏ ପଟେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳକୁ ବହୁ ଲୋକ ଖସିଥିବା ଘେନି ଦାବି କରାଯିବା ସହ ରାଜ୍ୟରେ ଆର୍ଥିକ ସମୃଦ୍ଧି ଘଟୁଛି ବୋଲି କୁହାଯାଉଥିବାବେଳେ ୭୬.୩୫ ପ୍ରତିଶତ ଲୋକଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଉଥିବା ପରିପ୍ରେକ୍ଷୀରେ ବାସ୍ତବରେ ଓଡିଶାରେ ଦାରିଦ୍ର୍ୟ କମିବା ପରିବର୍ତ୍ତେ ବଢୁଛି ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି । କେବଳ ସେତିକି ନୁହେଁ ସରକାରୀ ହିସାବ ମୁତାବକ ଏବେ ଆଉ ୬,୧୯,୮୩୬ ପରିବାର ମାଗଣା ଚାଉଳ ପାଇବାପାଇଁ ଅପେକ୍ଷାରେ ରହିଛନ୍ତି । ଏହି ପରିବାରଗୁଡିକର ଜନସଂଖ୍ୟା ଅତି କମ୍ରେ ୨୫ଲକ୍ଷ ହେବ ବୋଲି କୁହାଯାଉଛି । ଯଦି ଏମାନଙ୍କୁ ଯୋଡାଯାଏ ତେବେ ଓଡିଶାରେ ମାଗଣା ଚାଉଳ ହିତାଧିକାରୀଙ୍କ ସଂଖ୍ୟା ୩କୋଟି ୬୦ଲକ୍ଷକୁ ଟପିଯାଇପାରେ । ଅର୍ଥାତ୍ ରାଜ୍ୟର ୮୦ଲକ୍ଷ ଲୋକଙ୍କୁ ଛାଡିଦେଲେ ଆଉ ସମସ୍ତେ ମାଗଣା ଚାଉଳର ହିତାଧିକାରୀ ତାଲିକାରେ ସ୍ଥାନ ପାଇବେ ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ବାସହୀନ, ଭିକ୍ଷା ବୃତ୍ତିଧାରୀ ନିରାଶ୍ରୟ ପରିବାର, ସମସ୍ତ ଆଦିମ ଅଧିବାସୀ, ଶାରିରୀକ ଭିନ୍ନକ୍ଷମ, କିନ୍ନର, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକ,ଶାରିରୀକ ଓ ମାନସିକ ନ୍ୟୁନତା, ଦିନ ମଜୁରିଆ, ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ପରିବାର, କୁଷ୍ଠ, ଏଡ୍ସ ଭଳି ଗୁରୁତର ବ୍ୟାଧିରେ ସଂକ୍ରମିତ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯୋଡି ହେବାପାଇଁ ହକଦାର ।
ସେହିଭଳି ଯେଉଁ ପରିବାରରେ ଚାରି ଚକିଆ ମୋଟର ଯାନ, ହାର୍ଭେଷ୍ଟର, ଟ୍ରାକ୍ଟର ଆଦି ଥିବ ଏବଂ ଯେଉଁମାନେ ପେନ୍ସନ ପାଉଥିବେ, ସରକାରୀ ଚାକିରି କରିଥିବେ, ସହରାଞ୍ଚଳରେ ଯେଉଁମାନଙ୍କର ମାସିକ ରୋଜଗାର ୧୫ହଜାର ଟଙ୍କାରୁ ଅଧିକ ଓ ଗ୍ରାମାଞ୍ଚଳରେ ୧୦ହଜାର ଟଙ୍କାରୁ ଅଧିକ, ଆୟକର ଦାତା, ମାସିକ ୩୦୦ ୟୁନିଟ୍ରୁ ବିଦ୍ୟୁତ ବ୍ୟବହାରକାରୀ ତଥା ତିନି ବଖୁରିଆ କିମ୍ବା ତାହାଠାରୁ ଅଧିକ କୋଠାଘର ଥିବା ପରିବାରଗୁଡିକୁ ଏହି ମାଗଣା ଚାଉଳ ଯୋଜନାରୁ ବାଦ୍ ଦିଆଯିବାପାଇଁ ମାର୍ଗନିର୍ଦ୍ଦେଶିକା ଥିଲେ ମଧ୍ୟ ବହୁ କ୍ଷେତ୍ରରେ ଏହାର ଉଲ୍ଲଙ୍ଘନ ହେଉଛି । ଏମିତିକି ଜଣେ ଜଣେ ଲୋକ ଏକାଧିକ ସ୍ଥାନରୁ ମାଗଣା ଚାଉଳ ପାଇଁ କାର୍ଡ ହାତେଇଛନ୍ତି ।
ୱାନ ନେସନ ୱାନ୍ ରାସନ ବ୍ୟବସ୍ଥା ଲାଗୁ ସହିତ ରାସନକାର୍ଡକୁ ଆଧାର ସହ ଯୋଗକରି ଇ-କେୱାଇସି କରାଗଲେ ବହୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡିବେ ବୋଲି ଆଶା କରାଯାଉଛି । ସେହିଭଳି ଭତ୍ତା କ୍ଷେତ୍ରରେ ମଧ୍ୟ ଏବେ ପ୍ରାୟ ୩୪ଲକ୍ଷ ୬୫ହଜାର କେନ୍ଦ୍ରୀୟ ଭତ୍ତା ପାଉଥିବାବେଳେ ପ୍ରାୟ ସାଢେ ୩ଲକ୍ଷ ରାଜ୍ୟ ଭତ୍ତା ପାଉଥିବା ଲୋକଙ୍କ ମଧ୍ୟରୁ କିଏ ସତ କିଏ ମିଛ ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । (ତଥ୍ୟ)