Home Covid ଅଧା ସଂକ୍ରମିତ ରାଜଧାନୀରେ

ଅଧା ସଂକ୍ରମିତ ରାଜଧାନୀରେ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ଯେତିକି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ପାଖାପାଖି ଅଧା ରାଜଧାନୀରୁ ବାହାରୁଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରୁ ୪୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୧୬ଜଣ ରାଜଧାନୀରୁ ରହିଛନ୍ତି ।

ସେହିଭଳି ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ୨୨୨ଜଣ ଥିବାବେଳେ କଟକରୁ ୬୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୬ ଓ ଗଞ୍ଜାମରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି । ବଲାଙ୍ଗିର, ଦେବଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ମାତ୍ର ଜଣେ କରି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୋନପୁର ଓ କେନ୍ଦୁଝରରେ ଦୁଇଜଣ କରି ଚିହ୍ନଟ ହୋଇଛନ୍ତି ।

ଭଦ୍ରକ, କୋରାପୁଟ, ନୟାଗଡ ଓ ରାୟଗଡା ଜିଲ୍ଲାରେ ୩ଜଣ କରି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ ୪ଜଣ, ଅନୁଗୁଳ, ବାଲେଶ୍ୱର, ନବରଙ୍ଗପୁର ଓ ବରଗଡରୁ ୫ଜଣ କରି, ଢେଙ୍କାନାଳରୁ ୬ଜଣ, ଜଗତ୍‍ସିଂହପୁରରୁ ୭, ସୁନ୍ଦରଗଡରୁ ୮, ମୟୁରଭଞ୍ଜ ଓ ଯାଜପୁରରୁ ୯ଜଣ କରି ଓ ଗଞ୍ଜାମରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ୪୬୭ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୬ଜଣଙ୍କ ବୟସ ୧୮ବର୍ଷ ତଳେ ରହିଥିବାବେଳେ ୨୭୧ ଜଣ କ୍ୱାରେଣ୍ଟାଇନ୍‍ ଓ ୧୯୬ଜଣ ଲୋକାଲ କେଶ୍‍ ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୭ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ୨୬୩୭ ସକ୍ରିୟ ରୋଗୀଙ୍କ ସହିତ ଖୋରଧା ଏବେ ବି ରେଡ୍‍ଜୋନ୍‍ରେ ରହିଛି ।

ସେହିଭଳି ରାଜ୍ୟରେ ଆଉ ୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଖୋରଧାରୁ ୨ଜଣ ଥିବାବେଳେ ନବରଙ୍ଗପୁରରୁ ୩ଜଣ ରହିଛନ୍ତି । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୨୭୯ରେ ପହଞ୍ଚିଛି ।