Home General ଅଧାରୁ ଅଧିକ ଖାଇବା ତେଲ ବିଦେଶରୁ ଆସୁଛି

ଅଧାରୁ ଅଧିକ ଖାଇବା ତେଲ ବିଦେଶରୁ ଆସୁଛି

ନୂଆଦିଲ୍ଲୀ : ଆମ ଦେଶରେ ଯେତିକି ପରିମାଣ ଖାଇବା ତେଲ ଆବଶ୍ୟକ ତାହାର ଅଧାରୁ ଅଧିକ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ପ୍ରତିବର୍ଷ ଚାହିଦା ସହିତ ଆମଦାନୀ ପରିମାଣ ବି ବଢି ବଢି ଚାଲିଛି । କେନ୍ଦ୍ର ଖାଉଟି କଲ୍ୟାଣ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଆଜି ଲୋକସଭାରେ ଲିଖିତ ଭାବେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮-୧୯ ବର୍ଷରେ ଆମ ଦେଶରେ ୨୫୯.୨୨ ଲକ୍ଷ ମେଟ୍ରିକ ଟନ୍‍ ଖାଇବା ତେଲର ଆବଶ୍ୟକତା ଥିବାବେଳେ ଉତ୍ପାଦନ ହେଉଥିଲା ମାତ୍ର ୧୦୩.୫୨ ଲକ୍ଷ ମେଟ୍ରିକ ଟନ୍‍ । ସେହିବର୍ଷ ଚାହିଦା ମେଣ୍ଟାଇବାପାଇଁ ବିଦେଶରୁ ୧୫୫.୭ ଲକ୍ଷ ଟନ୍‍ ଖାଇବା ତେଲ ଆମଦାନୀ କରିବାକୁ ପଡିଥିଲା ।

୨୦୧୯-୨୦ ବର୍ଷରେ ଦେଶର ଖାଇବା ତେଲ ଚାହିଦା ୨୪୦.୭୧ ଲକ୍ଷ ଟନ୍‍କୁ ବୃଦ୍ଧି ପାଇଥିବାବେଳେ ବିଦେଶରୁ ୧୩୪.୧୬ଲକ୍ଷ ଟନ୍‍ ଆମଦାନୀ ହୋଇଛନ୍ତି । ୨୦୨୦-୨୧ ବର୍ଷରେ ଖାଇବା ତେଲ ଚାହିଦା ୨୪୬.୦୩ ଲକ୍ଷ ମେଟ୍ରିକ ଟନ୍‍କୁ ବଢିଥିବାବେଳେ ଆମଦାନୀ ପରିମାଣ ପୂର୍ବବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ପାଇ ୧୩୪.୫୨ଲକ୍ଷ ଟନରେ ପହଞ୍ଚିଥିଲା । ଏହି ତିନି ବର୍ଷରେ ଦେଶ ଭିତରେ ଖାଇବା ତେଲ ଉତ୍ପାଦନ ପରିମାଣ ୧୦୩ଲକ୍ଷ ଟନ୍‍ରୁ ବୃଦ୍ଧି ପାଇ ୧୧୧ଲକ୍ଷ ଟନ୍‍ରେ ପହଞ୍ଚିଥିଲା ।

ଦେଶରେ ଚାହିଦା ତୁଳନାରେ ଖାଇବା ତେଲ ଉତ୍ପାଦନ ଢେର କମ୍‍ ଥିବାବେଳେ ଏହାର ଦର ମଧ୍ୟ ଖାଉଟିଙ୍କ ପାଇଁ ବଢିବାରେ ଲାଗିଛି । ଲୋକସଭାରେ ମନ୍ତ୍ରୀ ରଖିଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ସୋରିଷ ତେଲ କିଲୋପ୍ରତି ହାରାହାରି ଦର ୧୦୯.୮୫ ଟଙ୍କା ଥିବାବେଳେ ଗତବର୍ଷ ଏହା ୧୭୦ ଟଙ୍କାକୁ ଟପିଥିଲା । ସେହିଭଳି ବାଦାମ ତେଲର ଦର ୧୩୦ ଟଙ୍କାରୁ ବଢି ୧୭୬ ଟଙ୍କାରେ ପହଞ୍ଚିଥିଲା ।

ଅନ୍ୟାନ୍ୟ ଖାଇବା ତେଲ ମଧ୍ୟରେ ବହୁଳ ବ୍ୟବହାର ହେଉଥିବା ସୂର୍ଯ୍ୟମୁଖୀ ତେଲର ଦର ୨୦୧୯ ମସିହାରେ କିଲୋପ୍ରତି ହାରାହାରି ୯୯.୮୪ ଟଙ୍କା ଥିବାବେଳେ ଗତବର୍ଷ ଶେଷ ସୁଦ୍ଧା ଏହା କିଲୋପ୍ରତି ୧୬୪ ଟଙ୍କାକୁ ଟପିଯାଇଥିଲା । ପାମୋଲିନ୍‍ ତେଲ ଦର ମଧ୍ୟ ଏହି ତିନିବର୍ଷରେ ୭୬ଟଙ୍କାରୁ ବୃଦ୍ଧି ପାଇ ୧୨୮ ଟଙ୍କାକୁ ଅତିକ୍ରମ କରିଯାଇଛି ।

ସୋୟାବିନ୍‍ ତେଲର ଦର ୨୦୧୯ ମସିହାରେ କିଲୋପ୍ରତି ହାରାହାରି ଦର ୯୨.୨୯ ଟଙ୍କା ଥିବାବେଳେ ୨୦୨୧ ବର୍ଷ ଶେଷ ସୁଦ୍ଧା ତାହା ୧୪୭.୨୬ ଟଙ୍କାରେ ପହଞ୍ଚିଛି । ଅନୁରୂପ ଭାବେ ବନସ୍ପତି ଦର କିଲୋପିଛା ୮୦.୫୨ ଟଙ୍କାରୁ ବୃଦ୍ଧି ପାଇ ୧୩୧.୦୨ ଟଙ୍କାରେ ପହଞ୍ଚିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।