ଭୁବନେଶ୍ୱର : ଛୋଟ ଛୋଟ ଉଦ୍ୟୋଗ ସ୍ଥାପନ ପାଇଁ ରାଜ୍ୟରେ ଯେତିକି ଆଗ୍ରହୀ ଆବେଦନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ଆବେଦନ ଖାରଜ ହୋଇଯାଉଛି । ଚାରି ଭାଗେରୁ ଭାଗେ ଆବେଦନକାରୀଙ୍କୁ ବି ବ୍ୟାଙ୍କ୍ ଋଣ ମିଳିପାରୁ ନାହିଁ ।
ବିଗତ ୫ବର୍ଷରୁ ତଥ୍ୟରୁ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚବର୍ଷ ମଧ୍ୟରେ ସୂକ୍ଷ୍ମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମଇଜିପି ଯୋଜନାରେ ରାଜ୍ୟରେ ୭୪,୯୯୨ ଜଣ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୧୬,୩୭୬ ଜଣଙ୍କୁ ବ୍ୟାଙ୍କ୍ ଋଣ ମିଳିଛି । ତେବେ ମୋଟ୍ ଆବେଦନକାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୪୯,୯୫୦ଟି ଆବେଦନକୁ କର୍ତ୍ତୃପକ୍ଷ ନାମଞ୍ଜୁର କରିଦେଇଛନ୍ତି । ଏହାବାଦ୍ ପ୍ରାୟ ଚାରି ହଜାର ଆବେଦନ ଏବେ ବି ବିଚାର ଅପେକ୍ଷାରେ ରହିଛି ।
ରାଜ୍ୟ ସରକାର ଛୋଟ ଛୋଟ ଉଦ୍ୟୋଗ ଜରିଆରେ ଗାଁ ଗହଳରେ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଷ୍ଟାର୍ଟଅପ୍ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ଉଦ୍ୟୋଗ ଆଗ୍ରହୀଙ୍କ ପାଇଁ କେନ୍ଦ୍ର ସରକାର ମୁଦ୍ରା ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ରାଜ୍ୟ ସରକାର ବି ଋଣ ପ୍ରଦାନ ପାଇଁ ବ୍ୟାଙ୍କ୍ଗୁଡିକୁ ବାରମ୍ବାର ତାଗିଦା କରିବାରେ ଲାଗିଛନ୍ତି ।
ହେଲେ ସ୍ଥିତିରେ ସେଭଳି କୌଣସି ସୁଧାର ଆସୁଥିବା ଲକ୍ଷ୍ୟ କରାଯାଉନାହିଁ । ୨୦୧୭-୧୮ ବର୍ଷରେ ଏଭଳି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୬ହଜାର ଆବେଦନ ପଡିଥିବାବେଳେ ସେଥି ମଧ୍ୟରୁ ୧୧ହଜାରରୁ ଅଧିକ ଆବେଦନ ନାକଚ ହୋଇଥିଲା । ମାତ୍ର ୨୭୩୨ ଜଣ ବ୍ୟାଙ୍କ୍ ଋଣ ପାଇବାରେ ସଫଳ ହୋଇଥିଲେ । ୨୦୨୧-୨୨ ରେ ୧୬,୩୦୨ଟି ଆବେଦନ ପଡିଥିବାବେଳେ ଏଥିରୁ ୧୦,୩୬୫ଟି ନାକଚ ହୋଇଯାଇଥିଲା । ୨୬୫୨ ବିଚାର ପାଇଁ ପଡି ରହିଛି । ପାଖପାଖି ୫ହଜାର ଆବେଦନକାରୀଙ୍କୁ ଋଣ ମିଳିଛି ।
ତେବେ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ ଏହି ୫ବର୍ଷ ଭିତରେ ରାଜ୍ୟରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠାପାଇଁ ଆବେଦନକାରୀଙ୍କ ସଂଖ୍ୟା ସେଭଳି ବଢୁନାହିଁ । ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ହସ୍ତତନ୍ତ ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ ବ୍ୟାପକ ଶିଳ୍ପ ସୁଯୋଗ ଥିଲେ ମଧ୍ୟ ଉଦ୍ୟୋଗୀ ବିଶେଷକରି ଯୁବପୀଢି ଏଥି ପ୍ରତି ବିମୁଖ । ଏହାର ପ୍ରମୁଖ କାରଣ ବ୍ୟାଙ୍କ ଋଣ ପ୍ରଦାନରେ ସମସ୍ୟା ବୋଲି କୁହାଯାଉଛି । ଗୋଟିଏ ପଟେ ସରକାରୀ ଦପ୍ତରରେ ଫାଇଲ୍ ଚାଷ ସାଙ୍ଗକୁ ଅନ୍ୟପଟେ ବ୍ୟାଙ୍କ୍ମାନଙ୍କ ନକରାତ୍ମକ ମନୋଭାବ ଅନେକ ଉଦ୍ୟୋଗୀ ଆଗ୍ରହୀଙ୍କୁ ହତାଶ କରୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ରାଜ୍ୟରୁ ମୋଟା ଅଙ୍କର ପୁଞ୍ଜି ସଂଗ୍ରହ କରୁଥିବା ବ୍ୟାଙ୍କ୍ମାନେ ଗାଡି, ଘର ଓ ଆସବାବପତ୍ର ପାଇଁ ଋଣ ଦେବାକୁ ଯେଭଳି ଆଗ୍ରହ ପ୍ରକାଶ କରୁଛନ୍ତି ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ଏପରିକି କୃଷି କ୍ଷେତ୍ର ପାଇଁ ସେଭଳି ଆଗ୍ରହ ନାହିଁ । ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦାକୁ ବି ସେମାନେ ଅଣଦେଖା କରୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)