Home Education ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି

ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର : ସରକାରୀ ଡିଗ୍ରୀ କଲେଜରେ ଏବେ ଶିକ୍ଷକ ଅଭାବ ଯୋଗୁଁ ପାଠପଢା ସମସ୍ୟା ଲାଗି ରହିଥିବାବେଳେ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପ୍ରଶାସନିକ କାର୍ଯ୍ୟକୁ ବିଗାଡିଲାଣି । ଅବସ୍ଥା ଏଭଳି ହୋଇଛି ଯେ ଅନେକ ଡିଗ୍ରୀ କଲେଜର ଅଧ୍ୟାପକ ଅଧ୍ୟାପିକା ପାଠପଢା ଛାଡି ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ରାଜ୍ୟର ୬୨ଟି ଡିଗ୍ରୀ କଲେଜରେ ପ୍ରଶାସନିକ କାର୍ଯ୍ୟ ତୁଲାଇବାପାଇଁ ରହିଛି ୨୨୧୦ଟି ଅଣଶିକ୍ଷକ ପଦବୀ । ହେଲେ ଏଥିରୁ ଏବେ ଖାଲି ପଡିଛି ୧୪୮୬ଟି । ଏ ତେ ସଂଖ୍ୟାରେ ଅଣଶିକ୍ଷକ ପଦବୀ ଖାଲି ଏବେ ଡିଗ୍ରୀ କଲେଜରେ ପ୍ରଶାସନିକ କାର୍ଯ୍ୟକୁ ପ୍ରଭାବିତ କରୁଛି । ଖୋଦ ରାଜଧାନୀରେ ଥିବା ବିଜେବି ସ୍ୱୟଂଶାସିତ କଲେଜରେ ମଞ୍ଜୁରୀପ୍ରାପ୍ତ ୧୫୦ ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୯୪ଟି ଖାଲି ପଡିଛି । ୫୬ କର୍ମଚାରୀଙ୍କୁ ନେଇ କୌଣସି ପ୍ରକାରେ କାମ ଚଳାଇ ନିଆଯାଉଛି । ତେବେ ନାମଲେଖା, ପରୀକ୍ଷା ଆଦି ସମୟରେ ଶିକ୍ଷକମାନେ ପାଠପଢା ଛାଡି କିରାଣୀ କାର୍ଯ୍ୟ କରୁଛନ୍ତି ।

ବିଜେବି ଭଳି ରାଜଧାନୀ କଲେଜରେ ୯୮ ଅଣଶିକ୍ଷକ ପଦବୀ ମଧ୍ୟରୁ ୬୬ଟି ଖାଲି । ପରୁରୀ ଏସ୍‍ସିଏଏସ୍‍ ସ୍ୱୟଂଶାସିତ କଲେଜରେ ୧୩୮ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୮୮ଟି ଖାଲି ପଡିଥିବାବେଳେ କଟକ ଶୈଳବାଳା କଲେଜରେ ଥିବା ୧୩୯ ଅଣଶିକ୍ଷକ ପଦବୀ ମଧ୍ୟରୁ ୯୪ଟି ଖାଲି ପଡିଛି ।

ସମ୍ବଲପୁର ଜୋନ୍‍ରେ ଥିବା ୨୧ଟି ଡିଗ୍ରୀ କଲେଜରେ ଥିବ ୪୭୬ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୦୨ଟି ଖାଲି ପଡିଛି । ବରଗଡ ପଞ୍ଚାୟତ କଲେଜରେ ୮୨ ଟି ପଦବୀରେ କାମ କରୁଛନ୍ତି ମାତ୍ର ୨୦ଜଣ । ୬୨ଟି ପଦବୀରେ କେହି ନାହାନ୍ତି । ସମ୍ବଲପୁର ସରକାରୀ ମହିଳା କଲେଜରେ ୬୬ଟି ପଦବୀରୁ ୪୯ଟି ଖାଲି ପଡିଛି । ସେହିଭଳି ବଲାଙ୍ଗିରରେ ଥିବା ମହିଳା କଲେଜରେ ଅଛନ୍ତି ମାତ୍ର ୯ଜଣ ଅଣଶିକ୍ଷକ କର୍ମଚାରୀ । ଏଠାରେ  ୩୨ରୁ ୨୩ଟି ପଦବୀ ଖାଲି ।

ବାଲେଶ୍ୱର ଜୋନ୍‍ରେ ଥିବା ୭ଟି ସରକାରୀ ଡିଗ୍ରୀ କଲେଜରେ ମଧ୍ୟ ସ୍ଥିତି ଅନୁରୂପ । ଏଠାରେ ୪୬୧ ଅଣଶିକ୍ଷକ ପଦବୀ ମଧ୍ୟରୁ ୩୦୨ ଟି ଖାଲି ପଡିଛି । ଫକୀର ମୋହନ ସ୍ୱୟଂଶାସିତ କଲେଜରେ ୧୦୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୬୬ଟିି ଖାଲି ପଡିଥିବାବେଳେ ବାରିପଦା ସ୍ଥିତ ଏମପିସି ସ୍ୱୟଂଶାସିତ କଲେଜରେ ୧୪୫ଟି ପଦବୀରୁ ୯୯ଟି ଖାଲି ପଡିଛି ।

ଜୟପୁର ଜୋନ୍‍ରେ ଥିବା ୧୫ଟି ଡିଗ୍ରୀ କଳେଜରେ ୧୪୭ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୧୦୪ଟି ଖାଲି ପଡିଛି । କୋଷମାଗୁଡା ସରକାରୀ ଡିଗ୍ରୀ କଲେଜ, ତେନ୍ତୁଲିଖୁଣ୍ଟି, ରାଇଘର, ଝରିଗାଁ, ବନ୍ଧୁଗାଁ, କାଶୀପୁର ଓ ଚିତ୍ରକୋଣ୍ଡାରେ ଥିବା ସରକାରୀ ଡିଗ୍ରୀ କଲେଜରେ ଜଣେ ହେଲେ ଅଣଶିକ୍ଷକ ନାହାନ୍ତି । ଏହିସବୁ କଲେଜରେ କାର୍ଯ୍ୟ କିପରି ହେଉଥିବ ତାହା ସହଜରେ ଅନୁମେୟ ।

ବ୍ରହ୍ମପୁର ଜୋନ୍‍ରେ ଥିବା ୧୦ଟି ସରକାରୀ ଡିଗ୍ରୀ କଲେଜ ପାଇଁ ୩୧୮ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୨୩୨ଟି ଖାଲି ପଡିଛି । ଧରାକୋଟ ଡିଗ୍ରୀ କଲେଜରେ ମାତ୍ର ଜଣେ ଅଣଶିକ୍ଷକ ଥିବାବେଳେ କନ୍ଧମାଳ ଜିଲ୍ଲାର ଖଜୁରୀପଡା ଡିଗ୍ରୀ କଲେଜରେ ମଧ୍ୟ ଜଣେ ଅଣଶିକ୍ଷକରେ କାମ ଚଳାଯାଉଛି । ନିକଟରେ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ରଖିଛନ୍ତି । (ତଥ୍ୟ)