Home General ଅଧାରୁ ଅଧିକ ଅଙ୍ଗନବାଡିରେ ନାହିଁ ଶୌଚାଳୟ

ଅଧାରୁ ଅଧିକ ଅଙ୍ଗନବାଡିରେ ନାହିଁ ଶୌଚାଳୟ

ଭୁବନେଶ୍ୱର : ରାଜ୍ୟରେ ଥିବା ଅଧାରୁ ଅଧିକ ଅଙ୍ଗନବାଡିର ଶୌଚାଳୟଟିଏ ନଥିବାରୁ କୁନି କୁନି ପିଲାମାନେ ଶୌଚ ପାଇଁ ବାହାରକୁ ଯାଉଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଲୋକସଭାରେ ଦେଇଥିବା ଅଙ୍ଗନବାଡି ପରିସଂଖ୍ୟାନରୁ ଏହା ଜଣାପଡିଛି ।

ଓଡିଶା ପାଇଁ ୭୫,୧୫୪ଟି ଅଙ୍ଗନବାଡି ମଞ୍ଜୁର ହୋଇଥିବାବେଳେ ସମାନ ସଂଖ୍ୟକ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଛି । ଏଠାରେ ଛଅ ମାସରୁ ଛଅ ବର୍ଷ ବୟସର ୩୩ଲକ୍ଷ ୭୬ହଜାରରୁ ଅଧିକ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହିସବୁ ଅଙ୍ଗନବାଡି କେନ୍ଦ୍ରରେ ୭୨,୮୯୩ ଜଣ ଅଙ୍ଗନବାଡି କର୍ମୀ ଓ ୬୨,୯୪୫ ଅଙ୍ଗନବାଡି ସହାୟକ କାର୍ଯ୍ୟରତ ଅଛନ୍ତି ।

ତେବେ ରାଜ୍ୟରେ କାର୍ଯ୍ୟ କରୁଥିବା ୭୫,୧୫୪ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୪୭,୯୮୫ଟିର ନିଜସ୍ୱ ଘର ଥିବାବେଳେ ୧୦,୪୪୫ଟି କେନ୍ଦ୍ର ପଞ୍ଚାୟତରେ ଥିବା ବିଭିନ୍ନ ଗରେ, ୯୮୮୫ଟି କେନ୍ଦ୍ର ବିଦ୍ୟାଳୟ ପରିସରରେ ଓ ୪୮୫୭ଟି ଅଙ୍ଗନବାଡି କେନ୍ଦ୍ର ଏବେ ବି ଭଡାଘରେ ଚାଲିଛି ।

କିନ୍ତୁ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କ ପାଇଁ ପାନୀୟଜଳ ସୁବିଧା କ୍ଷେତ୍ରରେ ସ୍ଥିତି ଭଲ ରରହିଛି । ୭୩,୧୭୨ ଟି ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କ ପାଇଁ ପାନୀୟଜଳ ସୁବିଧା ରହିଛି । ବିଶେଷକରି ନିଜସ୍ୱ ଘରଥିବା ଅଙ୍ଗନବାଡି, ବିଦ୍ୟାଳୟ ଓ ପଞ୍ଚାୟତ ପରିସରରେ ଯେଉଁସବୁ ଅଙ୍ଗନବାଡିଗୁଡିକ ଚାଲିଛି ସେଠାରେ ପ୍ରାୟତଃ ପାନୀୟଜଳ ସୁବିଧା ଥିବାବେଳେ କେତେକ ଭଡାଘରେ ବି ପାନୀୟଜଳର ସୁବିଧା ରହିଛି ।

କିନ୍ତୁ କୁନି କୁନି ପିଲାଙ୍କ ପାଇଁ ଶୌଚାଳୟ ସୁବିଧା କ୍ଷେତ୍ରରେ ସ୍ଥିତି ଆଦୌ ଭଲନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । ୭୩,୧୫୪ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୩୨,୭୨୮ଟି କେନ୍ଦ୍ରରେ ଶୌଚାଳୟ ସୁବିଧା ରହିଛି । ଅର୍ଥାତ୍‍ ଅଧାରୁ ଅଧିକ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ଶୌଚ ପାଇଁ ଆଖପାଖରେ ଥିବା ପଡିଆ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇଥାନ୍ତି । ତେବେ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗରେ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଢେର ଆଗରେ ରହିଛନ୍ତି ।

ସେହିଭଳି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ୬ମାସରୁ ୩ବର୍ଷ ବୟସର ପିଲାମାନଙ୍କୁ ଦୈନିକ ୫୦୦ କ୍ୟାଲୋରୀର ଖାଦ୍ୟ ଘରକୁ ଦିଆଯାଉଥିବାବେଳେ ୩ରୁ ୬ବର୍ଷ ବୟସର ପିଲାଙ୍କୁ ୫୦୦ କ୍ୟାଲେରୀର ସକାଳ ଜଳଖିଆ ଓ ଗରମ ଖାଦ୍ୟ ପରଷା ଯାଉଛି । ସେହିଭଳି ୬ମାସରୁ ୬ବର୍ଷ ବୟସର ପିଲାଙ୍କୁ ୮୦୦ କ୍ୟାଲେରୀର ଖାଦ୍ୟ ଘରକୁ ଦିଆଯାଉଥିବାବେଳେ ଗର୍ଭବତୀ ଓ ପିଲାଙ୍କୁ କ୍ଷୀର ଦେଉଥିବା ମହିଳାଙ୍କୁ ମଧ୍ୟ ୬୦୦ କ୍ୟାଲେରୀର ଖାଦ୍ୟ ଘରକୁ ଦିଆଯାଉଛି ।

ଏହି ସୂଚନା ଅନୁଯାୟୀ ସମଗ୍ର ଦେଶ ପାଇଁ ୧୩,୯୯,୩୭୦ଟି ଅଙ୍ଗନବାଡି କେନ୍ଦ୍ର ମଞ୍ଜୁର ହୋଇଥିବାବେଳେ ୧୩,୯୧,୪୧୨ଟି କାର୍ଯ୍ୟ କରୁଛି । ଏଥି ମଧ୍ୟରୁ ୧୧,୦୧,୮୪୩ଟି କେନ୍ଦ୍ରରେ ଶୌଚାଳୟ ବ୍ୟବସ୍ଥା ଥିବାବେଳେ ୧୨,୨୩,୩୭୦ଟି କେନ୍ଦ୍ରରେ ପାନୀୟଜଳ ସୁବିଧା ରହିଛି । (ତଥ୍ୟ)