Home News in Odia ଅଧାବାଟରେ ଅଟକିଛି ଇଭି କିଣା

ଅଧାବାଟରେ ଅଟକିଛି ଇଭି କିଣା

ଭୁବନେଶ୍ୱର : ରାଜ୍ୟ ସରକାର ପରିବେଶ ଅନୁକୂଳ ଓ ମିତବ୍ୟୟୀ ବୈଦ୍ୟୁତିକ ଯାନ (ଇଭି) ଓ ହାଇବ୍ରିଡ୍‍ ଯାନ ଖରିଦ କରିପାରୁ ନାହାନ୍ତି । କେଉଁ କିସମର ଗାଡି ଖରିଦ ହେବ ତାହାର ନିଷ୍ପତ୍ତି ଚୂଡାନ୍ତ ହୋଇପାରୁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ।

ରାଜ୍ୟ ସରକାର ବର୍ତ୍ତମାନ ସାଧାରଣ ଲୋକଙ୍କୁ ଇଭି କିଣିବାପାଇଁ ପ୍ରୋତ୍ସାହନରାଶି ଯୋଗାଇ ଦେଉଛନ୍ତି । ସେହିଭଳି ଇଭି ପଞ୍ଜିକରଣ ଫି ଓ ସଡକ ଟିକସ ଛାଡ କରାଯାଉଛି । ପରିବେଶ ଅନୁକୂଳ ଏହି ଯାନ ପାଇଁ କମ୍ପାନୀଗୁଡିକ ମଧ୍ୟ ଅନେକ ପ୍ରୋତ୍ସାହନ ଦେଉଛନ୍ତି । ରାଜ୍ୟ ସରକାର ଏବେ ଦୁଇ ଚକିଆ ଯାନ ପାଇଁ କିଲୋୱାଟ ପିଛା ୫ହଜାର ଟଙ୍କା କରି ଯୋଗାଉଥିବାବେଳେ ଚାରି ଚକିଆ ଯାନପାଇଁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ଏଥିଯୋଗୁଁ ଏବେ ସାଧାରଣ ଲୋକଙ୍କ ଭିତରେ ଇଭି ଖରିଦ ପାଇଁ ଆଗ୍ରହ ବଢିଛି ।

ତେବେ ସରକାରଙ୍କ ବିଭିନ୍ନ ବିଭାଗ ଇଭି କିଣିବାପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଅଧାବାଟରେ ଅଟକି ଯାଇଛି । ପରିବହନ ବିଭହଗ, ଶିଳ୍ପ ବିଭାଗ ଓ ଆଇଟି ବିଭାଗ କାଁ ଭାଁ କେତୋଟି ଚାରିଚକିଆ ଇଭି କିଣିଥିବାବେଳେ ଅନ୍ୟ ବିଭାଗମାନେ ଏହା ଖରିଦ କରୁନାହାନ୍ତି । କେବଳ ଇଭି ନୁହେଁ, ଉଭୟ ତୈଳ ଓ ବ୍ୟାଟେରୀରେ ଚାଲୁଥିବା ହାଇବ୍ରିଡ୍‍ ଯାନ କିଣିବାପାଇଁ ମଧ୍ୟ ସରକାର ସ୍ଥିର କରିଥିଲେ ।

ତେବେ ଏହି ଯୋଜନା ଏବେ ଅଧାବାଟରେ ଅଟକି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର କେଉଁ କିସମର ବ୍ୟାଟେରୀଚାଳିତ ଯାନ କିଣିବେ ସେଥିପାଇଁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ର ପରାମର୍ଶ ଲୋଡିଥିଲେ । ହେଲେ ରାଜ୍ୟ ସରକାରଙ୍କର ଏହି ସଂସ୍ଥାଟିର ମତ ସହିତ ପରିବହନ ବିଭାଗ ସହମତ ହୋଇନପାରିବାରୁ ଏବେ ସରକାରଙ୍କର ଇଭିଯାନ ଖରିଦ ଏକ ପ୍ରକାର ଅଧାବାଟରେ ଅଟକି ଯାଇଛି ।

ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, ସଂସ୍ଥା ଆଦିରେ ଶହ ଶହ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଚାଲୁଛି । ଏହାବାଦ୍‍ ସରକାର ମଧ୍ୟ ତାଙ୍କର ଅଧିକାରୀମାନଙ୍କ ପାଇଁ ବିଭିନ୍ନ ସଂସ୍ଥାରୁ ଭଡାରେ ଯାନ ଆଣୁଛନ୍ତି । ତେବେ ପରିବେଶର ସୁରକ୍ଷା ସହିତ ଅର୍ଥ ସଞ୍ଚୟ ଦୃଷ୍ଟିରୁ ଇଭି ଖରିଦ ଉପରେ ଗୁରୁତ୍ୱ ଦିଆଯିବା ସହିତ ଏଭଳି ଯାନ କିଣିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଓରେଡା କର୍ତ୍ତୃପକ୍ଷଙ୍କ ଠାରୁ ପରାମର୍ଶ ମାଗିବାପରେ ଏହି ଯୋଜନାଟି ଏବେ ଏକ ପ୍ରକାର ଶୀତଳଭଣ୍ଡାରରେ ରହିଯାଇଛି । (ତଥ୍ୟ)