Home General ଅଧାପନ୍ତରିଆ ଗାନ୍ଧୀ ଗ୍ୟାଲେରୀ

ଅଧାପନ୍ତରିଆ ଗାନ୍ଧୀ ଗ୍ୟାଲେରୀ

ଭୁବନେଶ୍ୱର : ସରକାରୀ କଳ ଓ ଇନ୍‍ଟାକ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଯୋଗୁଁ ବହୁ ପ୍ରତୀକ୍ଷିତ ଓଡିଶାରେ ସ୍ୱାଧୀନତା ସଂଗ୍ରାମ ଓ ଓଡିଶାରେ ଗାନ୍ଧୀ ଗ୍ୟାଲେରୀର ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ । ଏ ସଂକ୍ରାନ୍ତରେ ତଳୁ ଉପର ପର୍ଯ୍ୟନ୍ତ ବାରମ୍ବାର ବୈଠକ ବସିବା ସହିତ ଉଚ୍ଚପଦସ୍ତ ଅଧିକାରୀମାନଙ୍କ ଘନ ଘନ ପରିଦର୍ଶନ ସତ୍ୱେ ଅଧା ପନ୍ତରିଆ ଭାବେ ଏହି ଗ୍ୟାଲେରୀ ଦୁଇଟି ପଡି ରହିଛି ।

ରାଜ୍ୟ ସଂଗ୍ରହାଳୟରେ ଏହି ଦୁଇଟି ଗ୍ୟାଲେରୀ ସ୍ଥାପନ ପାଇଁ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଏଥିଲାଗି ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ବନ୍ଦୋବସ୍ତ କରିବା ସଂଗେ ସଂଗେ ଏହି ଗ୍ୟାଲେରୀ ଦୁଇଟିର କାମ ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ସଂସ୍ଥା ଇନ୍‍ଟାକ୍‍କୁ ଦିଆଯାଇଥିଲା । ଗ୍ୟାଲେରୀ ଦୁଇଟିରେ ବରପୁତ୍ରମାନଙ୍କର ଯେଉଁସବୁ ମୂର୍ତ୍ତି ରଖାଯାଇଛି ଏବଂ ବିଭିନ୍ନ ଐତିହାସିକ ଘଟଣାବଳୀ ସଂକ୍ରାନ୍ତରେ ଯେଉଁସବୁ ଛବି ପ୍ରସ୍ତୁତ ହୋଇଛି ସେଗୁଡିକର ଗୁଣବତ୍ତା ଉପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି ।

ଏହି ଗ୍ୟାଲେରୀ ନିର୍ମାଣ ପୂର୍ବରୁ ଇନ୍‍ଟାକ୍‍ କର୍ତ୍ତୃପକ୍ଷ ବିଶେଷଜ୍ଞମାନଙ୍କ ମତାମତ ଲୋଡିଥିଲେ ଏବଂ ନିର୍ଭୁଲ ତଥ୍ୟ ଯେପରି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇପାରିବ ସେଥିଲାଗି ବିଷୟ ବିଶେଷଜ୍ଞମାନଙ୍କ ସହଯୋଗ ଲୋଡିଥିଲେ । ରାଜ୍ୟ ବାହାରୁ ଶିଳ୍ପୀମାନଙ୍କୁ ଆଣି ସେମାନଙ୍କ ସହାୟତାରେ ଫାଇବର ମୂର୍ତ୍ତିମାନ ଇନ୍‍ଟାକ୍‍ ତିଆରି କରିଛି । ତେବେ ଗାନ୍ଧୀ, ଗୋପବନ୍ଧୁଙ୍କ ଠାରୁ ଆରମ୍ଭକରି ମଧୁବାବୁ, ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ ଯେଉଁ ମହାପୁରୁଷମାନଙ୍କର ଫାଇବର ମୂର୍ତ୍ତି ଏଠାରେ ରଖାଯାଇଛି ସେଗୁଡିକର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ଉଠୁଥିବାରୁ ଇନ୍‍ଟାକ୍‍ କର୍ତ୍ତୃପକ୍ଷ ତ୍ରୁଟିବିଚ୍ୟୁତି ସଂଶୋଧନ ପାଇଁ ରାଜି ହୋଇଥିଲେ ।

ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଏକାଧିକବାର ଏହି ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ତଦାରଖ କରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟପାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଓଡିଆ ଶିଳ୍ପୀମାନଙ୍କ ଦ୍ୱାରା ଏହି କାର୍ଯ୍ୟ କାହିଁକି କରାଗଲାନାହିଁ ବୋଲି ପ୍ରଶ୍ନବାଚୀ ଉଠାଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ ଜେନା ମଧ୍ୟ ଏହି ନିର୍ମାଣାଧିନ ଗ୍ୟାଲେରୀ ପରିଦର୍ଶନ କରି ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଇତି ମଧ୍ୟରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଆସନ୍ତା ଜାନୁୟାରୀ ସୁଦ୍ଧା ନିର୍ମଣାଧିନ ଗ୍ୟାଲେରୀ ଦୁଇଟିରେ ଥିବା ତ୍ରୁଟି ବିଚ୍ୟୁତି ସବୁର ସଂଶୋଧନ ପାଇଁ କହିଥିଲେ । ଏହି କାର୍ଯ୍ୟକୁ ଆଗେଇ ନେବାପାଇଁ ଇତି ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମଧ୍ୟ ସଂଗ୍ରହାଳୟ ପରିସରରେ ଅନ୍ୟଏକ ଉଚ୍ଚସ୍ତରୀୟ ବୈଠକରେ ଇନ୍‍ଟାକ୍‍ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କ ସହ ଆଲୋଚନା କରିବା ସଂଗେ ସଂଗେ ନିଜେ ନିର୍ମଣାଧିନ ଗ୍ୟାଲେରୀର ପ୍ରତିଟି ଛବି ତନଖିକରି ଉନ୍ନୟନ କମିଶନରଙ୍କ ମନ୍ତବ୍ୟ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟରେ ଗ୍ୟାଲେରୀ ଦୁଇଟି ଯେଭଳି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଗ୍ୟାଲେରୀରେ ସ୍ଥାନ ପାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ସମେତ ଅନ୍ୟ କେତେକ ବରପୁତ୍ରଙ୍କ ଛବି ଓ ଐତିହାସିକ ଘଟଣାବଳୀରେ ତ୍ରୁଟି ବିଚ୍ୟୁତି ଥିବା ଘେନି ବିଷୟ ବିଶେଷଜ୍ଞମାନେ ମଧ୍ୟ ଗ୍ୟାଲେରୀ ପରିଦର୍ଶନ ସମୟରେ ମତବ୍ୟକ୍ତ କରି ତ୍ରୁଟି ସଂଶୋଧନ ଉପରେ ଗୁରୁତ୍ୱଆରୋପ କରିଥିଲେ । ତେବେ ସଂଗ୍ରହାଳୟ ଓ ଇନ୍‍ଟାକ୍‍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କାମ ଆଗେଇ ପାରୁନଥିବାବେଳେ ଓଡିଶାର ଶିଳ୍ପୀଙ୍କୁ ନେଇ ଗ୍ୟାଲେରୀ କାମ ତୁରନ୍ତ ସମାପ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲେ ବି ବିଭିନ୍ନ କାରଣରୁ ଏହା ଆଗେଇ ପାରୁନଥିବାବେଳେ କେବଳ ପତ୍ରଯୁଦ୍ଧ ଲାଗି ରହିଛି । (ତଥ୍ୟ)