ଭୁବନେଶ୍ୱର : ଅଦିନିଆ ବର୍ଷା ସାରା ରାଜ୍ୟରେ ଚାଷୀଙ୍କ ମନରେ ଭୟ ସଞ୍ଚାର କରିଛି । କେଉଁଠି ବିଲରେ କଟା ହୋଇ ପଡିଥିବା ଧାନ ବୁହାହୋଇ ପାରୁନାହିଁ ତ ଆଉ କେଉଁଠି ମଣ୍ଡିରେ ବିକ୍ରି ହେବାକୁ ଯାଉଥିବା ଧାନ ବର୍ଷା ଓ କୋହଲା ପବନରେ ପଡି ରହିଛି ।
ବର୍ଷ ସାରା ପରିଶ୍ରମ କରି ଏବଂ ସଞ୍ଚିତ ଅର୍ଥ ସମେତ ବିଭିନ୍ନ ସୂତ୍ରରୁ ଋଣ କରି ଚାଷୀମାନେ ଫଳାଇଥିବା ଧାନ ଅଦିନିଆ ବର୍ଷା ଯୋଗୁଁ ନଷ୍ଟହେବା ଆଶଙ୍କାରେ ଡହଳ ବିକଳ ହେଉଛନ୍ତି । ଯେଉଁ ଅଞ୍ଚଳରେ ବର୍ଷା ହୋଇନାହିଁ ସେଠାରେ ମେଘ ଘୋଟି ରହିଥିବା ଦୃଷ୍ଟିରୁ ଚାଷୀମାନେ ଧାନର ସୁରକ୍ଷା ଘେନି ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଉଛନ୍ତି ।
ରାଜ୍ୟର କେତେକ ଜିଲ୍ଲାରେ କୋହଲା ଓ ମେଘୁଆ ପାଗ ଆଉ ଦୁଇଦିନ ଜାରି ରହିବ ବୋଲି ପାଣିପାଗ ସଂସ୍ଥା ଚେତାବନୀ ଦେଉଛି । ଦୁଇ ତିନି ଦିନ ବର୍ଷାମାଡ ଖାଇଲେ ପାଚିଲା ଧାନ ଗଜା ହେବା ଏକ ପ୍ରକାର ନିଶ୍ଚିତ । ଏ ପରିପ୍ରେକ୍ଷୀରେ ଧାନ କିଭଳି ଉଚିତ ଦାମରେ ବିକ୍ରିହେବ ସେ ଚିନ୍ତା ଚାଷୀଙ୍କୁ ଘାରିଛି ।
ଯେଉଁସବୁ ଅଞ୍ଚଳରେ ମଣ୍ଡି ଖୋଲିଛି ସେଠି ବେପାରୀଙ୍କ କାରସାଦି ଯୋଗୁଁ ହଜାର ହଜାର କୁଇଣ୍ଟାଲ ଧାନ ଉଠାଣ ନହୋଇ ପଡି ରହିଛି । ଆଉ କେତେକ ସ୍ଥାନରେ ଚାଷୀଙ୍କ ଧାନର ମାନକୁ ନିମ୍ନମାନର ଦର୍ଶାଇ କିଣାଯାଉ ନାହିଁ । ଏଭଳି ସ୍ଥିତିରେ ନିଜ ହାତରୁ ପଇସା ଖର୍ଚ୍ଚକରି ଅନେକ ଚାଷୀ ପାଖପାଖି ସପ୍ତାହେ ଧରି ବିଭିନ୍ନ ମଣ୍ଡିରେ ଅପେକ୍ଷାକରି ରହିଛନ୍ତି । ଯେକୌଣସି ମୂହୂର୍ତ୍ତରେ ବର୍ଷା ଆସିଯିବାର ଆଶଙ୍କା ସେମାନଙ୍କୁ ଚିନ୍ତାରେ ପକାଉଛି । ବହୁ ସ୍ଥାନରେ ଧାନମଣ୍ଡିଗୁଡିକ କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ଜରିପାଲ ତଳେ ଥିବାବେଳେ ଖୁବ୍ କମ୍ ଜାଗାରେ ସୀମିତ ପରିମାଣର ଧାନ ରଖିବାପାଇଁ ନିରାପଦ ବ୍ୟବସ୍ଥା ଅଛି ।
ବିଭିନ୍ନ ଜିଲ୍ଲାରୁ ମିଳୁଥିବା ଖବର ମୁତାବକ ଯେଉଁ ସଂସ୍ଥା ହାତରେ ଏଫଏକ୍ୟୁ ମାନ ଯାଞ୍ଚ ପାଇଁ ଦାୟିତ୍ୱ ଦିଆଯାଇଛି ସେହି ସଂସ୍ଥାର ଅନେକ ଚୁକ୍ତି ଭିତ୍ତିକ ଠିକା କର୍ମଚାରୀ ଠିକଣା ଭାବେ କାମ କରୁନାହାନ୍ତି । ଫଳରେ ବହୁ ସ୍ଥାନରେ ଭଲ ଧାନକୁ ନିମ୍ନମାନର ବୋଲି ଦର୍ଶାଯାଉଥିବା ପଶ୍ଚିମଓଡିଶାର ଅନେକ ଚାଷୀ ଖୋଲା ଅଭିଯୋଗ କରୁଛନ୍ତି । ଏହାଛଡା ମଣ୍ଡିରୁ ଧାନ ଉଠାଇବାପାଇଁ ବହୁ ସ୍ଥଳରେ ମିଲରଙ୍କ ଦେଖା ମିଳୁନଥିବାରୁ ଏ ପ୍ରକ୍ରିୟା ବିଳମ୍ବିତ ହେଉଥିବାବେଳେ ବର୍ଷା ଭୟ ସମସ୍ୟାକୁ ବହୁଗୁଣିତ କରୁଛି ।
ନିର୍ବାଚନ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍ପୁଟ୍ ସବସିଡ୍ ଦେଇ ୩୧୦୦ ଟଙ୍କାରେ ଧାନ ଉଠାଇବା କଥା । ଅବଶ୍ୟ କେତେକ ସ୍ଥାନରେ ଧିର ମନ୍ଥର ଗତିରେ ଧାନ ଉଠାଣ କାର୍ଯ୍ୟ ଚାଲିଛି । ଏଭଳି ସ୍ଥିତିରେ ଦଲାଲମାନେ ଉତ୍ପାତ କରୁଥିବା ଘେନି ବହୁ ସ୍ଥାନରୁ ଅଭିଯୋଗ ମିଳୁଥିବାବେଳେ ସେମାନଙ୍କ ପ୍ରତି କର୍ତ୍ତୃପକ୍ଷ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ।
ଧାନ କିଣା ଘଟଣାରେ ଅନିୟମିତତା ଓ ଆଳସ୍ୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ତେବେ ଅନେକ ଚାଷୀ ଅଭିଯୋଗ କରୁଛନ୍ତି ଯେ ଟୋକନ ମିଳିବାରେ ଗୁରୁତର ସମସ୍ୟା ଲାଗି ରହୁଛି । ଧାନ କାଟିନଥିବା କେତେକ ଚାଷୀ ଟୋକନ ହାତେଇ ଥିବାବେଳେ ଧାନ ଅମଳ କରିସାରିଥିବା ଆଉ କେତେକ ଚାଷୀ ଟୋକନ ପାଇପାରୁ ନାହାନ୍ତି । ଏଥିଘେନି ଚାଷୀମାନେ ବି ରାଜରାସ୍ତାକୁ ଓହ୍ଲାଉଛନ୍ତି । ଏବେ ବର୍ଷା ଓ କୋହଲା ପାଗ ପରିପ୍ରେକ୍ଷୀରେ କିଭଳି ମଣ୍ଡିଗୁଡିକରେ ଜମା ରହିଥିବା ସମସ୍ତ ଧାନ ତୁରନ୍ତ କିଣାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । (ତଥ୍ୟ)