Home Agriculture ଅଦା ଓ ହଳଦୀ ଚାଷପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଅଦା ଓ ହଳଦୀ ଚାଷପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି ।

ରାଜ୍ୟରେ ଅଦା ଓ ହଳଦୀ ଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ ‘ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨-୨୩’ରେ ସଂଶୋଧନ ଅଣାଯାଇ ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ ହଳଦୀ ଚାଷ ଏକ ନୂତନ ଶିଖର ଛୁଇଁବା ସହ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।

ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇ ରାଜ୍ୟରେ ଅଦାର ଚାହିଦା ଓ ଚାଷ ଖର୍ଚ୍ଚକୁ ଆଖି ଆଗରେ ରଖି ଚଳିତ ବର୍ଷ ଅଦା ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ହେକଫର ଅଦା ଚାଷ ପ୍ରତି ପୂର୍ବରୁ ଥିବା ରିହାତି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି । ନୂତନ ବ୍ୟବସ୍ଥାରେ ହେକଫର ପିଛା ବିହନ ବାବଦକୁ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କା ସହ ଆନୁଷଙ୍ଗିକ ଖର୍ଚ୍ଚ ଯଥା – ବିହନ ବିଶୋଧନ, ସାର ଓ ଜୈବିକ ସାର ଏବଂ ରୋଗପୋକ ନିୟନ୍ତ୍ରଣ ଇତ୍ୟାଦି ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ ।

ଏହିପରି ଅଦାଚାଷ ପାଇଁ ସର୍ବମୋଟ ହେକଫର ପ୍ରତି ୨ଲକ୍ଷ ୪୦ ହଜାର ଟଙ୍କାର ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି । ଜଣେ ଚାଷୀ ସର୍ବାଧିକ ୧ ହେକଫର ଚାଷ ପାଇଁ ସରକାରୀ ରିହାତିର ସୁବିଧା ଉପଲବ୍ଧ କରିପାରିବେ ।

ସେହିପରି ୧ ହେକଫର ହଳଦୀ ଚାଷ ନିମନ୍ତେ ମୋଟ ଚାଷ ଖର୍ଚ୍ଚ ୩,୬୮,୨୯୭ ଟଙ୍କାର ଶତକଡା ୪୦ଭାଗ ହିସାବରେ ୧,୪୭,୩୧୮ ଟଙ୍କା ସରକାରୀ ରିହାତି ପ୍ରଦାନ କରିବାର ନୂତନ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଛି । ନୂତନ ମାର୍ଗଦର୍ଶିକାକୁ ନିର୍ଦ୍ଧାରିତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକମାନଙ୍କୁ ପ୍ରେରଣ କରାଯାଇ ଯଥାଶୀଘ୍ର ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦେଶ
ଦେଇଛନ୍ତି ।